ମେଲବର୍ଣ୍ଣ: ବକ୍ସିଂ ଡେ’ ଟେଷ୍ଟରେ ଚମକିଛନ୍ତି ଭାରତୀୟ ବୋଲର। ଆଜି ଠାରୁ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଟିମ୍ ଅଷ୍ଟ୍ରେଲିଆ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ପ୍ରଥମ ଦିନର ଲଞ୍ଚ ସୁଦ୍ଧା ଘରୋଇ ଅଷ୍ଟ୍ରେଲିଆ ୬୫ ରନ୍ରେ ୩ଟି ୱିକେଟ ହରାଇ ସଙ୍କଟରେ ପଡ଼ିଛି।
ଲଞ୍ଚ ବେଳକୁ ମାର୍ନସ ଲାବୁଶେନ ୨୬ ଓ ଟ୍ରାଭିସ ହେଡ୍ ୪ ରନ୍ କରି ଅପରାଜିତ ରହିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପ୍ରଥମ ଇନିଂସ୍ରେ ଦଳର ଦୁଇ ଷ୍ଟାର ବ୍ୟାଟସମ୍ୟାନ୍ ଜୋ ବ୍ରୁନ୍ସ ଓ ଷ୍ଟିଭ ସ୍ମିଥ ଖାତା ଖୋଲିବାକୁ ସକ୍ଷମ ହୋଇନାହାନ୍ତି।
ମେଲବର୍ଣ୍ଣ ଷ୍ଟାଡିୟମରେ ଅଷ୍ଟ୍ରେଲିଆର ଅଧିନାୟକ ଟିମ ପେନ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ତେବେ ଦଳ ୧୦ ରନ୍ରେ ପ୍ରଥମ ୱିକେଟ ହରାଇଥିଲା। ବ୍ରୁନ୍ସଙ୍କୁ ଖାତା ଖୋଲିବା ପୂର୍ବରୁ ଯଶପ୍ରୀତ ବୁମ୍ରାଙ୍କ ଶିକାର ବନିଥିଲେ। ଦ୍ୱିତୀୟ ୱିକେଟ ପାଇଁ ମାଥ୍ୟୁ ୱେଡ ଓ ଲାବୁଶେନ ୨୫ ରନ ଯୋଡ଼ିଥିଲେ।
ଏହି ସମୟରେ ରବି ଅଶ୍ୱିନ ୩୦ ରନ୍ କରିଥିବା ୱାଡେଙ୍କୁ ଆଉଟ କରି ଅଷ୍ଟ୍ରେଲିଆକୁ ଦ୍ୱିତୀୟ ଝଟକା ଦେଇଥିଲେ। ଦଳୀୟ ସ୍କୋର ୩୮ ବେଳେ ଘରୋଇ ଟିମ୍କୁ ବଡ଼ ଝଟକା ଲାଗିଥିଲା। ଷ୍ଟିଭ ସ୍ମିଥ ଖାତା ଖୋଲିବା ପୂର୍ବରୁ ହିଁ ଅଶ୍ୱିନଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଟ୍ରାଭିସ ହେଡ୍ ଲଞ୍ଚ ଯାଏ ଲାବୁଶେନଙ୍କ ସହ ମିଶି ଦଳକୁ ଆଉ କୌଣସି କ୍ଷତି ସହିବାକୁ ଦେଇନାହାନ୍ତି।
ଆଜି ଭାରତ ଏକାଧିକ ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇଛି। ରିଦ୍ଧିମାନ ସାହାଙ୍କ ବଦଳରେ ଋଷଭ ପନ୍ତ, ବିରାଟ କୋହଲିଙ୍କ ବଦଳରେ ରବୀନ୍ଦ୍ର ଜାଡେଜା, ପୃଥ୍ୱୀ ଶ’ଙ୍କ ବଦଳରେ ଶୁବମନ ଗିଲ ଓ ଆହତ ମହମ୍ମଦ ଶାମିଙ୍କ ବଦଳରେ ମହମ୍ମଦ ସିରାଜ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି। ଗିଲ ଓ ସିରାଜ ଆଜି ଭାରତ ପାଇଁ ଟେଷ୍ଟରେ ଡେବ୍ୟୁ କରିଛନ୍ତି।
The post ଅଷ୍ଟ୍ରେଲିଆର ବ୍ୟାଟିଂ ବିପର୍ଯ୍ୟୟ: ଖାତା ଖୋଲିପାରିଲେନି ସ୍ମିଥ ଓ ବ୍ରୁନ୍ସ appeared first on Odisha Reporter.
from Odisha Reporter https://ift.tt/3rutUP2
No comments:
Post a Comment