ବରଗଡ଼ (ଦୀପକ ଶର୍ମା): ବରଗଡ଼ ଜିଲ୍ଲା ବରପାଲି ଏନ୍ଏସି ଅନ୍ତର୍ଗତ ଜଗନ୍ନାଥ ନଗରରେ ଥିବା ଏକ ବସ୍ତିକୁ ରେଳବାଇ ପକ୍ଷରୁ ଉଚ୍ଛେଦ କରାଯିବା ପରେ ଅସହାୟ ହୋଇପଡ଼ିଛନ୍ତି ଶତାଧିକ ପରିବାର। ୪ ଦିନ ହେଲାଣି ସେମାନେ ଛୋଟ ଛୋଟ ଛୁଆଙ୍କୁ ଧରି ରାସ୍ତା କଡ଼ରେ ପଲିଥିନ୍ ଟାଣି ରହୁଛନ୍ତି। ଗଛତଳେ ବସି ଖାଉଛନ୍ତି। କେହି କେହି ପଲିଥିନ୍ ବି ଯୋଗାଡ଼ କରିବାକୁ ବି ଅସମର୍ଥ। ତେଣୁ ଖୋଲା ଆକାଶ ତଳେ ରହୁଛନ୍ତି। ଶୀତ ଦିନେ କୌଣସି ପ୍ରକାର ଥଇଥାନ ବ୍ୟବସ୍ଥା ନକରି ହଠାତ୍ ସେମାନଙ୍କୁ ଉଚ୍ଛେଦ କରାଯାଇଥିବାରୁ ଘର ଯୋଗାଇ ଦେବା ପାଇଁ ଏହି ଗରିବ ଲୋକମାନେ ପ୍ରଶାସନକୁ ନିବେଦନ କରିଛନ୍ତି।
ଘର ଭାଙ୍ଗିଯିବା ପରେ ଅସହାୟ ହୋଇପଡ଼ିଥିବା ଆରତି କୁମ୍ଭାର କହିଛନ୍ତି, ୭ ତାରିଖ ପର୍ଯ୍ୟନ୍ତ ନୋଟିସ୍ ଦିଆଯାଇଥିଲା। ହେଲେ ଦିନକ ଆଗରୁ ଆସି ଭାଙ୍ଗି ଦେଲେ। କେଉଁଠି ରହିବା ପାଇଁ ଜାଗାବାଡ଼ି କିଛି ଦେଲେନି। ଆମର ଜାଗା ନାହିଁ କି ପଇସା ନାହିଁ। ପ୍ରତିଦିନ କାମକୁ ଗଲେ ଚଳୁଛୁ। ଆମର ଦିନକ ଆୟ ଶହେ କି ଦେଢ଼ ଶହ ଟଙ୍କା। ପଇସା କେଉଁଠୁ ଆଣିବୁ ଯେ ଘର ଭଡ଼ା ନେଇ ରହିବୁ। ଘର ଭାଙ୍ଗିଯିବା ପରେ ପଲିଥିନ ଟାଣି ବଡ଼ କଷ୍ଟରେ ରହୁଛୁ। ଖାଇବା ପାଇଁ ବି ଅସୁବିଧା ହେଉଛି। ଆମକୁ ରହିବା ପାଇଁ ସରକାର କେଉଁଠି ଜାଗା ଟିକେ ଦିଅନ୍ତୁ ବୋଲି ଗୁହାରୀ କରୁଛୁ।
ସେହିପରି ସୁଷମା ନିଆଲ କହିଛନ୍ତି, ଛୁଆପିଲା ଧରି ରାସ୍ତାକଡ଼ରେ ରହୁଛୁ। ରାସ୍ତାରେ ଯା’ଆସ କରୁଥିବା ଲୋକେ ଖାଦ୍ୟ ଦେଲେ ଖାଉଛୁ। ଆମର ଦାବି ହେଉଛି, ଆମକୁ ଜାଗା ଦିଅନ୍ତୁ ରହିବାକୁ। କିନ୍ତୁ ଏଯାଏଁ ଆମ କଥା କେହି ଶୁଣୁ ନାହାନ୍ତି।
ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଜିଲ୍ଲା ପ୍ରଶାସନର ପ୍ରତିକ୍ରିୟା ମିଳିପାରି ନାହିଁ।
ସୂଚନାଯୋଗ୍ୟ, ବରପାଲି ରେଳ ଷ୍ଟେସନ୍ ପାଖରେ ରେଳବାଇ ଜମିରେ ଏହି ବସ୍ତିଟି ଗଢ଼ି ଉଠିଥିଲା। ପ୍ରାୟ ୫୦ ବର୍ଷ ହେଲେ ଗରିବ ଶ୍ରେଣୀର ଲୋକମାନେ ଏଠାରେ ରହୁଥିଲେ। ଏହି ଜାଗା ଖାଲି କରିବା ପାଇଁ ରେଳବାଇ ପକ୍ଷରୁ ନୋଟିସ୍ କରାଯିବା ସହ ୭ ଦିନ ସମୟ ଦିଆଯାଇଥିଲା। କିନ୍ତୁ ସମୟସୀମାର ଗୋଟିଏ ଦିନ ପୂର୍ବରୁ ସମସ୍ତ ଘରକୁ ବୁଲଡୋଜର ଲଗାଇ ଭାଙ୍ଗି ଦିଆଯାଇଥିଲା।
The post ‘ପଇସା କେଉଁଠୁ ଆଣିବୁ ଯେ ଘର ଭଡ଼ା ନେଇ ରହିବୁ’ appeared first on Odisha Reporter.
from Odisha Reporter https://ift.tt/3q3jC6O
No comments:
Post a Comment