ବଲାଙ୍ଗୀର(ଘଟେଶ୍ୱର ମିଶ୍ର): ଏଟିଏମ କାଉଣ୍ଟର ଭିତରେ ପଇଁତରା ମାରୁଥିଲେ। ସୁଯୋଗ ଦେଖି ଟଙ୍କା ଉଠାଇବାକୁ ଆସୁଥିବା ବ୍ୟକ୍ତିଙ୍କ କାର୍ଡ ଅଦଳବଦଳ କରି ଦେଉଥିଲେ। ପରେ ଆକାଉଣ୍ଟରେ କଳାକନା ବୁଲାଇ ଦେଉଥିଲେ। ୫ ଦିନ ବ୍ୟବଧାନରେ ଏକ ପ୍ରକାର ୨ଟି ଲୁଟ୍ ହେବା ପରେ ପୁଲିସ୍ ପକାଇଥିବା ଜାଲରେ ଧରାପଡ଼ିଗଲା ଲୁଟେରା। ଠକେଇ, ଲୁଟ ମାମଲାରେ ଗିରଫ ହୋଇ ପୂର୍ବରୁ ଜେଲ୍ ଯାଇଥିବା ଅଭିଯୁକ୍ତ ଜାମିନରେ ଆସି ପୁଣି ଜାରି ରଖିଥିଲା ନିଜ କଳା କାରନାମା। ଗିରଫ ଯୁବକ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ଲୋଇସିଂହା ନଆଗାଁ(କ)ର ନାରାୟଣ ସାହୁ ।ପୁଲିସ୍ ଅଭିଯୁକ୍ତଠାରୁ ୭୪ ହଜାର ଟଙ୍କା ଏବଂ ତିନୋଟି ଏ.ଟି.ଏମ କାର୍ଡ ଜବତ କରିଛି ।
ଗତ ୧୮ ତାରିଖରେ ଲୋଇସିଂହା ଥାନା ଫଟାମୁଣ୍ଡା ଗାଁର ଚକାଡୋଳା ସାହୁ ଆଗଲପୁର ଏ.ଟି.ଏମ କାଉଣ୍ଟରରୁ ଟଙ୍କା ଉଠାଣ କରିଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ନାରାୟଣ କୌଶଳ କ୍ରମେ ଚକାଡୋଳାଙ୍କ ଏ.ଟି.ଏମ କାର୍ଡ ଅଦଳବଦଳ କରିଦେଇଥିଲା । ପରେ ସେହି ଏ.ଟି.ଏମ କାର୍ଡରୁ ୬୦ ହଜାର ଟଙ୍କା ଉଠାଇ ନେଇଥିଲା । ଏ ନେଇ ଲୋଇସିଂହା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଚକାଡୋଳା । ଲୋଇସିଂହା ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରୀ ରଖିଥିଲେ ମଧ୍ୟ ୨୩ ତାରିଖରେ ସମାନ ଢଙ୍ଗରେ ପୁଣି ଏକ ଲୁଟ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା ।
ଆଗଲପୁର ଗାଁର ରାହାଶ ତ୍ରୀପାଠିଙ୍କ ଏ.ଟି.ଏମ ଅଦଳ ବଦଳ କରି ୫୦ ହଜାର ଟଙ୍କା ଉଠାଇ ନେଇଥିଲା ଅଭିଯୁକ୍ତ । ଲୋଇସିଂହା ପୁଲିସ୍ ସ୍ୱତନ୍ତ୍ର ଟିମ ଗଠନ କରି ଏ.ଟି.ଏମ ନିକଟରେ ପହରା ଦେଉଥିଲା । ଏହି ସମୟରେ ସନ୍ଦେହଜନକ ଅବସ୍ଥାରେ ଆଗଲପୁର ଏ.ଟି.ଏମ କାଉଣ୍ଟର ନିକଟରେ ବୁଲୁଥିବା ନାରାୟଣକୁ କାବୁ କରିଥିଲା ପୁଲିସ୍। ପରେ ନାରାୟଣ ହିଁ ଦୁଇ ଜଣଙ୍କ ଟଙ୍କା ଲୁଟ କରିଥିବା ଜଣା ପଡିଥିଲା । ଏଥଇସହ ତା’ ନିକଟରୁ ୭୪ ହଜାର ଟଙ୍କା ଏବଂ ତିନୋଟି ଏ.ଟି.ଏମ କାର୍ଡ ଜବତ ହୋଇଛି ।
ଗତ କିଛି ବର୍ଷ ହେଲା ବରଗଡ ଜିଲ୍ଲାର ଗାଇସିଲେଟ, ଭଟଲି, ଭେଡେନ,ବିଜେପୁର, ବରଗଡ ଟାଉନ ଥାନା ପୁଲିସ୍ ଦ୍ୱାରା ନାରାୟଣ ବିଭିନ୍ନ ଠକେଇ, ଲୁଟ ମାମଲାରେ ଗିରଫ ହୋଇ ଜେଲ ଯାଇ ସାରିଛି । ଜେଲରୁ ଜାମିନରେ ଆସି ପୁଣି ତାର କଳାକାରନାମା ଜାରି ରଖିଥିଲା ନାରାୟଣ।
The post ପ୍ରଥମେ ଏଟିଏମ୍ କାର୍ଡ ଅଦଳବଦଳ, ପରେ ଆକାଉଣ୍ଟ ଖାଲି appeared first on Odisha Reporter.
from Odisha Reporter https://ift.tt/3hv1AHL
No comments:
Post a Comment