ନବରଙ୍ଗପୁର(ନବଘନ ବିଶୋୟୀ) : ୩୦ ବର୍ଷ ହେଲା ସରକାର ଦାବି ଶୁଣୁ ନ ଥିବା ବେଳେ ବିସ୍ଥାପିତଙ୍କ ଥଇଥାନ ଦାବିରେ ଇନ୍ଦ୍ରାବତୀ ବଜାର ଆଜି ସକାଳୁ ୬ ଘଣ୍ଟା ପାଇଁ ବନ୍ଦ ରହିଛି। ଇନ୍ଦ୍ରାବତୀ ବୁଡ଼ି ଅଞ୍ଚଳ ଗଣ ପରିଷଦ ପକ୍ଷରୁ ଏହି ଡାକରା ଦିଆଯାଇଛି।
ଆଜି ସକାଳ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବଜାର ବନ୍ଦ ରଖିବାକୁ ପରିଷଦ ପକ୍ଷରୁ ଡାକରା ଦିଆଯାଇଛି। ଫଳରେ ଦୋକାନ, ବଜାର, ଗାଡ଼ି ମୋଟର ଚଳାଚଳ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି।
ଦୀର୍ଘ ଦିନ ହେଲା ବିସ୍ଥାପିତ ସମସ୍ୟା ଲାଗି ରହିଥିବା ବେଳେ ଏହାର ସମାଧାନ ନିମନ୍ତେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନି। ପ୍ରତିବାଦରେ ଆଜି ବନ୍ଦ ଡାକରା ଦିଆଯାଇଥିବା କୁହାଯାଇଛି।
ସୂଚନାଯୋଗ୍ୟ, ଇନ୍ଦ୍ରାବତି ଜଳ ବିଦ୍ୟୁତ୍ ପ୍ରୋଜେକ୍ଟ ନିମନ୍ତେ କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ୬୧୩୩ ପରିବାରଙ୍କୁ ପ୍ରାୟ ୩୦ ବର୍ଷ ପୂର୍ବେ ବିସ୍ଥାପିତ କରାଯାଇଥିଲା। ସେମାନଙ୍କ ଥଇଥାନ ନିମନ୍ତେ ୧୬ କୋଟିର ପ୍ୟାକେଜ ଦେବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ ମଧ୍ୟ ତାହା ଦିଆଯାଇନି। ଏହାବ୍ୟତୀତ ସେମାନଙ୍କୁ ଜମି ପଟ୍ଟା ମଧ୍ୟ ପ୍ରଦାନ କରାଯାଇନି ।
ଅପରପକ୍ଷେ ସ୍ୱାସ୍ଥ୍ୟସେବା, ରାସ୍ତା, ଶିକ୍ଷା, ପାନୀୟ ଜଳ, ଜମି ପାଇଁ ଜଳ, ବିଦ୍ୟୁତ୍ ସଂଯୋଗ ପରି ମୌଳିକ ସୁବିଧାରୁ ବି ବଞ୍ଚିତ ହୋଇଛନ୍ତି ବିସ୍ଥାପିତ। ବିସ୍ଥାପିତ ୩୭ଟି ଗାଁକୁ ମାଗଣା ବିଦ୍ୟୁତ୍ ସଂଯୋଗ ନିମନ୍ତେ ୧୯୯୪ ମସିହାରେ ୧ କୋଟି ୬୭ ଲକ୍ଷ ଟଙ୍କା ରାଜ୍ୟ ସରକାରଙ୍କ ତରଫରୁ ଦିଆଯାଇଥିବା ବେଳେ ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ ପକ୍ଷରୁ କିନ୍ତୁ ମନଇଚ୍ଛା ଦେୟ ଆଦାୟ କରାଯାଉଥିବା ଅଭିଯୋଗ ହେଉଛି।
୧୪ ଦଫା ଦାବି ପୂରଣ ନିମନ୍ତେ ଆଜି ବନ୍ଦ ଡାକରା ଦିଆଯାଇଥିବା ବେଳେ ଏନେଇ ଏକ ସ୍ମାରକ ପତ୍ର ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ ଅଧିକାରୀଙ୍କୁ ପ୍ରଦାନ କରାଯିବ। ଆସନ୍ତା ୧୫ ଦିନ ମଧ୍ୟରେ ଦାବି ପୂରଣ ନ ହେଲେ ମହୁଲପାଟଣାରେ ୨୦ ହଜାରରୁ ଊର୍ଦ୍ଧ୍ୱ ଲୋ ଏକାଠି ହୋଇ ଇନଟେକ୍ ଫାଟକ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି। ଏଥିସହ ବେଓପାଲି ଓ ମୁରାନ ଡ୍ୟାମ୍ ଫାଟକ ଖୋଲି ନଦୀରେ ପାଣି ଛାଡ଼ିବାକୁ ମଧ୍ୟ ଧମକ ଦେଇଛନ୍ତି।
The post ୩୦ ବର୍ଷ ହେଲା ଶୁଣୁନି ସରକାର, ଆଜି ୬ ଘଣ୍ଟା ପାଇଁ ବନ୍ଦ ହେଲା ଏହି ବଜାର appeared first on Odisha Reporter.
from Odisha Reporter https://ift.tt/3np1X8K
No comments:
Post a Comment