ଟିଟିଲାଗଡ଼(ମାନସ ରଞ୍ଜନ ପାଣି): ଗାଁରେ ଚଉଡ଼ା ରାସ୍ତା ହେବ,ଏହି ରାସ୍ତା ଦେଇ ଗାଡିମଟର ଚଳାଚଳ କରିବା ଓ ଗାଁର ବିକାଶ ହେବ । ଏହି ଆଶା ରଖି ପ୍ରଶାସନକୁ ବାରମ୍ବାର ଗୁହାରି କରିବା ସତ୍ତ୍ୱେ ହୋଇପାରୁନଥିବା ରାସ୍ତା କାମ କରିବାକୁ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ । ଶେଷରେ ନିଜ ଜମି ଦେଲେ। ହାତରେ କୋଦାଳ ଧରି ନିଜ ଘରଦ୍ୱାର ଭାଙ୍ଗିଲେ। ଗ୍ରାମବାସୀଙ୍କ ଏପରି ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ଟୁଇଟ କରି ପ୍ରଶଂସା କଲେ। ହେଲେ ବିଭାଗୀୟ ଅଧିକାରୀଙ୍କ ନିଦ ଭାଙ୍ଗିଲାନି। ବର୍ଷେ ପରେ ବି ସେମାନଙ୍କ ଦୁଃଖ ଦୂର ହେଉନି। ଏବେ ବି ରାସ୍ତା ଅବସ୍ଥା ସାମାନ୍ୟ ବର୍ଷାରେ ଶୋଚନୀୟ ହୋଇପଡ଼ୁଛି।
ସୂଚନାଯୋଗ୍ୟ, ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଅଧୀନ ଶିହିନୀ ଗ୍ରାମ ମଧ୍ୟ ଦେଇ ଯାଇଥିବା ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଏହି ରାସ୍ତା କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲା ମଧ୍ୟରେ ସଂଯୋଗ କରୁଥିବାରୁ ଏହି ରାସ୍ତା ଦେଇ ଅନେକ ସମୟରେ ଭାରି ଗାଡି ମଟର ଯାତାୟାତ କରିଥାଏ। ହେଲେ ରାସ୍ତା ମାତ୍ର ୧୪/୧୫ ଫୁଟ ଓସାର ଥିବାରୁ ଅନେକ ସମୟରେ ଗମନାଗମନରେ ସମସ୍ୟା ହେବା ସହିତ ଦୁର୍ଘଟଣା ମଧ୍ୟ ହେଉଥିଲା । ଗାଁର ଏହି ସଂକୀର୍ଣ୍ଣ ରାସ୍ତାକୁ ଚଉଡ଼ା କରିବା ନିମନ୍ତେ ଏକ ମିଟିଂ ହୋଇଥିଲା ଓ ସମସ୍ତେ ଜବରଦଖଲ କରିଥିବା ଜମି ସହିତ ନିଜର କିଛି କିଛି ଜମି ମଧ୍ୟ ଛାଡି ରାସ୍ତାକୁ ଚଉଡ଼ା କରିବାକୁ ନିଷ୍ପତ୍ତି ନିଆଯାଇଥିଲା।
ଏହାପରେ ଗତ ନଭେମ୍ବର ମାସରେ ଗ୍ରାମବାସୀ ନିଜ ଖର୍ଚ୍ଚରେ କିଏ ନିଜେ ହାତରେ କୋଦାଳ ଧରି ତ କିଏ JCB ମେସିନରେ ନିଜ ଘରଦ୍ୱାର ଓ କାନ୍ଥ ଭାଙ୍ଗିଲେ । ଗାଁ ରାସ୍ତାକୁ ଚଉଡ଼ା କରିବା ପାଇଁ ଗୋଟିଏ ଗାଁର ୩୨ ଜଣ ଲୋକ ନିଜ ଜମିରୁ କିଛି ଅଂଶ ମଧ୍ୟ ଦେଇଛନ୍ତି । ଗ୍ରାମବାସୀଙ୍କ ଏଭଳି ମହତ କାମକୁ ସ୍ଥାନୀୟ ଲୋକେ ଓ ଅନ୍ୟାନ୍ୟ ଅଧିକାରୀ ଏପରିକି ମୁଖ୍ୟମନ୍ତ୍ରୀ ଟୁଇଟ କରି ପ୍ରଶଂସା କରିଥିଲେ। ହେଲେ ଗ୍ରାମବାସୀଙ୍କୁ ଅନ୍ୟାନ୍ୟ ବିଭାଗ ଅସହଯୋଗ କରିଥିବାରୁ ବର୍ତ୍ତମାନ ସେମାନଙ୍କ ଏଭଳି ପଦକ୍ଷେପ ବ୍ୟର୍ଥ ହେବାକୁ ଯାଉଛି। ବର୍ଷେ ପରେ ବି ରାସ୍ତା ତିଆରି ହୋଇ ପାରି ନଥିବାରୁ ରାସ୍ତା ସାରା କାଦୁଅ ଭରି ରହିଛି ।
ପ୍ରାୟ ୧୫/୧୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଗାଁରେ କିଛି ରାସ୍ତା ତିଆରି ହେଲା । ହେଲେ ଗାଁର ସବୁ ଅଞ୍ଚଳରେ ରାସ୍ତା କଂକ୍ରିଟ ହୋଇ ପାରି ନଥିବାରୁ ଅଧ ରାସ୍ତାରେ କାଦୁଅ ଓ ଖାଲଖମା ଭରି ରହିଛି । ରାସ୍ତା ସଂକୀର୍ଣ୍ଣ ଥିବା ସମୟରେ ବିଜୁଳି ପୋଲ ରାସ୍ତା କଡରେ ଥିଲା । ହେଲେ ରାସ୍ତା ଚଉଡ଼ା ହେବା ପରେ ବର୍ତ୍ତମାନ ବିଜୁଳି ଖୁଣ୍ଟଗୁଡିକ ରାସ୍ତା ମଝିରେ ଅଛି। ଫଳରେ ଯେଉଁ ସମସ୍ୟାକୁ ସେହି ସମସ୍ୟା ଲାଗି ରହିଛି ।
ଗାଁ ରାସ୍ତାକୁ କଂକ୍ରିଟ କରିବା ସହିତ ରାସ୍ତା ମଝିରେ ଥିବା ବିଜୁଳି ଖୁଣ୍ଟକୁ ସ୍ଥାନାନ୍ତରିତ କରିବାକୁ ଗ୍ରାମବାସୀ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଗୁହାରୀ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ।
ଏ ସମ୍ପର୍କରେ ଶିହିନୀ ଗ୍ରାମବାସୀ ଦୋଳଗୋବିନ୍ଦ ମାଝୀ କହିଛନ୍ତି, ଗାଁର ଉନ୍ନତି ପାଇଁ ଆମ ନିଜ ଘର ଭାଙ୍ଗିଦେଲୁ। ଅବସ୍ଥା ମାତ୍ର ପୂରା ଖରାପ ରହିଛି। ଅଧା କାମ ହେଉଛି। ଅଧା ରହିଛି। ରାସ୍ତା ମଝିରେ ଇଲେକ୍ଟି ଖୁଣ୍ଡ ରହିଥିବା ବେଳେ ତାକୁ ଉଠାଇବାକୁ ବ୍ୟବସ୍ଥା କରାଯାଉ ନାହିଁ।
ଏ ସମ୍ପର୍କରେ ବିଦ୍ୟୁତ୍ ବିଭାଗ ନିର୍ବାହୀ ଯନ୍ତ୍ରୀ ଶ୍ରୀନିବାସ ସ୍ୱାଇଁ କହିଛନ୍ତି, ଏଷ୍ଟିମେଟ ଦିଆଯାଇଛି। ଡିପୋଜିଟ ହେଲେ କାମ ଆରମ୍ଭ ହେବ।
The post ରାସ୍ତା ପାଇଁ ନିଜ ଘର ଭାଙ୍ଗିଲେ ଗ୍ରାମବାସୀ, ତଥାପି ଶୁଣୁନାହାନ୍ତି ଅଧିକାରୀ appeared first on Odisha Reporter.
from Odisha Reporter https://ift.tt/353Dijo
No comments:
Post a Comment