ନୂଆଦିଲ୍ଲୀ: ଡିସେମ୍ବର ୧୭ ତାରିଖରୁ ଭାରତ ବିପକ୍ଷ ଆରମ୍ଭ ହେବାକୁଥିବା ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ୧୭ ଜଣିଆ ଅଷ୍ଟ୍ରେଲିଆ ଟିମର ଘୋଷଣା କରାଯାଇଛି। ଟିମ୍ ପେନଙ୍କ ନେତୃତ୍ୱରେ ଏହି ଗୁରୁତ୍ୱପୂର୍ଣ୍ଣ ସିରିଜ୍ ପାଇଁ ଅଷ୍ଟ୍ରେଲିଆ ଟେଷ୍ଟ ଟିମରେ ୫ ନୂଆ ମୁହଁକୁ ସାମିଲ୍ କରାଯାଇଛି। ଶେଫିଲ୍ଡ ଶିଲ୍ଡ ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରେ ଜବରଦସ୍ତ ବ୍ୟାଟିଂ କରିଥିବା ଭିକ୍ଟୋରିଆ ଦଳର ଓପ୍ନର ୱିଲ୍ ପୁକୋଭସ୍କିଙ୍କୁ ଏହାର ଉପହାର ସ୍ୱରୂପ ଅଷ୍ଟ୍ରେଲିଆ ଟେଷ୍ଟ ସ୍କ୍ୱାଡରେ ସ୍ଥାନ ମିଳିଛି।
ପୁକୋଭସ୍କି ଭିକ୍ଟୋରିଆ ପକ୍ଷରୁ ମାତ୍ର ୨ଟି ମ୍ୟାଚରେ ଦୁଇଟି ଡବଲ୍ ସେଞ୍ଚୁରୀ ସହ ୪୯୫ ରନ୍ କରିଛନ୍ତି। ତାଙ୍କ ବ୍ୟତୀତ ସିନ୍ ଆବୋଟ୍ଟ, କାମେରନ୍ ଗ୍ରୀନ୍, ମାଇକେଲ୍ ନେସ୍ ଓ ମିଚେଲ୍ ସ୍ୱେପସନଙ୍କୁ ନୂଆ ମୁହଁ ଭାବେ ସାମିଲ୍ କରାଯାଇଛି। ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆର ଗ୍ରୀନଙ୍କୁ ଅଲରାଉଣ୍ଡର ପ୍ରଦର୍ଶନ ଆଧାରରେ ଚୟନ କରାଯାଇଛି। ଯେହେତୁ ଏବେ ଟିମରେ ପୁକୋଭସ୍କି ସାମିଲ୍ ହୋଇଛନ୍ତି। ତେଣୁ ଡେଭିଡ୍ ୱାର୍ଣ୍ଣରଙ୍କ ସହ ପୁକୋଭସ୍କି ଓ ଜୋ ବର୍ନସଙ୍କୁ ମଧ୍ୟରୁ କିଏ ଓପନ୍ କରିବ, ତାହା ଦେଖିବାକୁ ବାକି ରହିଲା। ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ୱାର୍ଣ୍ଣରଙ୍କ ସହ ଷ୍ଟିଭ୍ ସ୍ମିଥ୍, ମାଥ୍ୟୁ ୱେଡ୍, ଜୋଶ୍ ହେଜଲଉଡ୍, ମିଚେଲ୍ ଷ୍ଟାର୍କ ସ୍ଥାନ ବଜାୟ ରଖିଛନ୍ତି।
ସୂଚନାଯୋଗ୍ୟ, ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଡିସେମ୍ବର ୧୭ ତାରିଖରୁ ଆଡିଲେଡରେ ଦିବାରାତ୍ରରେ ଖେଳାଯିବ। ୨ୟ ଟେଷ୍ଟ ଡିସେମ୍ବର ୨୬ ତାରିଖରୁ ମେଲବର୍ଣ୍ଣ, ତୃତୀୟ ଟେଷ୍ଟ ଜାନୁଆରୀ ୭ରୁ ସିଡନୀ ଏବଂ ଚତୁର୍ଥ ଟେଷ୍ଟ ବ୍ରିସବେନରେ ଜାନୁଆରୀ ୧୫ରୁ ଆରମ୍ଭ ହେବ। ଟେଷ୍ଟ ସିରିଜ୍ ପୂର୍ବରୁ ଦୁଇଟି ଅଭ୍ୟାସ ମ୍ୟାଚ୍ ଖେଳାଯିବ। ଡିସେମ୍ବର ୬ରୁ ୮ ତାରିଖ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ-ଏ ଓ ଭାରତ-ଏ ତିନିଦିନିଆ ଅଭ୍ୟାସ ମ୍ୟାଚ୍ ଏବଂ ଡିସେମ୍ବର ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ-ଏ ଓ ଭାରତ ମଧ୍ୟ ସିଡନୀରେ ଦିବାରାତ୍ର ଅଭ୍ୟାସ ମ୍ୟାଚ୍ ଖେଳାଯିବ।
ଅଷ୍ଟ୍ରେଲିଆ ଟେଷ୍ଟ ସ୍କ୍ୱାଡ୍: ଟିମ୍ ପେନ୍ (କ୍ୟାପଟେନ୍), ଜେମ୍ସ ପାଟିନସନ୍, ୱିଲ୍ ପୁକୋଭସ୍କି, ଷ୍ଟିଭ୍ ସ୍ମିଥ୍, ମିଚେଲ୍ ଷ୍ଟାର୍କ, ମିଚେଲ୍ ସ୍ବେପସନ୍, ମାଥ୍ୟୁ ୱେଡ୍, ଡେଭିଡ୍ ୱାର୍ଣ୍ଣର୍, ସିନ୍ ଆବୋଟ୍ଟ, ଜୋ ବର୍ନସ୍, ପ୍ୟାଟ୍ କମିନ୍ସ (ଭାଇସ୍ କ୍ୟାପଟେନ୍), କାମେରନ୍ ଗ୍ରୀନ୍, ଜୋଶ୍ ହେଜଲଉଡ୍, ଟ୍ରେଭିସ୍ ହେଡ୍, ମାର୍ନସ୍ ଲାବୁଶୋନ୍, ନେଥନ୍ ଲାୟନ୍, ମାଇକେଲ୍ ନେସାର।
The post ଭାରତ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷିତ appeared first on Odisha Reporter.
from Odisha Reporter https://ift.tt/36wSiG5
No comments:
Post a Comment