ନୂଆଦିଲ୍ଲୀ: କରୋନା ମହାମାରୀର ନୂଆ ରୂପର ଆତଙ୍କ ମଧ୍ୟରେ ଆସନ୍ତା ଜାନୁଆରୀ ପ୍ରଥମ ସପ୍ତାହରୁ ଭାରତରେ ଆରମ୍ଭ ହେବ ଟିକାକରଣ। ଭାରତୀୟଙ୍କର ଟିକାକରଣ ପାଇଁ ୪ ମାସ ତଳକୁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ସବୁ ପ୍ରକାରର ଯୋଜନା ଆରମ୍ଭ କରିଥିଲେ। ଏବେ ସବୁ କିଛି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ବିଶେଷଜ୍ଞ ଟିମ୍ ଟିକାକୁ ଅନୁମତି ଦେବା କ୍ଷଣି ଭାରତରେ ଟିକାକରଣ ଆରମ୍ଭ ହେବ ବୋଲି ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଟିକା ସୁରକ୍ଷା ଓ ପ୍ରଭାବ ହିଁ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଆମେ ଏଥିରେ କୌଣସି ପ୍ରକାରର ବୁଝାମଣା କରିପାରିବୁ ନାହିଁ। ମୁଁ ବ୍ୟକ୍ତିଗତ ଭାବେ ଆଶା ରଖିଛି ଯେ ଜାନୁଆରୀ ପ୍ରଥମ ସପ୍ତାହରେ ଭାରତରେ କରୋନା ଟିକାର ଡୋଜ୍ ଦେଶବାସୀଙ୍କୁ ଦିଆଯିବ।
ଟିକାକରଣ ପାଇଁ କେନ୍ଦ୍ର ସରକାର ୪ ମାସ ପୂର୍ବରୁ ରାଜ୍ୟ ସରକାରଙ୍କ ସହ ମିଶି କାମ କରିଛନ୍ତି। ଆମେ ରାଜ୍ୟ, ଜିଲ୍ଲା ଓ ବ୍ଲକ ସ୍ତର ଟିକାକରଣ ପାଇଁ ଟ୍ୟାକ୍ସଫୋର୍ସ ଗଠନ କରିଛୁ। ସମଗ୍ର ଦେଶରେ ହଜାର ହଜାର ମାଷ୍ଟର ଟ୍ରେନକୁ ସ୍ୱତନ୍ତ୍ର ଭାବେ ତାଲିମ ଦିଆଯାଇଛି। ସେହିପରି ୨୬୦ଟି ଜିଲ୍ଲାରେ ୨୦ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାକରଣ ପାଇଁ ତାଲିମ ଦିଆଯାଇଛି।
ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ଆମେ ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଲୋକଙ୍କୁ ଟିକା ଦେବୁ। ଏହି ୩୦ କୋଟି ଲୋକଙ୍କ ମଧ୍ୟରେ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ପୁଲିସ୍, ସେନା ଓ ସଫେଇ କର୍ମଚାରୀ ରହିଛନ୍ତି। ଏମାନଙ୍କ ବ୍ୟତୀତ ୫୦ ବର୍ଷ ବୟସରୁ ଅଧିକ ବୟସ୍କ ଓ ଏକଧିକ ରୋଗରେ ପୀଡ଼ିତ ଥିବା ଲୋକଙ୍କୁ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଟିକାକରଣ କରିବାକୁ ଗୁରୁତ୍ୱ ଦିଆଯାଉଛି।
ଏକାଧିକ ଟିକା ପ୍ରସ୍ତୁତକାରୀ କମ୍ପାନୀ ଭାରତରେ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମାଗିଛନ୍ତି। ପ୍ରଥମ ପର୍ଯ୍ୟାୟରେ ବିଶେଷଜ୍ଞ ଟିମ୍ ଫାଇଜର ଟିକା ଉପରେ ବିଚାର କରୁଛନ୍ତି। ସମସ୍ତେ ଟିକା ନିଅନ୍ତୁ ବୋଲି ଆମେ ଚାହୁଁଛୁ। ଟିକାକୁ ନେଇ ଲୋକଙ୍କ ମନରେ ଥିବା ସନ୍ଦେହ ଓ ଦ୍ୱନ୍ଦ୍ୱକୁ ଦୂର କରିବାକୁ ଆମେ ସବୁ ପ୍ରକାରର ବ୍ୟବସ୍ଥା କରିବୁ। ଏହାରପରେ ବି ଯଦି ଜଣେ ଟିକା ନେବାକୁ ଚାହିଁବେ ନାହିଁ, ତା’ହେଲେ ଆମେ କାହାକୁ ବାଧ୍ୟ କରିବୁ ନାହିଁ। ଟିକା ନେବା ଆଦୌ ବାଧ୍ୟତାମୂଳକ ହେବ ନାହିଁ ବୋଲି ସେ କହିଛନ୍ତି।
ବ୍ରିଟେନରେ କରୋନାର ନୂଆ ରୂପ ଯୋଗୁ ସଂକ୍ରମଣହାର ବଢ଼ୁଛି। ଏହା ଉପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ସ୍ଥିତି ଉପରେ ନଜର ରହିଛି। ଏହା ଉପରେ ଆଲୋଚନା କରିବାକୁ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ମଧ୍ୟ ବସୁଛି। ଭାରତ କଥା ବିଚାରକୁ ନେଲେ କିଛି ମାସ ତଳେ ଭାରତରେ ଆକ୍ଟିସ କେସ ୧୦ ଲକ୍ଷ ରହୁଥିଲା।
ହେଲେ ଏବେ ଏହା ୩ ଲକ୍ଷ ତଳକୁ ଖସି ଆସିଲାଣି। ମୋଟ ଉପରେ ୧ କୋଟିରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ବେଳେ ୯୫ ଲକ୍ଷ ଲୋକ ସୁସ୍ଥ ହୋଇଛନ୍ତି। ବିଶ୍ୱରେ ଆମେ ଦେଶର ଆରୋଗ୍ୟ ହାର ସବୁଠାରୁ ଉପରେ ରହିଛି।
ମୁଁ ଭାବୁଛି ବିପର୍ଯ୍ୟୟ ଆମକୁ ଅତିକ୍ରମ କରିସାରିଲାଣି। ତଥାପି ଆମକୁ ସତର୍କ ରହିବାକୁ ପଡ଼ିବ। ଆମକୁ କରୋନା ପାଇଁ ଜାରି କଟକଣାକୁ ଠିକ୍ ଭାବେ ପାଳନ କରିବାକୁ ହେବ। ମାସ୍କ, ହାତ ଧୋଇବା ଓ ସାମାଜିକ ଦୂରତା ଭଳି କରୋନା ବିରୋଧୀ ଅସ୍ତ୍ରକୁ ଆମେ କେବେ ଛାଡ଼ିବା ନାହିଁ ବୋଲି ସେ ପରାମର୍ଶ ଦେଇଛନ୍ତି।
The post ଜାନୁଆରୀରୁ ଭାରତରେ ଟିକାକରଣ, ୪ ମାସ ତଳୁ ହୋଇଛି ବ୍ଲ ପ୍ରିଣ୍ଟ appeared first on Odisha Reporter.
from Odisha Reporter https://ift.tt/37DIoUS
No comments:
Post a Comment