ଇସଲାମାବାଦ: ବିଶ୍ୱର କୁଖ୍ୟାତ ଆତଙ୍କବାଦୀ ତଥା ମୁମ୍ବାଇ ହମଲାର ମାଷ୍ଟରମାଇଣ୍ଡ ହାଫିଜ ସୟିଦକୁ ଆଉ ଏକ ଟେରର ପଣ୍ଡିଂ ମାମଲାରେ ପାକିସ୍ତାନ କୋର୍ଟ ୧୫ ବର୍ଷ ୬ ମାସ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଲାହୋର ସ୍ଥିତ ଆତଙ୍କବାଦ ନିରୋଧ କୋର୍ଟ ହାଫିଜକୁ ଜେଲଦଣ୍ଡ ସହ ୨୦୦,୦୦୦ ପାକିସ୍ତାନୀ ଟଙ୍କା(ପିକେଆର) ଜୋରିମାନା ଦେବାକୁ କହିଛନ୍ତି।
ପୂର୍ବରୁ ଏହି କୁଖ୍ୟାତ ଆତଙ୍କୀ ହାଫିଜକୁ ୪ଟି ଟେରର ଫଣ୍ଡିଂ ମାମଲାରେ କୋର୍ଟ ୨୧ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଥିଲେ। ଏବେ ପୁଣିଥରେ ତା’କୁ ୧୫ ବର୍ଷ ୬ ମାସ ଜେଲଦଣ୍ଡ ମିଳିଛି। ଜଣେ କୋର୍ଟ ଅଧିକାରୀ କହିଛନ୍ତି, “ଗୁରୁବାର ଆତଙ୍କବାଦ ନିରୋଧ କୋର୍ଟ ହାଫିଜ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଜାମାତ ଉଦ ଦାୱାର ୫ ଜଣ ସଦସ୍ୟଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡବିଧାନ କରିଛନ୍ତି। ଏହି ୫ ଜଣଙ୍କ ମଧ୍ୟରେ ସଂଗଠନର ମୁଖ୍ୟ ହାଫିଜ ମଧ୍ୟ ରହିଛି। ସମସ୍ତଙ୍କୁ କୋର୍ଟ ଟେରର ଫାଇନାନ୍ସିଂ ମାମଲାରେ ସାଢ଼େ ୧୫ ବର୍ଷ ଲେଖାଏ ଜେଲଦଣ୍ଡ ଦେଇଛନ୍ତି।”
ନୂଆ ଦଣ୍ଡ ବିଧାନ ପରେ ହାଫିଜ ଏବେ ୫ଟି ଟେରର ଫଣ୍ଡିଂ ମାମଲାରେ ମୋଟ ୩୬ ବର୍ଷ ଜେଲ ହାଜତରେ ରହିବ। ତା’କୁ ଲାହୋରର କୋଟ ଲାକଫତ ଜେଲ୍ରେ ରଖାଯାଇଥିବା ପାକିସ୍ତାନ ସରକାର କହିଛନ୍ତି। ତେବେ ଜଲ୍ ମଧ୍ୟରେ ତା’କୁ ଭିଆଇପି ସୁବିଧାସୁଯୋଗ ଯୋଗାଇ ଦିଆଯାଉଥିବା ଅନେକ ଥର ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
ଜାତିସଂଘ ଦ୍ୱାରା ବିଶ୍ୱସ୍ତରୀୟ ଆତଙ୍କୀ ଘୋଷଣା ହୋଇଥିବା ହାଫିଜକୁ ଧରିବା ପାଇଁ ଆମେରିକା ୧୦୦ ମିଲିୟନ ଡଲାରର ପୁରସ୍କାର ଘୋଷଣା କରିଥିଲା। ପ୍ରଥମଥର ପାଇଁ ଗତବର୍ଷ ଜୁଲାଇ ୧୭ ହାଫିଜକୁ ପାକିସ୍ତାନରେ ଟେରର ଫଣ୍ଡିଂ ମାମଲାରେ ଗିରଫ କରାଯାଇଥିଲା।
ଗୁରୁବାର ହାଫିଜ ବ୍ୟତୀତ ଜେୟୁଡିର ହାଫିଜ ଅବଦୁସ ସଲମା, ଜାଫର ଇକବାଲ, ଜେୟୁଡିର ମୁଖପାତ୍ର ୟାହା ମୁଜାହିଦ ଓ ମହମ୍ମଦ ଅଶ୍ରଫକୁ ମଧ୍ୟ କୋର୍ଟ ସମାନ ପରିମାଣର ଅର୍ଥ ଦଣ୍ଡ ସହ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାବାଦ ହାଫିଜର ଭିଣୋଇ ଅବଦୁଲ ରେହମାନ ମକ୍କିକୁ ମଧ୍ୟ କୋର୍ଟ ୬ ମାସ ଜେଲଦଣ୍ଡ ସହ ୨୦ ହଜାର ପାକିସ୍ତାନୀ ମୁଦ୍ରା ଦେବାକୁ କହିଛନ୍ତି।
ହାଫିଜକୁ ଫେବୃଆରୀ ମାସରେ ୨ଟି ଟେରର ଫଣ୍ଡିଂ ମାମଲାରେ କୋର୍ଟ ୧୧ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। ଏହାପରେ ଆଉ ଦୁଇଟି ଟେରର ଫଣ୍ଡିଂ ମାମଲାରେ କୋର୍ଟ ତା’କୁ ୧୦ ବର୍ଷ ଜେଲଦଣ୍ଡ ଦେଇଥିଲେ।
ପାକିସ୍ତାନର ଆତଙ୍କବାଦ ନିରୋଧ ବିଭାଗ ଜେୟୁଡି ନାଁରେ ୪୧ଟି ମାମଲା ରୁଜୁ କରିଛି। ଏହା ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୫ଟି ମାମଲାର ବିଚାର ହୋଇଛି। ୫ଟି ଯାକ କେସରେ ହାଫିଜ ଦୋଷୀ ସାବ୍ୟସ୍ତ ହୋଇଛି।
The post ପୁଣି ଆତଙ୍କୀ ହାଫିଜ ସୟିଦକୁ ୧୫ ବର୍ଷ ଜେଲ୍ appeared first on Odisha Reporter.
from Odisha Reporter https://ift.tt/2WLRDfs
No comments:
Post a Comment