ନୂଆଦିଲ୍ଲୀ: ସ୍କୁଲ ଯିବା ବୟସର ପିଲାଙ୍କୁ ଦିଆଯାଉଛି ଚୋରି କରିବାର ପ୍ରଶିକ୍ଷଣ। ଏହା ପୁଣି ସେମାନଙ୍କ ପିତାମାତାଙ୍କ ଜ୍ଞାତସାରରେ। କେବଳ ଏତିକି ନୁହେଁ ସେମାନଙ୍କୁ ଲିଜ୍ରେ ନିଆଯାଉଛି। ଆଉ ଏଥିନିମନ୍ତେ ସେମାନଙ୍କ ବାପାମା’ ଦିଆଯାଉଛି ମୋଟା ଅଙ୍କର ଅର୍ଥ। ଏପରିକି ପ୍ରତି ପିଲା ପିଛା ଲିଜ୍ରେ ନେବା ନିମନ୍ତେ ସେମାନଙ୍କ ପରିବାରକୁ ଦିଆଯାଉଛି ୧୦ରୁ ୧୨ ଲକ୍ଷ ଟଙ୍କା।
ଏହା ଯେକୌଣସି ଲୋକକୁ ଚକିତ କରିଦେବା ପରି ଘଟଣା ହୋଇଥିଲେ ମଧ୍ୟ ଏହା ବାସ୍ତବରେ ଘଟୁଛି। ମଧ୍ୟପ୍ରଦେଶର ରାଜଗାଢ ଜିଲ୍ଲାର ଗୁଲଖେଡି, କଡ଼ିଆ ଓ ସିଲଖେଡି ନାମକ ୩ଟି ଗାଁର ବହୁ ସଂଖ୍ୟକ ପିଲା ବାହାଘର ସିଜିନ୍ରେ ଗାଏବ ହୋଇଯାଉଛନ୍ତି। ଏହି ପିଲାଙ୍କ ବୟସ ୯ରୁ ୧୫ ମଧ୍ୟରେ ରହୁଛି। ଏହି ପିଲାଙ୍କ ଗାଏବ ନେଇ ଖୋଳତାଡ଼ କରୁକରୁ ମିଳିଥିବା ତଥ୍ୟକୁ ଦେଖି ପୁଲିସ୍ ଓ କ୍ରାଇମବ୍ରାଞ୍ଚ ଅଧିକାରୀ ବି ଚକିତ ହୋଇଯାଇଛନ୍ତି।
ସାଧାରଣତଃ ବିବାହ ଉତ୍ସବ ନିମନ୍ତେ ଉତ୍ତର ଭାରତକୁ ଯାଉଥିବା ‘ବ୍ୟାଣ୍ଡ ବାଜା ବାରାତ’ରେ ଏହି ପିଲାମାନଙ୍କୁ ସାମିଲ କରାଯାଇଥାଏ। ଏପରି ପିଲାଙ୍କୁ ସେମାନଙ୍କ ମାତାପିତା ଦ୍ୱାରା ନିଲାମ କରାଯାଇଥାଏ । ଏପରି ଗ୍ୟାଙ୍ଗର ସଦସ୍ୟ ଦିଲ୍ଲୀ, ଏନସିଆର, ଲୁଧିଆନା ଓ ଚଣ୍ଡିଗଡ଼ ପରି ସହରରେ ହେଉଥିବା ବଡ଼ ବଡ଼ ବିବାହ ଉତ୍ସବରେ ନଗଦ ଟଙ୍କା ସମେତ ଅଳଙ୍କାର ଚୋରି କରୁଥିବା ଜଣାଯାଇଛି।
ଗୋଟେ ପିଲାକୁ ଲିଜ୍ ନେବା ନିମନ୍ତେ ବର୍ଷକୁ ତା ପରିବାରକୁ ୧୦ରୁ ୧୨ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଦେବାକୁ ପଡ଼ିଥାଏ। ଗ୍ୟାଙ୍ଗ ତରଫରୁ ପିଲାର ବାପମା’ଙ୍କୁ ଏହା ଦିଆଯାଇଥାଏ। କିଛି ଦିନ ପୂର୍ବେ ଏକ ଗ୍ୟାଙ୍ଗର ୭ ସଦସ୍ୟ ଧରାପଡ଼ିଥିବା ବେଳେ ସେମାନଙ୍କ ମଧ୍ୟରେ ୨ ଜଣ କିଶୋର ଥିଲେ।
