ଜାଗ୍ରେବ: ଶକ୍ତିଶାଳୀ ଭୂକମ୍ପରେ ଥରି ଉଠିଥିବା କ୍ରୋଏସିଆରେ ରାତିତମାମ ଜାରି ରହିଛି ଉଦ୍ଧାର କାର୍ଯ୍ୟ। ବର୍ତ୍ତମାନ ସୁଦ୍ଧା ଭୂକମ୍ପରେ ୭ ଜଣଙ୍କ ଜୀବନ ଯାଇଥିବା ବେଳେ ହଜାର ହଜାର ଘର ଭାଙ୍ଗି ଚୂରମାର ହୋଇଯାଇଛି। ଧ୍ୱଂସାବଶେଷ ତଳେ ଶତାଧିକ ଲୋକ ଫସି ରହିଥିବା ଆଶଙ୍କା କରି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି।
ମଙ୍ଗଳବାର ସ୍ଥାନୀୟ ସମୟ ଦିନ ୧୧.୩୦ରେ କ୍ରୋଏସିଆରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୪ ରହିଛି। ଏଥିଯୋଗୁ ଏକାଧିକ ବିଲଡିଂ ଭୁଶୁଡ଼ି ପଡ଼ିଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ରାଜଧାନୀ ଝାଗ୍ରେବ ଠାରୁ ୫୦ କିମି ଦୂର ବୋଲି ଜଣାପଡ଼ିଛି।
୫୦ କିମି ଦୂରରେ କେନ୍ଦ୍ରସ୍ଥଳ ରହିଥିଲେ ହେଁ ରାଜଧାନୀରେ ମଧ୍ୟ ଝଟକା ଅନୁଭୂତ ହୋଇଛି। ଘଟଣା ପରେ ଲୋକମାନେ ଘରକୁ ବାହାରି ଆସି ଖୋଲା ସ୍ଥାନରେ ଦୀର୍ଘ ସମୟ ଧରି ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି।
ଭୂକମ୍ପ ପରେ ସବୁଆଡ଼େ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଲୋକମାନେ ସେମାନଙ୍କ ପ୍ରିୟଜନଙ୍କୁ ଖୋଜିବାରେ ଲାଗିଛନ୍ତି।
୨୦ ହଜାର ଘର ଥିବା ପେଟ୍ରିଞ୍ଜା ସହରର ଛବି ସାମ୍ନାକୁ ଆସିଛି। ଏଥିରୁ ଜଣାପଡ଼ୁଛି ଯେ ଘରର ଛାତ ଗୁଡ଼ିକ ଭୁଶୁଡ଼ି ପଡ଼ିଛି। ରାସ୍ତା ଉପରେ ଇଟା ଖଣ୍ତ ଓ ଅନ୍ୟାନ୍ୟା ସାମଗ୍ରୀ ଛିନଛତ୍ର ହୋଇ ପଡ଼ି ରହିଛି।
ଭୂକମ୍ପ ଝଟକା ଅନୁଭୂତ ହେବା ପରେ ଉଦ୍ଧାରକାରୀ ଦଳ ଆକ୍ସନ ମୋଡକୁ ଚାଲି ଆସିଥିଲେ। ରାତି ତମାମ ସେମାନେ ପରିଶ୍ରମ କରି ଅନେକ ଲୋକଙ୍କୁ ଧ୍ୱଂସାବଶେଷ ତଳୁ ଉଦ୍ଧାର କରିଥିଲେ। ତଥାପି ୭ ଜଣଙ୍କର ମୃତ୍ୟୁ ଘଟିଛି। ଏବେ ବି ଶତାଧିକ ଲୋକ ଧ୍ୱଂସାବଶେଷ ତଳେ ଚାପି ହୋଇ ରହିଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ଥିବା ଖୋଦ୍ କ୍ରୋଏସିଆ ପ୍ରଧାନମନ୍ତ୍ରୀ ଆଣ୍ଡ୍ରେଜ ପ୍ଲେନକୋଭିକ କହିଛନ୍ତି।
କ୍ରୋଏସିଆ ପୁଲିସ୍ କହିଛି ଯେ ଭୂକମ୍ପରେ ଜଣେ ୧୨ ବର୍ଷୀୟ ଝିଅଙ୍କୁ ମିଶାଇ ୭ ଜଣଙ୍କ ମୃତ୍ୟୁ ଘଟିଛି। ଏମାନେ ସମସ୍ତେ ପେଟ୍ରିଞ୍ଜାର ଗ୍ରାମାଞ୍ଚଳରେ ରହୁଥିଲେ। ସେହିପରି ୨୦ ଜଣ ଲୋକ ବର୍ତ୍ତମାନ ସୁଦ୍ଧା ଆହତ ହୋଇଥିବା ଜଣାପଡ଼ିଛି। କୁକୁରକୁ ବ୍ୟବହାର କରି ଧ୍ୱଂସାବଶେଷ ତଳୁ ୫ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଥିବା କ୍ରୋଏସିଆର ମାଉଣ୍ଟେନ ରେସ୍ୟୁ ସର୍ଭିସ ପକ୍ଷରୁ କୁହାଯାଇଛି।
୬.୪ ତୀବ୍ରତାର ଭୂକମ୍ପରେ ଆଉ କିଛି ଛୋଟ ଛୋଟ ଝଟକା ଅନୁଭୂତ ହୋଇଥିଲା। ଏହି କାରଣରୁ ପେଟ୍ରିଞ୍ଜାର ଲୋକମାନେ ରାତି ବେଳେ ସେମାନଙ୍କ ଘରକୁ ଯିବାକୁ ଅନିଚ୍ଛା ପ୍ରକାଶ କରିଥିଲେ। ସେହିପରି ଅନେକ ଲୋକଙ୍କ ଘରକୁ ମଧ୍ୟ ଭୂକମ୍ପ ଭାଙ୍ଗି ଦେଇଥିବାରୁ ସେମାନେ ଶେଲଟର ହୋମରେ ରହିବାକୁ ବାଧ୍ୟ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ପ୍ରକୃତ କ୍ଷୟକ୍ଷତି ସମ୍ପର୍କରେ ବିସ୍ତୃତ ସୂଚନା ମିଳିନାହିଁ। ଭୂକମ୍ପ ବେଳେ ଘରର ଛାତ ଭୁଶୁଡ଼ି ପଡ଼ି ରାସ୍ତା କଡ଼ରେ ଥିବା କାର୍ ଗୁଡ଼ିକ ଉପରେ ଖସି ପଡ଼ିଥିଲା। ଏହି କାରଣରୁ ଏକାଧିକ କାର ନଷ୍ଟ ହୋଇଥିବା ଜଣାପଡ଼ିଛି।
The post ଶକ୍ତିଶାଳୀ ଭୂକମ୍ପ ନେଲାଣି ୭ ଜୀବନ, ଧ୍ୱଂସାବଶେଷ ତଳେ ଶତାଧିକ ଫସିଥିବା ଆଶଙ୍କା appeared first on Odisha Reporter.
from Odisha Reporter https://ift.tt/3htRtmm
No comments:
Post a Comment