ଭଦ୍ରକ(ପାର୍ଥସାରଥୀ ନାୟକ): ଦୀର୍ଘ ମାସର କୋଭିଡ କଟକଣା ଯୋଗୁ ଭକ୍ତ ଓ ଭଗବାନ ମଧ୍ୟରେ ସୃଷ୍ଟି ହୋଇଥିବା ଦୂରତା କ୍ରମଶଃ କମ୍ ହେବାରେ ଲାଗିଛି। ପ୍ରଭୁଙ୍କ ଦୁଆର ଖୋଲିବାକୁ ଭକ୍ତଙ୍କ ଦୀର୍ଘ ଦିନର ଆକଳୁ ନିବେଦନ ପରେ ଏବେ ବିଭିନ୍ନ ଜିଲ୍ଲାରେ ଥିବା ଧର୍ମାନୁଷ୍ଠାନ ଖୋଲିବାରେ ଲାଗିଛି। ପ୍ରଥମେ ପୁରୀ ଜିଲ୍ଲାର ଶ୍ରୀମନ୍ଦିର ସମେତ ଅନ୍ୟ ଧର୍ମାନୁଷ୍ଠାନ ଖୋଲିସାରିଥିବା ବେଳେ ଗତକାଲି ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବାର ସୌଭାଗ୍ୟ ପାଇଛନ୍ତି ଭକ୍ତ।
ଏହାପରେ ଆଜିଠୁ ଖୋଲିଛି ଭଦ୍ରକ ଆରଡିସ୍ଥିତ ବାବା ଆଖଣ୍ଡଳମଣିଙ୍କ ମନ୍ଦିର। ପୁରୀ ଶ୍ରୀମନ୍ଦିର ପରି ଆଜି ଓ ଆସନ୍ତାକାଲି ସେବାୟତଙ୍କ ପରିବାରଙ୍କୁ ଦର୍ଶନ ଅନୁମତି ମିଳିଛି । ତା’ପର ଦୁଇ ଦିନ ଅର୍ଥାତ୍ ୩୦ ଓ ୩୧ ତାରିଖ ସ୍ଥାନୀୟ ପଞ୍ଚାୟତର ଶ୍ରଦ୍ଧାଳୁମାନେ ଦର୍ଶନ କରିବେ ।
ଜାନୁଆରୀ ୧ ଓ ୨ ତାରିଖ ମନ୍ଦିର ବନ୍ଦ ରହିବ । ୩ ତାରିଖରୁ ସାଧାରଣ ଶ୍ରଦ୍ଧାଳୁଙ୍କୁ ବାବା ଆଖଣ୍ଡଳମଣିଙ୍କ ଦର୍ଶନ ଅନୁମତି ମିଳିବ। ତେବେ ମନ୍ଦିରକୁ ପ୍ରବେଶ ପୂର୍ବରୁ ମାସ୍କ ଓ ସାନିଟାଇଜର ବାଧ୍ୟତାମୂଳକ କରାଯାଇଛି। ସେବାୟତମାନଙ୍କ ଲାଗି ପରିଚୟପତ୍ର ବାଧ୍ୟତାମୂଳକ ରହିବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ଗତ ୨୩ ତାରିଖରୁ ପୁରୀ ଶ୍ରୀମନ୍ଦିର ଖୋଲିଥିବା ବେଳେ ପ୍ରଥମ ତିନି ଦିନ ସେବାୟତଙ୍କ ପରିବାରବର୍ଗଙ୍କୁ ଶ୍ରୀଜିଉଙ୍କ ଦର୍ଶନର ସୌଭାଗ୍ୟ ପ୍ରାପ୍ତି ହୋଇଥିଲା । ପରେ ୨୬ତାରିଖରୁ ପୁରୀ ସହରବାସୀ ଜଗା ଦର୍ଶନ କରୁଥିବା ବେଳେ ଏହା ଆସନ୍ତା ୩୧ ତାରିଖ ଯାଏ ଲାଗି ରହିବ ।
ଅଧିକ ଗହଳି ଆଶଙ୍କାରେ ଜାନୁଆରୀ ୧ ଓ ୨ ତାରିଖ ମନ୍ଦିର ବନ୍ଦ ରହିବ। ଏହାପରେ ଜାନୁଆରୀ ୩ରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ଜିଲ୍ଲା ବାହାର ଭକ୍ତମାନେ ଏହି ଦିନଠାରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ତେବେ ପୁରୀ ବାହାରର ଭକ୍ତଙ୍କ ଲାଗି କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ୬୫ବର୍ଷରୁ ଅଧିକ ଓ ୧୦ବର୍ଷରୁ କମ୍ ପିଲାଙ୍କୁ କରୋନା ସଂକ୍ରମଣ ଦୃଷ୍ଟିରୁ ବର୍ତ୍ତମାନ ସମୟରେ ଦର୍ଶନ ପାଇଁ ବାରଣ କରାଯାଇଛି। ଜାନୁଆରୀ ୩ରୁ ଠାକୁରଙ୍କୁ ବଲ୍ଳଭ ଭୋଗ ପରଠୁ ରାତି ପହୁଡ଼ ଯାଏଁ ଶ୍ରଦ୍ଧାଳୁଙ୍କୁ ଦର୍ଶନ କରିବାକୁ ସୁଯୋଗ ମିଳିବ।
ସେହିପରି ଗତକାଲିଠୁ ଖୋଲିଛି ଲିଙ୍ଗରାଜ ମନ୍ଦିର। କୋଭିଡ କଟକଣା ମଧ୍ୟରେ ଠାକୁରଙ୍କୁ ପ୍ରଥମେ ଦେଖିବାର ସୁଯୋଗ ପାଇଛନ୍ତି ସେବାୟତ ଓ ତାଙ୍କ ପରିବାର ସଦସ୍ୟ। ଶୃଙ୍ଖଳିତ ଦର୍ଶନ ପାଇଁ ବିଏମ୍ସି ପକ୍ଷରୁ ମନ୍ଦିର ବାହାରେ ବାରିକେଡ କରାଯାଇଥିଲା। ଏହାପରେ ମନ୍ଦିର ମୁଖ୍ୟଦ୍ୱାର ସମ୍ମୁଖରେ ପରିଚୟପତ୍ର ଦେଖାଇ ଭିତରକୁ ପ୍ରବେଶ କରିଥିଲେ। ପ୍ରବେଶ ଦ୍ୱାରରେ ସମସ୍ତ ଶ୍ରଦ୍ଧାଳୁଙ୍କ ସ୍କ୍ରିନଂ କରାଯାଇଥିଲା।
ଅପରପକ୍ଷେ ବିଏମ୍ସି ପକ୍ଷରୁ ମନ୍ଦିରର ସମସ୍ତ ସେବାୟତଙ୍କ କୋଭିଡ ଟେଷ୍ଟ ମଧ୍ୟ କରାଯାଇଥିଲା। ତେବେ ପ୍ରଥମ ଦିନରେ ଗତକାଲି ମୋଟ ୧୩୨ ଜଣ ସେବାୟତ ଓ ସେମାନଙ୍କ ପରିବାର ସଦସ୍ୟ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିଥିବା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ କହିଛନ୍ତି।
The post ଖୋଲିଲା ବାବା ଆଖଣ୍ଡଳମଣିଙ୍କ ମନ୍ଦିର, ପ୍ରଥମେ ସେବାୟତ ପରିବାରବର୍ଗଙ୍କ ପାଳି appeared first on Odisha Reporter.
from Odisha Reporter https://ift.tt/2KCYuoM
No comments:
Post a Comment