ନୂଆଦିଲ୍ଲୀ: ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସି ଓ ବିରୋଧୀ ବିଜେପି ମଧ୍ୟରେ ସୃଷ୍ଟି ହୋଇଥିବା କଳି ଏବେ ଦେଶର ରାଜଧାନୀ ଦିଲ୍ଲୀରେ ପହଞ୍ଚିଛି। ଦିଲ୍ଲୀରେ ଥିବା ଟିଏମସିର ଅଫିସ ଓ ଦଳର ସାଂସଦ ଅଭିଷେକ ବାନାର୍ଜୀଙ୍କ ବାସଭବନ ଉପରେ ଦୁର୍ବୃତ୍ତମାନେ ଆକ୍ରମଣ କରିଛନ୍ତି। ଦୁର୍ବୃତ୍ତଙ୍କ ଆକ୍ରମଣରୁ ବେଙ୍ଗଲ ଭବନ ମଧ୍ୟ ବର୍ତ୍ତି ପାରିନାହିଁ।
ଅଭିଷେକ ବାନାର୍ଜୀ ହେଉଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା। ଗୁରୁବାର ଅଭିଷେକଙ୍କ ନିର୍ବାଚନ ମଣ୍ଡଳୀ ଡାଇମଣ୍ଡ ହାରବୋରରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କନଭୟ ଉପରେ ଆକ୍ରମଣ କରାଯାଇଥିଲା। ତେଣୁ ବିଜେପିର କର୍ମୀମାନେ ଏହାର ବଦଲା ନେବା ପାଇଁ ଅଭିଷେକ ବାନାର୍ଜୀଙ୍କ ଘର ଉପରେ ଆକ୍ରମଣ କରିଛନ୍ତି ବୋଲି କୁହଯାଉଛି।
ଦୁର୍ବୃତ୍ତମାନେ ପ୍ରଥମେ ଅଭିଷେକଙ୍କ ବାସଭବନର କାନ୍ଥ ଓ ନାମ ଫଳକରେ କଳା ବୋଳିଥିଲେ। ଏଥିସହ ସେମାନେ ସାଂସଦ ଓ ମମତାଙ୍କ ବିରୋଧରେ ନାରାବାଜି କରିଥିଲେ। ଖାଲି ସେତିକି ନୁହେଁ, ଏଠାରେ ଥିବା ଟିଏମସି ଅଫିସ ଉପରେ ମଧ୍ୟ ଆକ୍ରମଣ ହୋଇଛି। ସେହିପରି ରାତି ପ୍ରାୟ ୧୧ଟା ବେଳେ ଦିଲ୍ଲୀର ଚାଣକ୍ୟପୁରୀରେ ଥିବା ବେଙ୍ଗଲ ଭବନ ଉପରକୁ ଦୁର୍ବୃତ୍ତମାନେ ପ୍ରବଳ ପଥର ମାଡ଼ କରିଛନ୍ତି।
ଦିଲ୍ଲୀ ପୁଲିସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କିଛି ବିକ୍ଷୋଭକାରୀ ପ୍ରଥମେ ବେଙ୍ଗଲ ଭବନ ନିକଟରେ ପହଞ୍ଚି ସେଠାରେ କଳା ରଙ୍ଗ ବୋଳି ଥିଲେ ଓ ପଥର ମାଡ଼ କରିଥିଲେ। ଏହାପରେ ସମାନ ଗ୍ରୁପ୍ ଅଭିଷେକ ବାନାର୍ଜୀଙ୍କ ଘରର କାନ୍ଥରେ କଳା ବୋଳିଥିଲେ। ତେବେ ଏ ସମ୍ପର୍କରେ ଟିଏମସି ପକ୍ଷରୁ ଥାନାରେ କୌଣସି ପ୍ରକାରର ଅଭିଯୋଗ କରାଯାଇ ନାହିଁ।
The post ଦିଲ୍ଲୀରେ ଥିବା ଟିଏମସି ଅଫିସ ଓ ସାଂସଦଙ୍କ ଘର ଉପରେ ଆକ୍ରମଣ appeared first on Odisha Reporter.
from Odisha Reporter https://ift.tt/3qLm037
No comments:
Post a Comment