ପୁରୀ(ଓଡ଼ିଶା ରିପୋର୍ଟର): ଦୀର୍ଘ ଦିନ ପ୍ରତିକ୍ଷାର ଅନ୍ତ ହୋଇଛି। କରୋନା ମହାମାରୀ ଯୋଗୁ ପ୍ରାୟ ୯ ମାସରୁ ଊର୍ଦ୍ଧ୍ୱ ସମୟ ଧରି କାଳିଆ ସାଆନ୍ତକୁ ଦେଖିବାକୁ ବଞ୍ଚିତ ହୋଇଥିବା ପୁରୀବାସୀ ଆଜିଠୁ ପୁଣି ଆଖି ପୂରାଇ ନିଜ ପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ପାଇଛନ୍ତି। ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଆଜି ସକାଳୁ ଚଳଚଞ୍ଚଳ ହୋଇଉଠିଛି ବଡ଼ଦାଣ୍ଡ।
ସକାଳ ୭ଟା ୩୦ରୁ ଆରମ୍ଭ ହୋଇଯାଇଛି ଦର୍ଶନ ବ୍ୟବସ୍ଥା। ପୁରୀବାସୀଙ୍କ ପାଇଁ ୱାର୍ଡୱାରୀ ଦର୍ଶନ ବ୍ୟବସ୍ଥା କରାଯାଇଛି । ଆଜି ପ୍ରଥମ ଦିନରେ ୨/୩/୬/୯/୧୧/୧୨ ଓ ୧୫ ନମ୍ବର ଓ୍ୱାର୍ଡ ବାସିନ୍ଦା ଦର୍ଶନ କରିବେ । ଆଜିଠୁ ଆସନ୍ତା ୩୧ ତାରିଖ ଯାଏଁ ପୁରୀବାସୀ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।
ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସିଂହଦ୍ୱାର ସମ୍ମୁଖରେ ହୋଇଛି ବ୍ୟାରିକେଡ୍ । କୋଭିଡ ଗାଇଡ୍ଲାଇନ୍ ପାଳନର ତଦାରଖ କରାଯାଉଛି । ଏସ୍ପିଙ୍କ ନେତୃତ୍ୱରେ ୧୮ ପ୍ଲାଟୁନ ଫୋର୍ସ ସହ ୨ ଅତିରିକ୍ତ ଏସ୍ପି, ୬ ଡିଏସ୍ପି, ୯ ଇନ୍ସପେକ୍ଟର ମୁତୟନ ରହିଛନ୍ତି। ଶୃଙ୍ଖଳିତ ଦର୍ଶନ ପାଇଁ ୮ଟି କିଓସ୍କ ବ୍ୟବସ୍ଥା ହୋଇଛି। କିଓସ୍କରେ ଫଟୋ ଉତ୍ତୋଳନ ସହ ପରିଚୟପତ୍ର ଦେଖି ଭକ୍ତଙ୍କୁ ଛଡ଼ାଯାଉଛି।
ସୂଚନାଯୋଗ୍ୟ, ଗତ ୨୩ ତାରିଖରେ ପୁରୀ ଶ୍ରୀମନ୍ଦିର ଖୋଲାଯାଇଥିବା ବେଳେ ପ୍ରଥମ ୩ ଦିନ କେବଳ ସେବାୟତଙ୍କ ପରିବାର ସଦସ୍ୟଙ୍କୁ ଦର୍ଶନ ସୁବିଧା ମିଳିଥିଲା। ଆଜିଠୁ ପୁରୀବାସୀ ମହାପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ପାଉଥିବା ବେଳେ ଆସନ୍ତା ୩ ତାରିଖରୁ ସାଧାରଣ ଦର୍ଶନାର୍ଥୀଙ୍କୁ ଦର୍ଶନ ଅନୁମତି ମିଳିବ । ସକାଳ ସାଢ଼େ ୭ଟାରୁ ରାତି ପହୁଡ଼ ଯାଏ ଦର୍ଶନ ସୁଯୋଗ ମିଳିବ। ଦର୍ଶନ ପାଇଁ ଆସୁଥିବା ଲୋକେ କୋଭିଡ଼ ନେଗେଟିଭ ଦେଖାଇବା ଜରୁରୀ।
The post ଆଜିଠୁ ଜଗା ଦର୍ଶନ କରୁଛନ୍ତି ପୁରୀବାସୀ appeared first on Odisha Reporter.
from Odisha Reporter https://ift.tt/3mW2v56
No comments:
Post a Comment