ନୂଆଦିଲ୍ଲୀ: ବାଂଲାଦେଶ କ୍ରିକେଟରୁ ଆସିଛି ଦୁଃଖଦ ଖବର। ବାଂଲାଦେଶର ପୂର୍ବତନ ଅଣ୍ଡର୍-୧୯ କ୍ରିକେଟର ମହମ୍ମଦ ସୋଜିବ ମାତ୍ର ୨୧ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଦେଇଛନ୍ତି। ଶନିବାର ଦୁର୍ଗାପୁର ସ୍ଥିତ ନିଜ ଘରେ ସୋଜିବ ଆତ୍ମହତ୍ୟା କରିଥିବା ପୁଲିସ୍ ସୂଚନା ଦେଇଛି। ତାଙ୍କର ଏଭଳି ପଦକ୍ଷେପ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।
୨୦୧୮ରେ ଆୟୋଜିତ ଆଇସିସି ଅଣ୍ଡର୍-୧୯ ୱାର୍ଲ୍ଡ କପ୍ ଟିମର ସେ ସଦସ୍ୟ ଥିଲେ। ସେ ଷ୍ଟାଣ୍ଡବାଇ ଖେଳାଳି ଭାବେ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିଥିଲେ। କିନ୍ତୁ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିନଥିଲା। ଏହାସହ ଏହି ଯୁବ ଓପନିଂ ବ୍ୟାଟ୍ସମ୍ୟାନ୍ ଜଣକ ବାଂଲାଦେଶ ଅଣ୍ଡର୍-୧୯ ଏସିଆ କପ୍ ଟିମର ମଧ୍ୟ ସଦସ୍ୟ ରହିଥିଲେ।
୨୦୧୮ରେ ଶିନେପୁକୁର ପକ୍ଷରୁ ସେ ଢାକା ପ୍ରିମିୟର ଲିଗରେ ଡେବ୍ୟୁ କରିଥିଲେ। କିନ୍ତୁ ଟୁର୍ଣ୍ଣାମେଣ୍ଟରେ ସେ ଖେଳିଥିବା ତିନୋଟି ମ୍ୟାଚରେ ଯଥାକ୍ରମେ ୯, ୦, ଓ ଅପରାଜିତ ୧ ରନ୍ କରିଥିଲେ। ହେଲେ ମାର୍ଚ୍ଚ, ୨୦୧୮ ପରଠାରୁ ସେ କୌଣସି ପ୍ରତିଦ୍ୱନ୍ଦିତାମୂଳକ ମ୍ୟାଚ୍ ଖେଳିନାହାନ୍ତି। ବୋଧହୁଏ ଏହି କାରଣରୁ ସେ ଆତ୍ମହତ୍ୟା ଭଳି ବଡ଼ ପଦକ୍ଷେପ ଉଠାଇବାକୁ ବାଧ୍ୟ ହୋଇଥିବା ତାଙ୍କର ଜଣେ ସାଥୀ ଖେଳାଳି କହିଛନ୍ତି।
ସୋଜିବଙ୍କ ମୃତ୍ୟୁରେ ବାଂଲାଦେଶ କ୍ରିକେଟ୍ ବୋର୍ଡର ଡାଇରେକ୍ଟର ଖାଲିଦ୍ ମେହମୁଦ୍ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ‘ଏଭଳି ଖବର ପାଇ ମୁଁ ବହୁତ ଦୁଃଖିତ। ସୋଜିବ ଜଣେ ଓପନିଂ ବ୍ୟାଟ୍ସମ୍ୟାନ୍ ସହ ମିଡିୟମ୍ ପେସର୍ ମଧ୍ୟ ଥିଲେ।’
The post ଆତ୍ମହତ୍ୟା କଲେ ଯୁବ ଓପନିଂ ବ୍ୟାଟ୍ସମ୍ୟାନ୍ appeared first on Odisha Reporter.
from Odisha Reporter https://ift.tt/36A2OfA
No comments:
Post a Comment