ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଅସୁସ୍ଥ। ଆଜି ସିବିଆଇ ଅଫିସ ସାମ୍ନାରେ ଏକ ଖୋଲା ଜିପ୍ରେ ଭାଷଣ ଦେବା ପରେ ହଠାତ୍ ଅସୁସ୍ଥ ହୋଇପଡ଼ିଲେ ନରସିଂହ ମିଶ୍ର । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହଠାତ୍ ସେ ତଳେ ବସିପଡ଼ିଥିଲେ । ତୁରନ୍ତ ତାଙ୍କୁ ଆପୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।
ଆଜି କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ ହେଉଥିବା ବେଳେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ସକାଳ ୯ଟା ବେଳେ କଂଗ୍ରେସ ପକ୍ଷରୁ କଂଗ୍ରେସ ଭବନ ସମ୍ମୁଖରେ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା। ସେଠାକୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଯାଇନଥିଲେ।
ଏହାପରେ ପୂର୍ବାହ୍ନ ୧୧ଟାରେ ଆୟୋଜିତ ତ୍ରିରଙ୍ଗା ରାଲି ଡିଏଭି ସ୍କୁଲରୁ ବାହାରି ସିବିଆଇ ଅଫିସ ସମ୍ମୁଖରେ ପହଞ୍ଚିଥିଲା। ସେଠାରେ ସିବିଆଇ ଅଫିସ ଘେରାଉ କାର୍ଯ୍ୟକ୍ରମ ରହିଥିଲା। ଏହାପୂର୍ବରୁ ସିବିଆଇ ଅଫିସ ସମ୍ମୁଖରେ ଏକ ଖୋଲା ଜିପ୍ରେ ପ୍ରଥମେ ପିସିସି ସଭାପତି ନିରଞ୍ଜନ ମିଶ୍ର ଉଦ୍ବୋଧନ ଦେଇ ସିବିଆଇର ନିଷ୍କ୍ରିୟତାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏହାପରେ ନରସିଂହ ମିଶ୍ର ସିବିଆଇ ବିରୋଧରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। ମାତ୍ର ଭାଷଣ ସରିବା ପରେ ହଠାତ୍ ଉକ୍ତ ଜିପ୍ ଉପରେ ହିଁ ଅସୁସ୍ଥ ହୋଇପଡ଼ିଲେ ନରସିଂହ ମିଶ୍ର ।
ଏହାପରେ ତୁରନ୍ତ ତାଙ୍କୁ କର୍ମମାନେ ଆପୋଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ସେଠାରେ କଂଗ୍ରେସର ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ଅଛନ୍ତି। ନରସିଂହ ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ମେଡିକାଲ ପକ୍ଷରୁ କିଛି ବିବୃତି ଦିଆଯାଇ ନ ଥିବା ବେଳେ ସେ ଏବେ ଠିକ୍ ଥିବା କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସୂଚନାଅନୁଯାୟୀ, ନରସିଂହ ମିଶ୍ର ଜଣେ ଉଚ୍ଚ ମଧୁମେହ ରୋଗୀ। ଦୀର୍ଘ ଯାତ୍ରା କରି ସେ ଆଜି ବଲାଙ୍ଗିରରୁ ଆସିଥିଲେ। ଦୀର୍ଘ ଯାତ୍ରା ଜନିତ କ୍ଲାନ୍ତି ଯୋଗୁଁ ଏମିତି ହୋଇଥାଇପାରେ। ଏବେ ସେ ହସ୍ପିଟାଲରେ ଅଛନ୍ତି ଏବଂ ଠିକ୍ ଅଛନ୍ତି ।
The post ନରସିଂହ ମିଶ୍ର ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି appeared first on Odisha Reporter.
from Odisha Reporter https://ift.tt/2Jniuev
No comments:
Post a Comment