ଏପରି ପିଲାଙ୍କୁ ଦିଲ୍ଲୀ ଆଣିବା ପରେ ପ୍ରଥମେ ଏକ ମାସର ପ୍ରଶିକ୍ଷଣ ଦିଆଯାଇଥାଏ। ଯେଉଁଥିରେ କି ଚୋରି କିପରି କରାଯାଇଥାଏ, କାର୍ଯ୍ୟକ୍ରମ ସ୍ଥଳରେ କିପରି ଲୋକଙ୍କ ସହ ମିଶିବ ସେ ସମ୍ପର୍କରେ ଟ୍ରେନିଂ ଦିଆଯାଇଥାଏ। ଏପରିକି ମାନସିକ ଓ ଶାରୀରିକ ରୂପେ ମଧ୍ୟ ବିଭିନ୍ନ ପରିସ୍ଥିତିର ମୁକାବିଲା ନିମନ୍ତେ ସେମାନଙ୍କୁ ପ୍ରସ୍ତୁତ କରାଯାଇଥାଏ। ଯାହାଦ୍ୱାରା କି ଗିରଫ ହେବା ପରେ ବି ସେମାନେ ନିଜ ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କ ନାଁ ପୁଲିସ୍ ସମ୍ମୁଖରେ ପ୍ରକାଶ କରନ୍ତି ନାହିଁ।
ଏପରି ବିବାହ ଉତ୍ସବରେ କିପରି ସାମିଲ ହେବେ, କିପରି ଖାଦ୍ୟ ଖାଇବେ, ବସ୍ତ୍ର ପିନ୍ଧିବେ ସେ ସମ୍ପର୍କରେ ମଧ୍ୟ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଏ। ଏପରି ଗ୍ୟାଙ୍ଗରେ ବୟସ୍କ ପୁରୁଷ, ମହିଳା ମଧ୍ୟ ସାମିଲ ହୋଇଥାନ୍ତି, ଯେଉଁମାନେ ପିଲାମାନଙ୍କୁ ବିବାହ ଉତ୍ସବରେ ସାମିଲ କରିବାକୁ ନେଇଥାନ୍ତି। ଏହାପରେ ସେମାନେ ବାହାରେ ଅଟୋରିକ୍ସା କିମ୍ବା ମୋଟରସାଇକେଲରେ ଅପେକ୍ଷା କରିଥାନ୍ତି।
ଏ ସମ୍ପର୍କରେ ଡିସିପି କ୍ରାଇମ ଭିଷ୍ମ ସିଂ କହିଛନ୍ତି, ମଧ୍ୟପ୍ରଦେଶର ୩ଟି ଗାଁରୁ ମୁଖ୍ୟତଃ ବିବାହ ସିଜିନ୍ରେ ଏହି ପିଲାଙ୍କୁ ଲିଜରେ ନିଆଯାଇଥାଏ। ଏହାପରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ଲୁଟ୍ ନିମନ୍ତେ ପ୍ରସ୍ତୁତ କରାଯାଏ।
କ୍ରାଇମବ୍ରାଞ୍ଚ ଏସିପି ଶିବେଶ ସିଂଙ୍କ କହିବାନୁଯାୟୀ, ଏହି ପିଲାମାନେ ସବୁବେଳେ ସୁଯୋଗ ଅପେକ୍ଷାରେ ଥାନ୍ତି। କେବେ ବି ତରତର ହୋଇ ସେମାନେ କୌଣସି ପଦକ୍ଷେପ ଉଠାଇ ନ ଥାନ୍ତି। ପ୍ରଥମେ ସେଠାକାର ଲୋକଙ୍କ ସହ ମିଶିଥାନ୍ତି। ଏହାପରେ ସୁଯୋଗ ଦେଖି ଗିଫ୍ଟ ପ୍ୟାକ, ନଗଦ ଟଙ୍କା, ଅଳଙ୍କାର ଧରି ଫେରାର ହୋଇଯାଇଥାନ୍ତି।
The post ଲିଜ୍ରେ ଯାଇ ପିଲା କରୁଛନ୍ତି ଏପରି କାମ, ବାପାମା’ ପାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା appeared first on Odisha Reporter.
from Odisha Reporter https://ift.tt/3n2UBrq
No comments:
Post a Comment