ପୁରୀ(ଓଡ଼ିଶା ରିପୋର୍ଟର): ଘଟିଲା ପ୍ରତୀକ୍ଷାର ଅନ୍ତ, ଦୀର୍ଘ ୯ ମାସ ପରେ ଖୋଲିଲା ଶ୍ରୀମନ୍ଦିର । ଆଜିଠାରୁ ପୁରୀରେ ଆରମ୍ଭ ହୋଇଛି କାଳିଆ ଦର୍ଶନ । ପୁରୀ ନିବାସୀଙ୍କ ପାଇଁ ମନ୍ଦିର ଖୋଲାଯାଇଛି । ପ୍ରଥମ ତିନି ଦିନ ସେବାୟତଙ୍କ ପରିବାର ଶ୍ରୀଜିଉଙ୍କ ଦର୍ଶନ କରିବେ । ୨୫ ତାରିଖ ଯାଏଁ ପରିଚୟ ପତ୍ର ଦେଖାଇ ଯେକୌଣସି ଦ୍ୱାରରେ ଦର୍ଶନ କରିପାରିବେ ସେବାୟତ । ପରେ ୨୬ତାରିଖରୁ ୩୧ ଯାଏଁ ପୁରୀ ସହରବାସୀ ଜଗା ଦର୍ଶନ କରିପାରିବେ।
ଦର୍ଶନ ବ୍ୟବସ୍ଥା ନେଇ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଏସଓପି ଜାରି ହୋଇଛି । ସେବାୟତ ହୁଅନ୍ତୁ କି ପୁରୀ ବାସିନ୍ଦା, ସମସ୍ତଙ୍କ ପାଇଁ ପରିଚୟ ପତ୍ର ବାଧ୍ୟତାମୂଳକ କରାଯାଇଛି । ସେବାୟତ ପରିବାରର ଲୋକମାନେ ନିଜ ନିଜର ସ୍ୱାସ୍ଥ୍ୟବୀମା କାର୍ଡ ସାଙ୍ଗରେ ଆଣି ଆସିବାକୁ କୁହାଯାଇଛି । ଏହା ନଥିଲେ ଅନ୍ୟ ପରିଚୟପତ୍ର ଦେଖାଇବାକୁ ପଡ଼ିବ।
ସେହିଭଳି ୨୬ରୁ ପୁରୀ ସହରବାସୀଙ୍କ ଦର୍ଶନ ପାଇଁ ଟୋକନ୍ ବ୍ୟବସ୍ଥା ହୋଇଛି । ପ୍ରତି ଓ୍ୱାର୍ଡ ବୁଲି ମ୍ୟୁନିସିପାଲିଟି ପକ୍ଷରୁ ପରିବାର ମୁଖ୍ୟଙ୍କ ନାଁରେ ଟୋକନ୍ ବଣ୍ଟା ଯିବ। କେଉଁ ଦିନ କେଉଁ ଓ୍ୱାର୍ଡବାସୀ କେତେବେଳେ ଦର୍ଶନ ସୁଯୋଗ ପାଇବେ ସେ ସମୟ ମଧ୍ୟ ଜିଲ୍ଲା ପ୍ରଶାସନ ସ୍ଥିର କରି ସାରିଛି । ସେହି ନିର୍ଦ୍ଦିଷ୍ଟ ସମୟରେ ସମ୍ପୃକ୍ତ ଓ୍ୱାର୍ଡର ଲୋକଙ୍କୁ ଆସିବାକୁ କୁହାଯାଇଛି । ଟୋକନ୍ ଦେଖାଇଲେ ପୁରୀବାସୀଙ୍କୁ ମାର୍କେଟ ଛକ ବ୍ୟାରିକେଡ୍ ପ୍ରବେଶ ପଥରେ ଅନୁମତି ମିଳିବ ଓ ପରେ ସେମାନଙ୍କୁ ଆଧାରକାର୍ଡ କିମ୍ବା ଭୋଟ ପରିଚୟପତ୍ର ଦେଖାଇବାକୁ ପଡିବ । ସକାଳ ସାଢ଼େ ସାତଟା ପରେ ଦର୍ଶନ ଆରମ୍ଭ ହେବ। ସମସ୍ତେ କେବଳ ସିଂହଦ୍ୱାର ବାଟେ ହିଁ ମନ୍ଦିରରେ ପ୍ରବେଶ କରି ପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି।
ଜାନୁଆରୀ ୩ରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ଜିଲ୍ଲା ବାହାର ଭକ୍ତମାନେ ଏହି ଦିନଠାରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ତେବେ ପୁରୀ ବାହାରର ଭକ୍ତଙ୍କ ଲାଗି କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ୬୫ବର୍ଷରୁ ଅଧିକ ଓ ୧୦ବର୍ଷରୁ କମ୍ ପିଲାଙ୍କୁ କରୋନା ସଂକ୍ରମଣ ଦୃଷ୍ଟିରୁ ବର୍ତ୍ତମାନ ସମୟରେ ଦର୍ଶନ ପାଇଁ ବାରଣ କରାଯାଇଛି। ଜାନୁଆରୀ ୩ରୁ ଠାକୁରଙ୍କୁ ବଲ୍ଳଭ ଭୋଗ ପରଠୁ ରାତି ପହୁଡ଼ ଯାଏଁ ଦର୍ଶନ କରିବାକୁ ସୁଯୋଗ ମିଳିବ।
ସେପଟେ ଆକର୍ଷଣୀୟ ବାଲୁକା କଳା ମାଧ୍ୟମରେ ଦୀର୍ଘ ୯ ମାସ ପରେ ଆଜିଠୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିଥିବାରୁ ଏହାକୁ ସ୍ୱାଗତ ଜଣାଇଛନ୍ତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଭକ୍ତ ଓ ଭଗବାନଙ୍କ ମିଳନ ହେଉଥିବାରୁ କୋଭିଡ ନିୟମ ମାନି ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରରେ ଦର୍ଶନ କରିବା ସହ ମହାପ୍ରଭୁଙ୍କ ଆଶୀର୍ବାଦ ନେବାକୁ ସେ ସେଚତନତା ବାର୍ତ୍ତା ଦେଇଛନ୍ତି ।
The post ଦୀର୍ଘ ୯ ମାସ ପରେ ଖୋଲିଲା ଶ୍ରୀମନ୍ଦିର, ଆଜିଠୁ ଜଗା ଦର୍ଶନ appeared first on Odisha Reporter.
from Odisha Reporter https://ift.tt/2KT4Lwg
No comments:
Post a Comment