ଲକ୍ଷ୍ନୌ: ଲଭ୍ ଜିହାଦକୁ ନେଇ ବିବାଦ ଚାଲିଥିବା ବେଳେ ବଳପୂର୍ବକ ଧର୍ମାନ୍ତୀକରଣ ବିରୋଧରେ ରୋକ ଲଗାଇବାକୁ ଉତ୍ତର ପ୍ରଦେଶ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏଣିକି କେହି ବିବାହ କିମ୍ବା ଅନ୍ୟ କାର୍ଯ୍ୟ ପାଇଁ ବେଆଇନ ଭାବେ କାହାର ଧର୍ମାନ୍ତୀକରଣ କରେ, ତା’ହେଲେ ତା’କୁ ୧୦ ବର୍ଷ ଯାଏ ଜେଲଦଣ୍ଡ ମିଳିବ।
ଏନେଇ ଉତ୍ତର ପ୍ରଦେଶ ସରକାର ଗୋଟିଏ ଅଧ୍ୟାଦେଶ ଜାରି କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ତାଙ୍କ କ୍ୟାବିନେଟ୍ ଏହି ଅଧ୍ୟାଦେଶ ଉପରେ ମୋହର ମାରିବା ପରେ ଏହା ତତ୍କାଳ ଭାବେ ରାଜ୍ୟରେ ଲାଗୁ ହୋଇଛି।
ଅଧ୍ୟାଦେଶରେ କୁହାଯାଇଛି ଯେ ବଳପୂର୍ବକ ଧର୍ମାନ୍ତୀକରଣ ରାଜ୍ୟରେ ଏକ ଦଣ୍ଡନୀୟ ଅପରାଧ। ଯିଏ ଏଭଳି କାର୍ଯ୍ୟରେ ସାମିଲ ହେବ, ତା’କୁ ୧୦ ବର୍ଷ ଯାଏ ଜେଲ ଦଣ୍ଡ ସହ ୧୫ରୁ ୫୦ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ। ସେହିପରି ଧର୍ମାନ୍ତୀକରଣ କରି ହୋଇଥିବା ବିବାହକୁ ମଧ୍ୟ ଅବୈଧ ଘୋଷଣା କରାଯିବ।
ସରକାରଙ୍କ ମୁଖପାତ୍ର କହିଛନ୍ତି, ଉତ୍ତର ପ୍ରଦେଶରେ ଆଇନ ଶୃଙ୍ଖଳା ବଜାୟୀ ରଖିବା ପାଇଁ ଏହି ଅଧ୍ୟାଦେଶ ଜରୁରୀ ଥିଲା। ମହିଳା ଓ ବିଶେଷ କରି ଏସସି/ଏସଟି ସଂପ୍ରଦାୟକୁ ନ୍ୟାୟ ଦେବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି। ବାହାଘର ପାଇଁ ରାଜ୍ୟରେ ବଳପୂର୍ବକ ଧର୍ମାନ୍ତୀରକଣ ସଂଖ୍ୟା ବଢ଼ିବାରେ ଲାଗିଛି। ଏ ସଂକ୍ରାନ୍ତରେ ୧୦୦ରୁ ଅଧିକ ମାମଲା ସାମ୍ନାକୁ ଆସିଲାଣି। ଏହାକୁ ରୋକିବା ପାଇଁ ଅଧ୍ୟାଦେଶ ଅଣାଯିବ। ହାଇକୋର୍ଟ ମଧ୍ୟ ବାହାଘର ପାଇଁ ବଳପୂର୍ବକ ଧର୍ମାନ୍ତୀକରଣକୁ ବେଆଇନ ବୋଲି କହିଛନ୍ତି।
ଯଦି ଏସସି/ଏସଟି ମହିଳାଙ୍କୁ ବଳ ପୂର୍ବକ ଧର୍ମାନ୍ତୀକରଣ କରାଯାଏ, ତା’ହେଲେ ୩ରୁ ୧୦ ବର୍ଷ ଯାଏ ଜେଲଦଣ୍ଡ ଓ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିବ। କମ୍ୟୁନିଟି କିମ୍ବା ମାସ୍ ଧର୍ମାନ୍ତୀକରଣ ପାଇଁ ୩ରୁ ୧୦ ବର୍ଷ ଯାଏ ଜେଲ ଦଣ୍ଡ ଓ ସଂପୃକ୍ତ ସଂଗଠନ ଉପରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଲାଗୁ କରାଯିବ। ସେହିପରି ଉକ୍ତ ସଂଗଠନର ଲାଇସେନ୍ସ ମଧ୍ୟ ବାତିଲ କରାଯିବ।
ଯଦି କେହି ବାହାଘର ପାଇଁ ନିଜ ଇଚ୍ଛାରେ ଧର୍ମ ପରିବର୍ତ୍ତନ କରିବାକୁ ଚାହାନ୍ତି, ତା’ହେଲେ ତାଙ୍କୁ ଦୁଇ ମାସ ପୂର୍ବରୁ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ନୋଟିସ ଦେବାକୁ ପଡ଼ିବ। ଏହାକୁ ନ ମାନିଲେ ସଂପୃକ୍ତ ଲୋକଙ୍କୁ ୧୦ ହଜାର ଟଙ୍କା ଯାଏ ଜୋରିମାନା ଓ ୬ ମାସରୁ ୩ ବର୍ଷ ଯାଏ ଜେଲଦଣ୍ଡ ମିଳିବ।
The post ଏଣିକି ବଳପୂର୍ବକ ଧର୍ମାନ୍ତୀକରଣ କଲେ ୧୦ ବର୍ଷ ଜେଲ୍ appeared first on Odisha Reporter.
from Odisha Reporter https://ift.tt/3nSaJvM
No comments:
Post a Comment