ହାଇଦ୍ରାବାଦ: ମୋବାଇଲ ଆପ୍ ଜରିଆରେ ଋଣ ନେଉଛନ୍ତି କି? ତା’ହେଲେ ଆପଣ ହୋଇ ପାରନ୍ତି ଠକାମୀର ଶିକାର। ପ୍ରଥମେ ବିନା ସୁଧରେ ଋଣ ଦେବା କଥା କହିବେ ଓ ତା’ରେ ୩୫% ଚାର୍ଜ ଲଗାଇ ଆପଣଙ୍କୁ ହରଡ଼ଘଣାରେ ପକାଇବେ। ଏଭଳି ଆପ୍ର ବଶବର୍ତ୍ତୀ ହୋଇ ଅନେକ ଲୋକ ଠକାମୀର ଶିକାର ହେବା ପରେ ପୁଲିସ୍ ଏହାର ପର୍ଦ୍ଦାଫାସ କରିଛି।
ବିନା ଅନୁମତିରେ ଆପ୍ ତିଆରି କରି ଋଣ ନାଁରେ ଲୋକଙ୍କୁ ଠକୁଥିବା ଗ୍ୟାଙ୍ଗର ଖୁଲାସା କରିଛି ପୁଲିସ୍। ଏଥିସହ ୭୫ଟି ବ୍ୟାଙ୍କ ଆକାଉଣ୍ଟରେ ଥିବା ପ୍ରାୟ ୪୨୩ କୋଟି ଟଙ୍କା ଜବତ କରିଛି। ୩୦ଟି ମୋବାଇଲ ଫୋନ୍ ଆପ୍ ଜରିଆରେ ଗ୍ରାହକଙ୍କୁ ପ୍ରଲୋଭିତ କରାଇ ପ୍ରଥମେ ଋଣ ଦିଆଯାଉଥିଲା। ହେଲେ ଋଣ ନେଇଗଲା ପରେ ମୂଳଧନ ଉପରେ ମାସିକ ୩୫% ସୁଧ ଲଗାଇ ଟଙ୍କା ଦେବାକୁ ଚାପ ପ୍ରୟୋଗ କରାଯାଉଥିଲା।
ଆରିବିଆଇ ଏପରି କୌଣସି ଆପକୁ ଅନୁମତି ଦେଇ ନଥିଲେ ହେଁ ଦୀର୍ଘଦିନ ଧରି ଦେଶର ବିଭିନ୍ନ ସ୍ଥାନରେ ଏଭଳି ବେଆଇନ କାର୍ଯ୍ୟ ଚାଲିଥିବା ଘଟଣା ସାଧାରଣ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି।
ନିକଟରେ ତେଲେଙ୍ଗାନାର ୩ ଜଣ ବ୍ୟକ୍ତି ଏପରି ବେଆଇନ ମୋବାଇଲ ଆପ୍ ଦ୍ୱାରା ଋଣ ନେଇଥିଲେ। ତେବେ ସେମାନଙ୍କୁ ଋଣ ପ୍ରଦାନକାରୀ ସଂସ୍ଥା ବାରମ୍ବାର ହଇରାଣ କରିବାରୁ ସେମାନେ ଆତ୍ମହତ୍ୟା କରିଥିଲେ। ଏହି ଖବର ପରେ ତେଲେଙ୍ଗାନା ପୁଲିସ୍ ଆକ୍ସନ ମୋଡକୁ ଚାଲି ଆସିଥିଲା। ପୁଲିସ ହାଇଦ୍ରାବାଦ ସମେତ ହରିଆଣାର ଗୁରୁଗ୍ରାମର ଏକାଧିକ ସ୍ଥାନରେ ରେଡ୍ କରି ୧୬ ଜଣଙ୍କୁ ଗିରଫ କରିଥିଲା। ସେହିପରି ସାଇବରବାଦ ପୁଲିସ୍ ଆଉ ଏକ ତଦନ୍ତ କରି ୭ ଜଣଙ୍କୁ ବାନ୍ଧିଥିଲା।
ଏମାନଙ୍କ ମଧ୍ୟରେ ଆମେରିକାରୁ ଇଞ୍ଜିନିୟର ଡିଗ୍ରୀ ହାସଲ କରିଥିବା ୩୨ ବର୍ଷୀୟ ଶରତ ଚନ୍ଦ୍ରା ରହିଥିଲା। ସେ Onion Credit Pvt Ltd and Cred Fox Technologies ଦ୍ୱାରା ଋଣ କାରବାର ଚଳାଇଥିଲା। ଏହା ୨୦୧୮-୨୦୧୯ରୁ କାର୍ଯ୍ୟ କରିବା ଆରମ୍ଭ କରିଛି। ଖାଲି ସେତିକି ନୁହେଁ, ସେ ଋଣ ପ୍ରଦାନକାରୀ ଆପ୍ ତିଆରି କରି ଏହାକୁ ବେଙ୍ଗାଲୁରୁ କମ୍ପାନୀକୁ ମଧ୍ୟ ବିକ୍ରି କରିଥିଲା।
