ନୂଆଦିଲ୍ଲୀ: କରୋନା ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲ ବଢ଼େଇ ଚଢ଼େଇ ଭଲ ପଇସା ଆୟ କରିଛନ୍ତି। ସରକାର ଚିକିତ୍ସା ପାଇଁ ଆବଶ୍ୟକ ନିର୍ଦ୍ଦେଶାବଳୀ ଜାରି କରିନଥିଲେ। ତେଣୁ ଘରୋଇ ହସ୍ପିଟାଲ ଏହାର ଫଇଦା ନେଇଛନ୍ତି। କୋଭିଡ୍ ଚିକିତ୍ସା ମାମଲା ପାଇଁ ଗଠିତ ଏକ ସଂସଦୀୟ ସ୍ୱାସ୍ଥ୍ୟ କମିଟି ଏଭଳି ରିପୋର୍ଟ ଦେଇଛି। ଶନିବାର ସାଂସଦ ରାମ ଗୋପାଳ ଯାଦବଙ୍କ ନେତୃତ୍ୱରେ ଗଠିତ ସ୍ୱାସ୍ଥ୍ୟ କମିଟି ଉପରାଷ୍ଟ୍ରପତି ତଥା ରାଜ୍ୟସଭାର ଅଧ୍ୟକ୍ଷ ଭେଙ୍କେୟା ନାଇଡୁଙ୍କୁ ଏକ ରିପୋର୍ଟ ପ୍ରଦାନ କରିଛନ୍ତି। ଯେଉଁଥିରେ ଏହି ସବୁ କଥା ଉଲ୍ଲେଖ ରହିଛି। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ତୁଳନାରେ ସରକାରୀ ହସ୍ପିଟାଲରେ କୋଭିଡ୍ ଆକ୍ରାନ୍ତ ଏବଂ ଅଣ କୋଭିଡ୍ ଆକ୍ରାନ୍ତଙ୍କ ପାଇଁ ଆବଶ୍ୟକ ବେଡ୍ ନଥିବା ମଧ୍ୟ କମିଟି ହୃଦବୋଧ କରିଛି।
ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସ୍ଥାୟୀ ସମିତିର ଅଧ୍ୟକ୍ଷ ରାମ ଗୋପାଳ ଯାଦବଙ୍କ ନେତୃତ୍ୱାଧୀନ କମିଟି କହିଛି ଯେ ଯଦି ଆବଶ୍ୟକ ନିର୍ଦ୍ଦେଶାବଳୀ ଜାରି ହୋଇଥାନ୍ତା ତାହେଲେ ଅନେକ ଆକ୍ରାନ୍ତ ମୃତ୍ୟୁରୁ ବର୍ତ୍ତି ପାରିଥାନ୍ତେ। ସେହିପରି ଆବଶ୍ୟକ ନିର୍ଦ୍ଦେଶାବଳୀର ଅଭାବ ପାଇଁ ଅନେକ ଆକ୍ରାନ୍ତ ଚିକିତ୍ସା ବେଳେ ଅତିରିକ୍ତ ପଇସା ଦେଇଛନ୍ତି ବୋଲି ସେ କହିଛନ୍ତି।
ସରକାରଙ୍କ ଦ୍ୱାରା କୋଭିଡ୍ ମାମଲାର ମୁକାବିଲା ପାଇଁ ଗଠିତ କମିଟିର ଏହା ପ୍ରଥମ ରିପୋର୍ଟ। କମିଟି କହିଛି ଯେ ସରକାରୀ ସ୍ୱାସ୍ଥ୍ୟ ସୁବିଧାରେ ଅଭାବ ଏବଂ ମହାମାରୀକୁ ନଜରରେ ରଖି ସରକାର ଏବଂ ଘରୋଇ ହସ୍ପିଟାଲ ମଧ୍ୟରେ ଆବଶ୍ୟକ ବୁଝାମଣା ରହିବାର ଆବଶ୍ୟକ ରହିଛି ବୋଲି କମିଟି କହିଛି। ସେହିପରି କମିଟି କହିଛି କରୋନା ମୁକାବିଲା ବେଳେ ଯେଉଁ ଡାକ୍ତର ପ୍ରାଣ ହରାଇଛନ୍ତି ସେମାନଙ୍କ ପରିବାରକୁ ସରକାର ଆବଶ୍ୟକ କ୍ଷତିପୂରଣ ଦେବା ଉଚିତ। ସେହିପରି ମୃତ ଡାକ୍ତରଙ୍କୁ ଶହୀଦ ବୋଲି ଘୋଷଣା କରିବା ଦରକାର। ୧୩୦ କୋଟି ଜନସଂଖ୍ୟା ଦେଶରେ ସ୍ୱାସ୍ଥ୍ୟ ବାବଦରେ ସରକାର ବହୁତ କମ୍ ଖର୍ଚ୍ଚ କରିଛନ୍ତି। ଏବାବାଦରେ ସରକାର ଅଧିକ ନିବେଶ କରି ଉତ୍ତମ ସ୍ୱାସ୍ଥ୍ୟାବସ୍ଥାକୁ ସାର୍ବଜନୀନ କରିବା ଦରକାର ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।
ସରକାର ୨୦୨୫ ଯାଏ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ନୀତିର ଲକ୍ଷ୍ୟ ପୂରଣ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ୨୦୧୭ରୁ ଏହାର ଲକ୍ଷ୍ୟ ଆରମ୍ଭ ହୋଇଛି। ହେଲେ ଏହି ବର୍ଷ ମୋଟ୍ ଅଭିବୃଦ୍ଧିର ମାତ୍ର ୧.୧୫ ପ୍ରତିଶତ ଟଙ୍କା ନିବେଶ ହୋଇଛି। ଲକ୍ଷ୍ୟ ପୂରଣ ପାଇଁ ହାତରେ ୫ ବର୍ଷ ରହିଛି। ତେଣୁ ଏବେଠୁ ସରକାର ପ୍ରତିବର୍ଷ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ମୋଟ୍ ଅଭିବୃଦ୍ଧିର ୨.୫ ପ୍ରତିଶତ ନିବେଶ କରିବା ଦରକାର।
The post କରୋନା ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲ ବଢ଼େଇ ଚଢ଼େଇ ପଇସା ନେଇଛନ୍ତି: ରିପୋର୍ଟ appeared first on Odisha Reporter.
from Odisha Reporter https://ift.tt/3nLafYf
No comments:
Post a Comment