ଅହମଦାବାଦ: ନିଜ ଜୀବନ ବଦଳରେ ସାତଟି ଜୀବନ ବଞ୍ଚାଇଛି ଏକ ଅଢ଼େଇ ବର୍ଷର ଶିଶୁପୁତ୍ର। ପଡ଼ୋଶୀଙ୍କ ଘରେ ଖେଳୁଥିବା ବେଳେ ଏହି ଅଢ଼େଇ ବର୍ଷର ଶିଶୁଟି ଦ୍ୱିତୀୟ ମହଲାର ବାଲକୋନୀରୁ ଖସି ପଡ଼ିଥିଲା। ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାକୁ ଡାକ୍ତରମାନେ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ। ପରେ ଶିଶୁଟିର ଅଙ୍ଗଦାନ କରିଛନ୍ତି ତାର ବାପା (ସଞ୍ଜୀବ ଓଝା) ଓ ମା’ (ଅର୍ଚ୍ଚନା)। ଫଳରେ ସାତ ଜଣ ପାଇଛନ୍ତି ନୂଆ ଜୀବନ।
ଘଟଣାଟି ଘଟିଛି ଗୁଜରାଟର ସୁରତ ଜିଲ୍ଲାରେ। ମୃତ ଶିଶୁଟିର ନାଁ ଯଶ ଓଝା। ତେବେ ମୃତ୍ୟୁ ପୂର୍ବରୁ ସବୁଠାରୁ କମ୍ ବୟସରେ ଅଙ୍ଗଦାନ କରିବାରେ କରିଗଲେ ଏକ ରେକର୍ଡ। ତାଙ୍କର ହୃତପିଣ୍ଡ, ଲିଭର, ଫୁସଫୁସ୍, କିଡନୀ ଓ ଆଖି ଦାନ କରିଗଲେ।
ଯଶର ହୃତପିଣ୍ଡ ଓ ଫୁସଫୁସ୍କୁ ବିମାନରେ ଚେନ୍ନାଇ ପଠାଯାଇଥିଲା। ଋଷିଆର ଜଣେ ୪ ବର୍ଷର ଶିଶୁ ଶରୀରରେ ତାଙ୍କ ହୃତପିଣ୍ଡ ପ୍ରତିରୋପଣ କରାଯାଇଛି। ସେହିପରି ଫୁସଫୁସକୁ ୟୁକ୍ରେନର ଜଣେ ୪ ବର୍ଷର ଶିଶୁ ଶରୀରରେ ପ୍ରତିରୋପଣ କରାଯାଇଛି। ଏହି ୨ଟି ଯାକ ପ୍ରତିରୋପଣ ଚେନ୍ନାଇର ଏକ ହସ୍ପିଟାଲରେ ହୋଇଛି। ସେଠାରେ ଏହି ଦୁଇ ବିଦେଶୀ ଶିଶୁ ବର୍ଷେ ହେଲା ଚିକିତ୍ସିତ ହେଉଥିଲେ।
ସେହିପରି ଯଶର କିଡ୍ନୀ ଦୁଇଟିକୁ ଜଣେ ୧୩ ବର୍ଷର ଝିଅ ଓ ଆଉ ଜଣେ ୧୭ ବର୍ଷର ଝିଅ ଶରୀରରେ ପ୍ରତିରୋପଣ କରାଯାଇଛି। ତାଙ୍କ ଲିଭରକୁ ପ୍ରତିରୋପଣ କରି ଏକ ୨ ବର୍ଷର ଝିଅର ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି ଡାକ୍ତର।
ବାଲକୋନୀରୁ ଖସି ପଡ଼ିବା ପରେ ସୁରତରେ ଯଶର ଚିକିତ୍ସା କରାଯାଉଥିଲା। ହେଲେ ଡିସେମ୍ବର ୧୪ରେ ଡାକ୍ତରମାନେ ତାର ବ୍ରେନ୍ ଡେଡ୍ ହୋଇଯାଇଥିବା ଘୋଷଣା କରିଥିଲେ। ଏହାପରେ ଯଶର ବାପାମା’ ଅଙ୍ଗଦାନ କରିବା ପାଇଁ ରାଜି ହୋଇଥିଲେ।
ଏହି ଅଙ୍ଗଦାନ ପ୍ରକ୍ରିୟାରେ ବଡ଼ ଭୂମିକା ଲିଭାଇଛି ଏନଜିଓ ସଂସ୍ଥା ‘ଡୋନେଟ ଲାଇଫ୍’। ଏହି ସଂସ୍ଥାର ପ୍ରତିଷ୍ଠାତା ନୀଲେଶ ମାଣ୍ଡଲେଓ୍ୱାଲା କହିଛନ୍ତି, ପୁଅର ମୃତ୍ୟୁ ପରେ ଓଝାଙ୍କ ପରିବାର ଦୁଃଖରେ ଥିଲେ। ହେଲେ ଏହାପରେ ବି ସେମାନେ ଅଙ୍ଗଦାନ ଭଳି ଏକ ମହତ କାମ କରିବାରେ ପଛଘୁଞ୍ଚା ଦେଇ ନାହାନ୍ତି। ଯଶର ଡାକ ନାମ ଥିଲା ‘ବାବୁ’। ବାଲକୋନୀରୁ ଖସି ପଡ଼ିବା ପରେ ସେ ସୁସ୍ଥ ହୋଇଯିବ ବୋଲି ତାଙ୍କ ମା’ ବିଶ୍ୱାସ ରଖିଥିଲେ। ହେଲେ ସେମିତି କିଛି ହେଲା ନାହିଁ।
The post ଅଢ଼େଇ ବର୍ଷର ଶିଶୁ ବଞ୍ଚାଇଲା ୭ ଜଣଙ୍କ ଜୀବନ appeared first on Odisha Reporter.
from Odisha Reporter https://ift.tt/38geZiA
No comments:
Post a Comment