ୱାଶିଂଟନ: ଆମେରିକାରେ କରୋନାକୁ ମାତ ଦେବା ପାଇଁ ଟିକାକରଣ ପ୍ରକ୍ରିୟାକୁ ଜୋରଦାର କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ ସଂକ୍ରମଣ ଆଶଙ୍କା ଥିବା ବର୍ଗର ଲୋକଙ୍କୁ ଫାଇଜର ଏବଂ ମଡର୍ଣ୍ଣା ପ୍ରସ୍ତୁତ କରୁଥିବା କରୋନା ଟିକା ଦିଆଯାଉଛି। ଏହିକ୍ରମରେ ଆମେରିକାର ନବ ନିର୍ବାଚିତ ଉପ ରାଷ୍ଟ୍ରପତି କମଳା ହାରିସ ମଡର୍ଣ୍ଣା ଟିକା ଗ୍ରହଣ କରିଛନ୍ତି।
କମଳା ହାରିସ ଟିକା ନେବା ବେଳେ ଏହାର ସିଧା ପ୍ରସାରଣ କରାଯାଇଥିଲା। ଟିକା ଉପରେ ଲୋକଙ୍କ ବିଶ୍ୱାସ ସୃଷ୍ଟି କରିବା ପାଇଁ କମଳା ହାରିସ ଏପରି କରିଛନ୍ତି। ସେହିପରି ଟିକା ନେବା ପରେ ଲୋକଙ୍କୁ ନିଜ ଇଚ୍ଛାରେ ଆସି ଏହି ପ୍ରକ୍ରିୟାରେ ସାମିଲ ହେବାକୁ ନିବେଦନ କରିଛନ୍ତି।
କଳା ମାସ୍କ ଓ କଳା ପୋଷାକ ପିନ୍ଧି ୱାଶିଂଟନ ଡିସିରେ ଥିବା ୟୁନାଇଟେଡ ମେଡିକାଲ ସେଣ୍ଟର୍ରେ ଟିକା ନେବା ପାଇଁ ହାରିସ ପହଞ୍ଚିଥିଲେ। ଏହାପରେ ତାଙ୍କୁ ସେଠାରେ ମଡର୍ଣ୍ଣା ଟିକା ଦିଆଯାଇଥିଲା। ସମସ୍ତେ ହସ୍ପିଟାଲ ଆସି ଟିକା ନେବା ଦରକାର ବୋଲି ସେ କହିଛନ୍ତି। ତାଙ୍କ ସ୍ୱାମୀ Doug Emhoff ମଧ୍ୟ ମଡର୍ଣ୍ଣା ଟିକା ନେଇଛନ୍ତି। ଡିସେମ୍ବର ୨୧ରେ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ସର୍ବସମ୍ମୁଖରେ କରୋନା ଟିକା ନେଇଥିଲେ।
ନ୍ୟୁ ଜର୍ସିର ନ୍ୟୁୱର୍କ ଠାରେ ଥିବା ଖ୍ରୀଷ୍ଟିଆନା ହସ୍ପିଟାଲରେ ବାଇଡେନ ଏହି ଟିକା ନେଇଥିଲେ। ତାଙ୍କୁ ହସ୍ପିଟାଲର କର୍ମଚାରୀ ସ୍ୱାସ୍ଥ୍ୟ ସେବାର ମୁଖ୍ୟ ତଥା ନର୍ସ ତାବେ ମାସା ଟିକାର ପ୍ରଥମ ଡୋଜ ଦେଇଛନ୍ତି। ଟିକା ନେବା ପରେ ବାଇଡେନ୍ ସଂପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି।
ସେ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ କର୍ମୀଙ୍କୁ ପ୍ରଶଂସା କରି କହିଥିଲେ, “ଲୋକମାନେ ଟିକା ନେବାକୁ ପ୍ରସ୍ତୁତ ହୁଅନ୍ତି ବୋଲି ବାର୍ତ୍ତା ଦେବା ପାଇଁ ଆଜି ମୁଁ ସର୍ବସମ୍ମୁଖରେ ଟିକା ନେଇଛି। ଟିକା ନେବାରେ କୌଣସି ଅସୁବିଧା ନାହିଁ। ଟିକାର ପାର୍ଶ୍ୱପ୍ରତିକ୍ରିୟା ପାଇଁ ଆଦୌ ବ୍ୟସ୍ତ ହେବା ଦରକାର ନାହିଁ।
କେବଳ ମୁଁ ନୁହେଁ, ମୋ ପତ୍ନୀ ଜିଲ୍ଲ ବାଇଡେନ ମଧ୍ୟ ଟିକା ନେଇଛନ୍ତି। ସବୁ ଲୋକଙ୍କ ପାଖରେ ଟିକା ପହଞ୍ଚିବା ପାଇଁ ସମୟ ଲାଗିବ। ତେଣୁ ଲୋକମାନେ ମେଡିକାଲ ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ଛୁଟିରେ ବିଦେଶ ଯାତ୍ରା ନ କଲେ ଭଲ। ସେହିପରି ସମସ୍ତେ ମାସ୍କ ପିନ୍ଧିବା ଜରୁରୀ। ଯେତେବେଳେ ବି ଟିକା ଉପଲବ୍ଧ ହେବ, ଏହାକୁ ସମସ୍ତେ ନେବା ଭଲ ହେବ।”
ବାଇଡେନଙ୍କ ପୂର୍ବରୁ ଆମେରିକାର ବିଦାୟୀ ଉପ ରାଷ୍ଟ୍ରପତି ମାଇକ ପେନ୍ସ ଓ ତାଙ୍କ ପତ୍ନୀ ମଧ୍ୟ ଫାଇଜର ଟିକାର ପ୍ରଥମ ଡୋଜ୍ ନେଇଥିଲେ। କିନ୍ତୁ ଡୋନାଲ୍ଡ ଟ୍ରମ୍ପ ଏଯାଏ ଟିକାକରଣ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିନାହାନ୍ତି। ଆମେରିକାରେ ଫାଇଜର ସହ ମଡର୍ଣ୍ଣା ଟିକାକୁ ମଧ୍ୟ ଜରୁରୀ କାଳୀନ ସ୍ଥିତିରେ ବ୍ୟବହାର ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଛି।
The post କ୍ୟାମେରା ଆଗରେ କରୋନା ଟିକା ନେଲେ କମଳା ହାରିସ appeared first on Odisha Reporter.
from Odisha Reporter https://ift.tt/38JgSV3
No comments:
Post a Comment