ପୁରୀ(ଓଡ଼ିଶା ରିପୋର୍ଟର):ହଟିଲା ବାଧା, ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ସହଜ ଦର୍ଶନ। ଦିନକର କଟକଣା ପରେ ଆଜିଠୁ ପୁଣି ଶ୍ରୀଜିଉଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପ୍ରାପ୍ତି କରିଛନ୍ତି ଦର୍ଶନାର୍ଥୀ। ସେପଟେ ଆଜିଠୁ ପୁରୀକୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଶ୍ରୀମନ୍ଦିର ପ୍ରବେଶ ପାଇଁ ସହଜ ହେବ। ଅର୍ଥାତ ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ଯିବା ପାଇଁ ଆଉ ଲମ୍ବା ଲାଇନରେ ଛିଡ଼ା ହେବାକୁ ପଡ଼ିବ ନାହିଁ । ଶ୍ରୀମନ୍ଦିର ଆଗରେ ଲାଗିଥିବା ଲମ୍ବା ବାରିକେଡ୍ ହଟାଇଛି ପ୍ରଶାସନ। ଜଗନ୍ନାଥବଲ୍ଲଭଠାରୁ ମରିଚିକୋଟ୍ ଯାଏ ବ୍ୟାରିକେଡ୍ ହଟା ଯାଉଥିବା ନେଇ ସୂଚନା ଦେଇଛନ୍ତି ପୁରୀ ଏସ୍ପି କନଓ୍ବର ବିଶାଲ ସିଂହ ।
ଦର୍ଶନ ବ୍ୟବସ୍ଥାକୁ ଅଧିକ ସହଜ କରିବା ପାଇଁ ଏହି ଲମ୍ବା ବ୍ୟାରିକେଡ୍ ଖୋଲାଯାଇଛି । ଦର୍ଶନ ବେଳେ ଏହି ବାରିକେଡ୍ ବ୍ୟବସ୍ଥା ସମସ୍ୟା ସୃଷ୍ଟି କରୁଥିବା ପ୍ରଶାସନ ନଜରକୁ ଆସିଥିଲା । ଅନ୍ୟପଟେ ଗତକାଲି ରବିବାରରେ ମନ୍ଦିର ବନ୍ଦ ରଖାଯାଇ ସାନିଟାଇଜ୍ କରାଯାଇଛି। ଗତ ୨୧ ତାରିଖରୁ ଶ୍ରୀମନ୍ଦିର ପ୍ରବେଶ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ଆବଶ୍ୟକତା ନଥିବାରୁ ଅଧିକ ସଂଖ୍ୟକ ଭକ୍ତ ଶ୍ରୀଜିଉଙ୍କ ଦର୍ଶନ କରୁଛନ୍ତି ।
କରୋନା ଯୋଗୁ ୧୦ ମାସ ବନ୍ଦ ରହିବା ପରେ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ସ୍ୱାଭାବିକ ହୋଇଛି। ଜାନୁଆରୀ ୨୧ ତାରିଖରୁ ଲୋକେ ବିନା କୋଭିଡ୍ ରିପୋର୍ଟରେ ଶ୍ରୀଜିଉଙ୍କ ଦର୍ଶନ କରୁଛନ୍ତି। ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତ ପ୍ରୋଟୋକଲ୍ ମାନି ମାର୍କେଟ୍ ଛକରୁ ସିଂହଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ଯାଉଛନ୍ତି। ଦର୍ଶନ ପରେ ସେମାନେ ଉତ୍ତର ଦ୍ୱାର ଦେଇ ବାହାରୁଛନ୍ତି।
ଭକ୍ତ ମାନଙ୍କୁ ହାତ ସାନିଟାଇଜ୍ କରି ମନ୍ଦିରକୁ ପ୍ରବେଶ କରିବାକୁ କୁହାଯାଇଥିବା ବେଳେ ସାମାଜିକ ଦୂରତା ରକ୍ଷା କରିବା, ଦେବାଦେବୀଙ୍କୁ ସ୍ପର୍ଶ ନକରିବା, ପାନ ଓ ଗୁଟଖା ଛେପ ନପକାଇବାକୁ କୁହାଯାଇଛି। ତା’ସହିତ ଶ୍ରୀମନ୍ଦିର ଭିତରେ କିମ୍ବା ବାହାରେ ମହାପ୍ରସାଦ ସେବନ ନକରିବା ଭଳି ସମସ୍ତ ଏସଓପି ପାଳନ କରିବାକୁ କୁହାଯାଇଛି। ଥର୍ମାଲ୍ ସ୍କ୍ରିନିଂ ବେଳେ ଶରୀରର ତାପମାତ୍ର ୧୦୦ ଉପରକୁ ରହିଲେ ଭକ୍ତଙ୍କୁ ମନ୍ଦିର ଭିତରକୁ ନଛାଡ଼ିବାକୁ ବ୍ୟବସ୍ଥା ହୋଇଛି। ସେହିପରି କରୋନାକୁ ଦୃଷ୍ଟିରେ ରଖି ମନ୍ଦିରକୁ ସାନିଟାଇଜ୍ କରିବା ପାଇଁ ପ୍ରତି ରବିବାର ଶ୍ରୀଜିