ଥିରୁଅନନ୍ତପୁରମ: ଖ୍ରୀଷ୍ଟ୍ରମାସ ଅବସରରେ ଜଣେ ୨୮ ବର୍ଷୀୟ ଯୁବକ ନିଜ ସ୍ତ୍ରୀକୁ ବିଦ୍ୟୁତ ଆଘାତ ଦେଇ ହତ୍ୟା କରିଛି। କିଛି ମାସ ତଳେ ଉଭୟଙ୍କର ବିବାହ ହୋଇଥିଲା। ମୃତକ ମହିଳା ହେଉଛନ୍ତି ଶଖାକୁମାରୀ (୫୧)। ଶନିବାର ତାଙ୍କର ମୃତ ଶରୀର ଉଦ୍ଧାର ହୋଇଛି। କେରଳର ଥିରୁଅନନ୍ତପୁରମ ଜିଲ୍ଲାର କରାକୋନମ ଅଞ୍ଚଳରେ ଶଖାକୁମାରୀ ଏବଂ ତାଙ୍କ ସ୍ୱାମୀ ଅରୁଣ ରହୁଥିଲେ।
ବିଦ୍ୟୁତ ଆଘାତ ଲାଗିବା ପରେ ଅରୁଣ ଏକ ହସ୍ପିଟାଲରେ ଶଖାକୁମାରୀଙ୍କୁ ଭର୍ତ୍ତି କରାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରାଥମିକ ତଦନ୍ତ ବେଳେ ଅରୁଣ କହିଥିଲା ଖ୍ରୀଷ୍ଟମାସ ଅବସରରେ ଘର ଚାରିକଡ଼େ ଫ୍ୟାନସି ଲାଇଟ୍ ଲାଗିଥିଲା। କୌଣସି କାରଣରୁ ତାଙ୍କ ସ୍ତ୍ରୀ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ।
ତେବେ ପୁଲିସ ତାଙ୍କ ଘରକୁ ଯାଇ ତଦନ୍ତ କରିବା ପରେ ରକ୍ତ ଦାଗ ଦେଖିବାକୁ ପାଇଥିଲା। ଏହାପରେ ପୁଲିସ ଅରୁଣକୁ ଘନ ଘନ ଜେରା କରିବା ଆରମ୍ଭ କରିଥିଲା। ପରେ ଜଣାପଡ଼ିଥିଲା ଉଭୟ ମାସେ ତଳେ ବିବାହ କରିଥିଲେ। ଆଉ ଦୁଇ ଜଣଙ୍କ ମଧ୍ୟରେ କଳି ଝଗଡ଼ା ଲାଗି ରହୁଥିଲା। ଅରୁଣ ଛାଡପତ୍ର ଦେବ ବୋଲି କହୁଥିଲା। ହେଲେ ଶଖା ଛାଡପତ୍ର ନେବେନି ବୋଲି ଅଡି ବସିଥିଲେ।
ପୁଲିସ ଆଗରେ ସତ ସ୍ୱୀକାର କରି ଅରୁଣ କହିଛି ଯେ ପୂର୍ବରୁ ମଧ୍ୟ ଶଖାକୁମାରୀଙ୍କୁ ବିଦ୍ୟୁତ୍ ଆଘାତ ଦେଇ ହତ୍ୟା କରିବାକୁ ଚେଷ୍ଟା କରିଥିଲା। ହେଲେ ବିଫଳ ହୋଇଥିଲା। ପରେ ଦ୍ୱିତୀୟ ଥର ସଫଳ ହୋଇଛି। ସ୍ତ୍ରୀର ସମ୍ପତ୍ତିକୁ ନିଜ ନାଁରେ କରିବା ଉଦ୍ଦେଶ୍ୟରେ ଅରୁଣ ଏଭଳି କରିଛି ବୋଲି ପୁଲିସ ଆଗରେ ସ୍ୱୀକାର କରିଛି।
The post ୫୧ ବର୍ଷୀୟ ସ୍ତ୍ରୀକୁ କରେଣ୍ଟ ଦେଇ ହତ୍ୟା କଲା ୨୮ ବର୍ଷୀୟ ଯୁବକ appeared first on Odisha Reporter.
from Odisha Reporter https://ift.tt/2M3CfbY
No comments:
Post a Comment