ଏହି ବେଆଇନ କାରବାର ବେଙ୍ଗାଲୁରୁରେ ଜାନୁଆରୀ ଓ ଫେବୃଆରୀରେ ପଞ୍ଜୀକରଣ ହୋଇଥିବା ଫାର୍ମ ଦ୍ୱାରା ଚାଲିଥିଲା। ବ୍ୟବସାୟ ପାଇଁ ଗୁରୁଗ୍ରାମ ଓ ହାଇଦ୍ରାବାଦରେ କଲ୍ ସେଣ୍ଟର ମଧ୍ୟ ଖୋଲା ଯାଇଥିଲା। ପୁଲିସ୍ କହିଛି ଯେ କମ୍ପାନୀ ଗୁଡ଼ିକ ଅନେକ ଯୁବକ ଯୁବତୀଙ୍କୁ କଲ ସେଣ୍ଟରରେ ଚାକିରି ଦେଇଥିଲେ।
ଏମାନେ କେମିତି ଜଣେ ଗ୍ରାହକଙ୍କୁ ଆପ ଜରିଆରେ ଋଣ ନେବାକୁ ପ୍ରଲୋଭିତ କରିବେ, ତା’ର ଟ୍ରେନିଂ ନେଉଥିଲେ। ଏଥିସହ ଋଣ ଟଙ୍କା ଓ ସୁଧ ଆଦାୟ କରିବା ପାଇଁ କେମିତି କଠୋର ପଦକ୍ଷେପ ଓ ବ୍ଲାକମେଲ୍ କରିବାକୁ ପଡ଼ିବ, ସେକଥା ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ସମସ୍ତଙ୍କୁ ତାଲିମ ଦେଉଥିଲେ।
ବର୍ତ୍ତମାନ ସୁଦ୍ଧା ଠାବ ହୋଇଥିବା ୩ଟି କଲ ସେଣ୍ଟର୍ରେ ପ୍ରାୟ ହଜାରେ କର୍ମଚାରୀଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କୁ ମାସିକ ୧୦ରୁ ୧୫ ହଜାର ଟଙ୍କା ମିଳୁଥିଲା। ଏବେ ଏହି ପୁଲିସ୍ ପକ୍ଷରୁ ଘଟଣାର ଅଧିକ ତଦନ୍ତ କରାଯାଉଛି।
ବୁଧବାର ଆରବିଆଇ ଲୋକଙ୍କୁ ଆପ୍ ମାଧ୍ୟରେ ଋଣ ନ ନେବାକୁ ସତର୍କ କରାଇଥିଲା। ପ୍ରଥମେ ଏହି ମୋବାଇଲ ଆପ୍ ଗୁଡ଼ିକ ମାଗଣାରେ ଋଣ ପ୍ରଦାନ କରିବେ ବୋଲି କହିବେ। କିନ୍ତୁ ବାସ୍ତବରେ ସେମାନେ ଲୋକଙ୍କୁ ହରଡ଼ଘଣାରେ ପକାଇବେ। ଆପ୍ ଜରିଆରେ କୌଣସି ସଂସ୍ଥାକୁ ଋଣ ପ୍ରଦାନ କରିବାକୁ ଆରିବିଆଇ ଅନୁମତି ଦେଇନାହିଁ। ତେଣୁ ଯାହାର ବି ଋଣ ଦରକାର ସିଏ ସିଧା ବ୍ୟାଙ୍କ ଯାଇ ଏ ସମ୍ପର୍କରେ ଆଲୋଚନା କରିପାରିବେ ବୋଲି ଆରିବିଆଇ ପରାମର୍ଶ ଦେଇଥିଲା।
The post ଆପ୍ ଜରିଆରେ ଋଣ ନେଉଛନ୍ତି କି? ହୋଇପାରନ୍ତି ଠକାମୀର ଶିକାର appeared first on Odisha Reporter.
from Odisha Reporter https://ift.tt/34F2j3R
No comments:
Post a Comment