ନୂଆଦିଲ୍ଲୀ: କରୋନା ଟିକା ପାଇଁ ଚାଲିଥିବା କାଉଣ୍ଟଡାଉନରେ ଖୁବଶୀଘ୍ର ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଆଷ୍ଟ୍ରାଜେନେକା ପ୍ରସ୍ତୁତ କରିଥିବା କରୋନା ଟିକାର ବ୍ୟବହାର ପାଇଁ ଆସନ୍ତା ସପ୍ତାହରେ ଭାରତ ସରକାର ଅନୁମତି ଦେବେ। କାରଣ ଟିକାର ପରୀକ୍ଷଣ ଓ ଉତ୍ପାଦନ ଦାୟିତ୍ୱ ନେଇଥିବା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ସରକାରଙ୍କ ଆବଶ୍ୟକ ଅନୁଯାୟୀ ଏବେ ଟିକାର ଟ୍ରାଏଲ ରେଜଲ୍ଟ ସମ୍ପର୍କରେ ଅଧିକ ତଥ୍ୟ ପ୍ରଦାନ କରିଛି।
ପୂର୍ବରୁ ହିଁ ସେରମ ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଭାରତ ସରକାରଙ୍କୁ ଅନୁମତି ମାଗିଥିଲେ। ଏବେ ସରକାରଙ୍କ ପାଖରେ ଟିକା କେତେ ସୁରକ୍ଷିତ, ତା’ର ରିପୋର୍ଟ ପହଞ୍ଚି ଯାଇଛି। ତେଣୁ ଆସନ୍ତା ସପ୍ତାହରେ ହିଁ ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମିଳିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।
ଭାରତ ସରକାର ଆସନ୍ତା ମାସରୁ ଦେଶରେ ଟିକାକରଣ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଜରୁରୀ କାଳୀନ ଅନୁମୋଦନ ଲାଭ କରିବା ତାଲିକାରେ ଫାଇଜର, ସ୍ପୁଟନିକ ଭି, ଭାରତ ବାୟୋଟେକ ଓ ଅକ୍ସଫୋର୍ଡ ଟିକା ରହିଥିଲା। ଏବେ ମିଳିଥିବା ସୂଚନା ଅନୁସାରେ ଅକ୍ସଫୋର୍ଡ ଟିକାକୁ ହିଁ ସରକାର ପ୍ରଥମେ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମୋଦନ ଦେଇପାରନ୍ତି।
ପୁଣେର ସେରମ ଇନଷ୍ଟିଚ୍ୟୁଟ ଚଳିତ ମାସ ଆରମ୍ଭରୁ ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମାଗିଥିଲା। ତେବେ ଡିସେମ୍ବର ୯ରେ ଭାରତର Central Drugs Standard Control Organization (CDSCO) ଜରୁରୀ କାଳୀନ ବ୍ୟବହାର ପାଇଁ ଆବେଦନ କରିଥିବା ୩ଟି ଯାକ କମ୍ପାନୀର ରିପୋର୍ଟକୁ ସମୀକ୍ଷା କରିଥିଲା।
ଏହାପରେ ସେରମ ସହ ଅନ୍ୟ ଦୁଇ କମ୍ପାନୀକୁ ଟିକାର ଟ୍ରାଏଲ ସମ୍ପର୍କରେ ଆଉ କିଛି ତଥ୍ୟ ମାଗିଥିଲା। ଏବେ ସେରମ ଟିକା ବାବଦରେ ସମସ୍ତ ତଥ୍ୟ ପ୍ରଦାନ କରିଛି। ଫାଇଜର ଓ ଭାରତ ବାୟୋଟେନର ରିପୋର୍ଟକୁ ମଧ୍ୟ ଅପେକ୍ଷା କରାଯାଇଛି। ଆଷ୍ଟ୍ରେଜେନେକା ଟିକା ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବା ପାଇଁ ଭାରତୀୟ ସ୍ୱାସ୍ଥ୍ୟ ଅଧିକାରୀମାନେ ନିୟମିତ ସେମାନଙ୍କ ବ୍ରିଟିଶ ପ୍ରତିପକ୍ଷଙ୍କ ସହ ଯୋଗାଯୋଗରେ ରହିଛନ୍ତି। ତେଣୁ ଆସନ୍ତା ସପ୍ତାହରେ ହିଁ ଅକ୍ସଫୋର୍ଡ ଟିକାକୁ ଭାରତରେ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମିଳିବ ବୋଲି ଏକ ପ୍ରକାରର ସ୍ପଷ୍ଟ ହୋଇଛି।
ଭାରତ ସମେତ ବ୍ରିଟେନ ଓ ବ୍ରାଜିଲରେ ମଧ୍ୟ ଅକ୍ସଫୋର୍ଡ ଟିକାର ପରୀକ୍ଷା କରାଯାଉଛି। ଚୂଡ଼ାନ୍ତ ପର୍ଯ୍ୟାୟର ଟ୍ରାଏଲ ରିପୋର୍ଟ ଅନୁଯାୟୀ, ଟିକାର ଦୁଇଟି ଫୁଲ ଡୋଜ୍ ନେଲେ ଏହା କରୋନାକୁ ୬୨% ମାତ୍ ଦେବାରେ ସକ୍ଷମ ହେଉଛି। ତେବେ ପ୍ରଥମେ ଅଧା ଓ ପରେ ଫୁଲ ଡୋଜ୍ ନେଲେ, ଏହା କରୋନାକୁ ୯୦% ମାତ ଦେଇପାରୁଥିବା ଜଣାପଡ଼ିଛି। ହେଲେ ପ୍ରଥମେ ଅଧା ଓ ପରେ ଫୁଲ ଡୋଜର ପରୀକ୍ଷାରେ ବହୁତ କମ ଲୋକ ସାମିଲ ହୋଇଥିଲେ।
ତେଣୁ ଏହାର ସଫଳତାକୁ ନେଇ ସାମାନ୍ୟ ସନ୍ଦେହ ପ୍ରକାଶ ପାଇଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ଭାରତରେ ଦୁଇଟି ଫୁଲ ଡୋଜ୍ ଟିକାକରଣ ଆରମ୍ଭ ହେବ ବୋଲି କୁହାଯାଉଛି। ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଟିକାରଣର ପ୍ରଥମ ପର୍ଯ୍ୟାୟରେ ସେରମ ପକ୍ଷରୁ ଭାରତ ସରକାରଙ୍କୁ ୫୦ରୁ ୬୦ ମିଲିୟନ ଟିକା ଦିଆଯିବ ବୋଲି ଜଣାପଡ଼ିଛି।
The post ଆସନ୍ତା ସପ୍ତାହରେ ଭାରତକୁ ମିଳିବ ଅକ୍ସଫୋର୍ଡ କରୋନା ଟିକା! appeared first on Odisha Reporter.
from Odisha Reporter https://ift.tt/38rKI09
No comments:
Post a Comment