ମାଟି କାମୁଡ଼ିଲା କଙ୍ଗାରୁ, ହିସାବ ବରାବର କଲା ଟିମ୍ ଇଣ୍ଡିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 28, 2020

ମାଟି କାମୁଡ଼ିଲା କଙ୍ଗାରୁ, ହିସାବ ବରାବର କଲା ଟିମ୍ ଇଣ୍ଡିଆ

ମେଲବର୍ଣ୍ଣ: ଆଡିଲେଡରେ ଲଜ୍ଜାଜନକ ପରାଜୟ ପରେ ମେଲବର୍ଣ୍ଣରେ ଟିମ୍ ଇଣ୍ଡିଆ ମାଟି କାମୁଡ଼ିବ ବୋଲି କହିଥିଲେ ଅଷ୍ଟ୍ରେଲିଆନ୍ ଗ୍ରେଟ୍ ଶେନ୍ ୱାର୍ଣ୍ଣ। କିନ୍ତୁ ଏହାର ଠିକ୍ ଓଲଟା ହୋଇଛି। ବିରାଟ୍ କୋହଲିଙ୍କ ଅନୁପସ୍ଥିତିରେ ଆଜିଙ୍କ୍ୟ ରାହାଣେଙ୍କ କ୍ୟାପଟେନ୍ସିରେ ଟିମ୍ ଇଣ୍ଡିଆ ଦମ୍ ଦେଖାଇଛି ଏବଂ ବକ୍ସିଂ ଡେ’ ଟେଷ୍ଟରେ କଙ୍ଗାରୁ ଟିମକୁ ଧୂଳି ଚଟାଇଛି।

ଜବରଦସ୍ତ ବୋଲିଂ ସାଙ୍ଗକୁ ରାହାଣେଙ୍କ କ୍ୟାପଟେନ୍ସି ଇନିଂସ୍ ବଳରେ ଟିମ୍ ଇଣ୍ଡିଆ ଏହି ଐତିହାସିକ ଟେଷ୍ଟରେ ୮ ୱିକେଟରେ ଅଷ୍ଟ୍ରେଲିଆକୁ ହରାଇ ହିସାବ ବରାବର କରିଛି। ଏହି ବିଜୟ ସହ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ୧-୧ରେ ବରାବର ହୋଇଛି। ସିରିଜରେ ଆହୁରି ଦୁଇଟି ମ୍ୟାଚ୍ ବାକି ରହିଛି।

ଉକ୍ତ ଟେଷ୍ଟରେ ଅଷ୍ଟ୍ରେଲିଆ ୨ୟ ଇନିଂସରେ ୨୦୦ ରନରେ ଅଲଆଉଟ୍ ହୋଇ ଭାରତକୁ ୭୦ ରନର ଟାର୍ଗେଟ୍ ଦେଇଥିଲା। ଏହି ଛୋଟିଆ ଲକ୍ଷ୍ୟକୁ ପିଛା କରିବା ପାଇଁ ଭାରତକୁ ଆଦୌ କଷ୍ଟ କରିବାକୁ ପଡ଼ିନଥିଲା। ଭାରତ ୧୫.୫ ଓଭରରେ ୨ ୱିକେଟ୍ ହରାଇ ଏହି ୭୦ ରନ୍ କରି ବିଜୟୀ ହୋଇଛି। ଭାରତ ଆରମ୍ଭରୁ ଓପ୍ନର ମୟଙ୍କ ଅଗ୍ରୱାଲ୍ ଓ ଚେତେଶ୍ୱର ପୂଜାରାଙ୍କ ୱିକେଟ୍ ହରାଇଥିଲା। କିନ୍ତୁ ଡେବ୍ୟୁଟାଣ୍ଟ ଶୁବମନ୍ ଗିଲ୍ ଓ କ୍ୟାପଟେନ୍ ରାହାଣେ ସକାରାତ୍ମକ ବ୍ୟାଟିଂ କରି ଭାରତକୁ ଐତିହାସିକ ବିଜୟ ଭେଟି ଦେଇଥିଲେ। ଏହି ବିଜୟ ସହ ଭାରତ ୨୦୨୦ ବର୍ଷ ଶେଷ କରିଛି।

ମୟଙ୍କ ପୁଣିଥରେ ନିରାଶ କରିଥିଲେ ଏବଂ ୫ ରନ୍ କରି ମିଚେଲ୍ ଷ୍ଟାର୍କଙ୍କ ବଲରେ ଆଉଟ୍ ହୋଇଥିଲେ। ପୂଜାରା ମଧ୍ୟ ଅଭିଜ୍ଞତାର ଫାଇଦା ଉଠାଇବାରେ ବିଫଳ ହୋଇଥିଲେ। ପ୍ୟାଟ୍ କମିନ୍ସଙ୍କ ବାହାରେ ଯାଉଥିବା ବଲକୁ ମାରିବାକୁ ଯାଇ ପୂଜାରା (୩) ସ୍ଲିପରେ କ୍ୟାଚ୍ ହୋଇଥିଲେ। ୧୯ ରନ୍ ଭିତରେ ୨ ୱିକେଟ୍ ହରାଇବା ପରେ ଭାରତ ଉପରେ ଚାପ ପଡ଼ିଥିଲା। କିନ୍ତୁ ଗିଲ୍ ଓ ରାହାଣେ ନିରାଶ ନକରି ଅଷ୍ଟ୍ରେଲିଆ ବୋଲରଙ୍କୁ ଉଚିତ୍ ସାମ୍ନା କରିଥିଲେ। ଗିଲ୍ ୩୬ ବଲରେ ୭ ଚୌକା ସହ ୩୫ ଓ ରାହାଣେ ୪୦ ବଲରେ ୩ ଚୌକା ସହ ୨୭ ରନ୍ କରି ଅପରାଜିତ ଥିଲେ। ଶତକୀୟ ଇନିଂସ୍ ପାଇଁ ରାହାଣେଙ୍କୁ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି।

