ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଣିଥିବା କୃଷି ଆଇନ ବିରୋଧରେ ସଂକଳ୍ପ ପାରିତ କରିବେ କେରଳ ସରକାର। ଏଥିପାଇଁ ରାଜ୍ୟ ସରକାର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବେ। ଏହି ଅଧିବେଶନ ବେଳେ କୃଷି ଆଇନ ଉପରେ ବିସ୍ତୃତ ଆଲୋଚନା କରାଯିବ ଓ ଏହାକୁ ବିରୋଧ କରିବା ପାଇଁ ଗୋଟିଏ ସଂକଳ୍ପ ପାରିତ କରାଯିବ।
ପ୍ରାୟ ଗୋଟିଏ ମାସ ହେଲାଣି ଦେଶର ହଜାର ହଜାର ଚାଷୀ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଛନ୍ତି। ଏହାକୁ ବିଭିନ୍ନ ସାମାଜିକ ସଂଗଠନ ଓ ସାଧାରଣ ଲୋକ ସମର୍ଥନ କରୁଛନ୍ତି। କେନ୍ଦ୍ର ସରକାର ଆନ୍ଦୋଳନ କରୁଥିବା ଚାଷୀଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିଲେ ହେଁ ଏଯାଏ ଏଥିରେ ସଫଳ ହୋଇ ନାହାନ୍ତି।
ଏସବୁ ଭିତରେ କେରଳ ସରକାର ଚାଷୀ ଆନ୍ଦୋଳନକୁ ଦୃଷ୍ଟିରେ ରଖି କ୍ୟାବିନେଟ୍ ବୈଠକ ଡାକିଥିଲେ। ସର୍ବସମ୍ମତିକ୍ରମେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକି କୃଷି ଆଇନ ବିରୋଧରେ ସଂକଳ୍ପ ପାରିତ କରିବାକୁ ଏଠାରେ ନିଷ୍ପତ୍ତି ହୋଇଛି। ଆସନ୍ତା ଡିସେମ୍ବର ୨୩ରେ ଏହି ଅଧିବେଶନ ବସିବ। ଏହାର ଅନୁମତି ଆଣିବାକୁ କେରଳ ସରକାର ରାଜ୍ୟପାଳ ଆରଫି ମହମ୍ମଦ ଖାନଙ୍କୁ ଏକ ଚିଠି ଲେଖିବେ।
କୁହାଯାଉଛି ଯେ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଓ ବିଧାନସଭାର ବିରୋଧୀ ଦଳ ନେତା କୃଷି ଆଇନକୁ ମିଳିତ ଭାବେ ବିରୋଧ କରୁଛନ୍ତି। ତେଣୁ ଗୃହରେ ସହମତି ଭିତ୍ତିରେ ଏହା ବିରୋଧରେ ଆସିବାକୁ ଥିବା ସଂକଳ୍ପ ବେଶ ଆରାମରେ ପାସ୍ ହୋଇଯିବ।
ଅନ୍ୟପକ୍ଷରେ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା ଚାଷୀମାନେ ଆଜି ରିଲେ ଅନଶନ କରୁଛନ୍ତି। ଗତକାଲି ସେମାନେ ସହିଦ ଦିବସ ବି ପାଳିଥିଲେ।
The post କୃଷି ଆଇନ ବିରୋଧୀ ସଂକଳ୍ପ ପାଇଁ ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ appeared first on Odisha Reporter.
from Odisha Reporter https://ift.tt/3nH37wC
No comments:
Post a Comment