ପୁରୀ(ଓଡ଼ିଶା ରିପୋର୍ଟର): “ଆମକୁ ସେବାୟତ ଉପାଧି ମିଳିଛି। ହେଲେ ପ୍ରଶାସନିକ ଅବହେଳା ଯୋଗୁ ପରିଚୟପତ୍ର ମିଳିନି। ଫଳରେ ଭାବର ଠାକୁରଙ୍କ ଦର୍ଶନରୁ ବଞ୍ଚିତ ହେଉଛୁ।” ଏପରି ଭାବେ ନିଜ କ୍ଷୋଭ ପ୍ରକାଶ କରିଛନ୍ତି କାଳିଆ ଦର୍ଶନରୁ ଆଜି ବଞ୍ଚିତ ହୋଇଥିବା ଜଣେ ନାଗାସାଧୁ।
ଦୀର୍ଘ ମାସ ଧରି କରୋନା କଟକଣା ଲାଗି ରହିଥିବା ବେଳେ ଆଜିଠୁ ଶ୍ରୀମନ୍ଦିର ଖୋଲିଛି। ପ୍ରଥମେ ସେବାୟତଙ୍କ ପରିବାରକୁ ମିଳିଛି କାଳିଆ ସାଆନ୍ତଙ୍କ ଦର୍ଶନ ସୁଯୋଗ। ହେଲେ ଆଜି ବଡ଼ ଦେଉଳ ଖୋଲୁଥିବା ଖବର ପାଇ ଜଣେ ନାଗା ସାଧୁ ପ୍ରଭୁଙ୍କ ଦର୍ଶନ ପାଇଁ ଧାଇଁ ଯାଇଥିଲେ। ନାଗାସାଧୁ ଜଣଙ୍କ ୨୨ ପାହାଚ ପର୍ଯ୍ୟନ୍ତ ପଳାଇ ଯାଇଥିଲେ ମଧ୍ୟ ସୁରକ୍ଷାକର୍ମୀମାନେ ତାଙ୍କୁ ବାହାରକୁ ନେଇଆସିଥିଲେ ।
ଏହାକୁ ନେଇ କ୍ଷୋଭ ପ୍ରକାଶ କରି ନାଗାସୁଧୁଜଣକ କହିଛନ୍ତି, ସେ ଭାବର ଠାକୁର। ତାଙ୍କ ଇଚ୍ଛା ବିନା ପତ୍ର ବି ହଲେନି। ବଡ଼ ଠାକୁରଙ୍କୁ ଟିକେ ଆଖି ପୂରାଇ ଦେଖିବାକୁ ୨୨ ପାହାଚରେ ଦୌଡ଼ି ଦୌଡ଼ି ଯାଇଥିଲି। ହେଲେ ସେତିକି ବି ପୂରଣ ହୋଇପାରିଲାନି।”
ପ୍ରଥମ ୩ ଦିନ ସେବାୟତଙ୍କ ପରିବାରକୁ ପ୍ରଭୁଙ୍କ ଦର୍ଶନ ସୁବିଧା ମିଳିଛି। ଆମକୁ ସେବାୟତ ଉପାଧି ମିଳିଥିଲେ ମଧ୍ୟ ପ୍ରଶାସନିକ ଅବହେଳାରୁ ଆଜି ପରିଚୟପତ୍ର ମିଳିନି ବୋଲି ସେ କହିଛନ୍ତି।
ନାଗା ସାଧୁଜଣକ କହିଛନ୍ତି, “ଲଙ୍ଗୁଳି ମଠରେ ରହୁଥିଲି। ସବୁବେଳେ ଧ୍ୟାନ ଥାଏ କେତେବେଳେ ଦୁଆର ଖୋଲାହେବ। ଯେତେବେଳେ ସେବାୟତଙ୍କ ପାଇଁ ବଡ଼ ଦେଉଳ ଖୋଲା ହୋଇଥିବା ଖବର ପାଇଲି ଧାଇଁ ଆସିଲି। ହେଲେ ପ୍ରଶାସନିକ ଅବହେଳାରୁ କାଳିଆ ସାଆନ୍ତଙ୍କୁ ଦେଖି ପାରିଲିନି। ଲଙ୍ଗୁଳି ମଠର ସେବାୟତ ମନ୍ଦିରକୁ ମଶାଲ ନେଇ ଯାଉଥିଲେ। କିନ୍ତୁ କାଳକ୍ରମେ ସବୁ ପରମ୍ପରା ଲୋପ ପାଇବାକୁ ବସିଲାଣି। ଏଥିପ୍ରତି ପ୍ରଶାସନର ନିଘା ନାହିଁ। ଏହା ବହୁତ ଦୁଃଖର କଥା।”
ପୁରୀ ଶ୍ରୀମନ୍ଦିର ସମ୍ମୁଖରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ପରିଚୟପତ୍ର ଦେଖାଇ ସେବାୟତଙ୍କ ପରିବାରକୁ ଛଡ଼ାଯାଉଛି। ଏପରି ସ୍ଥିତିରେ ନାଗା ସାଧୁଜଣକ କିପରି ୨୨ ପାହାଚ ପର୍ଯ୍ୟନ୍ତ ଯିବାକୁ ସକ୍ଷମ ହେଲେ ତାକୁ ନେଇ ନାନା ଆଲୋଚନା ହେଉଛି।
The post ଶ୍ରୀମନ୍ଦିରରେ ନାଗାସାଧୁଙ୍କ ପ୍ରବେଶ ଉଦ୍ୟମ, କହିଲେ ‘ଭାବର ଠାକୁରଙ୍କୁ ଦେଖି ପାରିଲାନି’ appeared first on Odisha Reporter.
from Odisha Reporter https://ift.tt/2M5qNgh
No comments:
Post a Comment