ଆଜି ଅଷ୍ଟ୍ରେଲିଆ ତା’ର ପୂର୍ବଦିନର ସ୍କୋର ୧୩୩/୬ରୁ ଖେଳ ଆରମ୍ଭ କରିଥିଲା। ପୂର୍ବଦିନର ଦୁଇ ସେଟ୍ ବ୍ୟାଟ୍ସମ୍ୟାନ୍ କାମେରନ୍ ଗ୍ରୀନ୍ ଓ ପ୍ୟାଟ୍ କମିନ୍ସ ସତର୍କତାର ସହ ଖେଳିଥିଲେ। କିନ୍ତୁ ଏହି ଯୋଡ଼ିକୁ ଭାଙ୍ଗିଥିଲେ ଯଶପ୍ରୀତ ବୁମ୍ରା। ଟିମର ସ୍କୋର ୧୫୬ ଥିବା ବେଳେ କମିନ୍ସ (୨୨) ମୟଙ୍କ ଅଗ୍ରୱାଲଙ୍କୁ କ୍ୟାଚ୍ ଦେଇ ବସିଥିଲେ।

ଗ୍ରୀନ୍ ମଧ୍ୟ ଭଲ ବ୍ୟାଟିଂ କରି ଅର୍ଦ୍ଧଶତକ ଆଡ଼କୁ ଅଗ୍ରସର ହେଉଥିଲେ, କିନ୍ତୁ ତାଙ୍କୁ ଡେବ୍ୟୁଟାଣ୍ଟ ମହମ୍ମଦ ସିରାଜ ପ୍ୟାଭିଲିୟନର ରାସ୍ତା ଦେଖାଇଥିଲେ। ଗ୍ରୀନ୍ ୧୪୬ ବଲର ସାମ୍ନା କରି ୫ ଚୌକା ସହ ୪୫ ରନର ଇନିଂସ୍ ଖେଳିଥିଲେ। ଶେଷ ଦୁଇଟି ୱିକେଟ୍ ନେବା ପାଇଁ ଭାରତୀୟ ବୋଲରଙ୍କୁ ବିଶେଷ କଷ୍ଟ କରିବାକୁ ପଡ଼ିନଥିଲେ। ନେଥନ ଲାୟନ୍ ମାତ୍ର ୩ ରନ୍ କରି ସିରାଜଙ୍କ ବଲରେ ଏବଂ ଜୋଶ୍ ହେଜଲଉଡ୍ (୧୦)ଙ୍କୁ ରବିଚନ୍ଦ୍ରନ୍ ଅଶ୍ୱିନ୍ କ୍ଲିନ୍ ବୋଲ୍ଡ କରିଥିଲେ। ମିଚେଲ୍ ଷ୍ଟାର୍କ ୧୪ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲେ। ଭାରତ ପକ୍ଷରୁ ସିରାଜ୍ ୩୭ ରନ୍ ଦେଇ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ବୁମ୍ରା, ଅଶ୍ୱିନ୍ ଓ ରବୀନ୍ଦ୍ର ଜାଡେଜା ୨ଟି ଲେଖାଏ ୱିକେଟ୍ ପାଇଥିଲେ। ଉମେଶ ଯାଦବ ଗୋଟିଏ ସଫଳତା ନେଇଥିଲେ।

ସୂଚନାଯୋଗ୍ୟ, ଉକ୍ତ ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୯୫ ରନ୍ କରି ଅଲଆଉଟ୍ ହୋଇଥିଲା। ଜବାବରେ ଭାରତ ୩୨୬ ରନ୍ କରି ୧୩୧ ରନର ବଡ଼ ଅଗ୍ରଣୀ ହାସଲ କରିଥିଲା। ଭାରତ ପକ୍ଷରୁ ପ୍ରଥମ ଇନିଂସରେ ରାହାଣେ ୧୧୨ ରନର ଶତକୀୟ ଇନିଂସ୍ ଖେଳିଥିଲେ।

The post ମାଟି କାମୁଡ଼ିଲା କଙ୍ଗାରୁ, ହିସାବ ବରାବର କଲା ଟିମ୍ ଇଣ୍ଡିଆ appeared first on Odisha Reporter.



from Odisha Reporter https://ift.tt/3poaBoC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages