ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପରୀ ହତ୍ୟା ଘଟଣାକୁ ନେଇ ଦିନକୁ ଦିନ ବିବାଦ ତେଜିବାରେ ଲାଗିଛି। ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିଜେପି ବାରମ୍ବାର ଘେରୁଛି। ଆଜି ନୟାଗଡ଼ ଗସ୍ତରେ ଯିବା ପୂର୍ବରୁ ପୁଣି ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସିଧାସଳଖ ମନ୍ତ୍ରୀ ଅରୁଣ ସାହୁଙ୍କୁ ଘେରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର।
ସେ କହିଛନ୍ତି, ନୟାଗଡ଼ ଏସପି ଓ ଜିଲ୍ଲାପାଳଙ୍କ ଉପରେ ମନ୍ତ୍ରୀ ଅରୁଣ ସାହୁ ଚାପ ପକାଉଛନ୍ତି। ତଦନ୍ତ ବାଟବଣା ହେଉଛି। ପରୀକୁ କିଏ କିଡ୍ନାପ୍ କରିଛି, ତାହା ସାରା ଓଡ଼ିଶାବାସୀ ଜାଣିଛନ୍ତି। କିନ୍ତୁ ଘଟଣାକୁ ୫ ମାସ ବିତିଲା ପରେ ମଧ୍ୟ ତଦନ୍ତ ହେଇନି କି କେହି ଜଣେ ବି କିଭଳି ଗିରଫ ହୋଇନାହାନ୍ତି। ଆମ ସିଷ୍ଟମ କ’ଣ ସ୍ଥାଣୁ ପାଲଟି ଯାଇଛି କି ବୋଲି ସମ୍ବିତ ପ୍ରଶ୍ନ କରିଛନ୍ତି।
ସମ୍ବିତ କହିଛନ୍ତି, ବିଜେଡି ଅରୁଣ ସାହୁଙ୍କୁ କ୍ୟାବିନେଟରୁ ବହିଷ୍କାର କରିବା ଉଚିତ୍। ଯେତେଯାଏଁ ଅରୁଣ ସାହୁ ମନ୍ତ୍ରିମଣ୍ଡଳରେ ଅଛନ୍ତି, ସେତେ ପର୍ଯ୍ୟନ୍ତ ନିରପେକ୍ଷ ତଦନ୍ତ କଦାଚିତ ହୋଇପାରିବ ନାହିଁ। ଚାପ ସୃଷ୍ଟି କରାଯାଉଛି। କିନ୍ତୁ ଆମ ସମସ୍ତଙ୍କୁ ମିଶି ଲଢ଼ିବାକୁ ହେବ ବୋଲି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର କହିଛନ୍ତି।
ସେ ଆହୁରି କହିଛନ୍ତି, ଦିଲ୍ଲୀରେ ଏନ୍ସିପିସିଆରଙ୍କୁ ଭେଟି ପରୀ ହତ୍ୟା ଘଟଣାର ତଦନ୍ତ କରାଯାଉ ବୋଲି ଦାବିପତ୍ର ଦିଆଯାଇଥିଲା। ଘଟଣାର ସିବିଆଇ ତଦନ୍ତ ସହିତ ଏସ୍ପି ଓ ଜିଲ୍ଲାପାଳଙ୍କୁ ସମନ କରାଯାଉ ବୋଲି ଦାବି କରିଥିଲୁ। ଏନସିପିସିଆର ଘଟଣାର ତଦନ୍ତ ଆରମ୍ଭ କରିବା ସହ ଏସପି ଏବଂ ଜିଲ୍ଲାପାଳଙ୍କୁ ସମନ କରିଛନ୍ତି। ଏଥିପାଇଁ ମୁଁ ତାଙ୍କୁ ଧନ୍ୟବାଦ ଦେଉଛି।
ଆଜି ବିଜେପି ନୟଗାଡ଼ ସ୍ଥିତ ପରୀ ଗାଁକୁ ଯାଇ ତାଙ୍କ ପରିବାରକୁ ଭେଟିବ। ସେଠାରୁ ପରୀକୁ ନ୍ୟାୟ ଦାବିରେ ବିଜେପି ପକ୍ଷରୁ ଏକ ପଦଯାତ୍ରା କରାଯିବ। ଅନ୍ୟପକ୍ଷରେ କଂଗ୍ରେସର ଏକ ଟିମ୍ ମଧ୍ୟ ନୟାଗଡ ଜିଲ୍ଲା ଯଦୁପୁର ଗସ୍ତ କରି ପରୀଙ୍କ ପରିବାରକୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ପ୍ରଭାରୀ ଏ ଚେଲ୍ଲାକୁମାର ଆଜି ସେଠାକୁ ଯିବେ। ତାଙ୍କ ସହିତ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଓ ଅନ୍ୟ କିଛି ବରିଷ୍ଠ କଂଗ୍ରେସ ନେତା ସେଠାକୁ ଯାଇ ପରୀର ପରିବାର ଲୋକଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।
The post ମନ୍ତ୍ରୀ ଅରୁଣ ସାହୁଙ୍କୁ ପୁଣି ଘେରିଲେ ସମ୍ବିତ appeared first on Odisha Reporter.
from Odisha Reporter https://ift.tt/37B7GS9
No comments:
Post a Comment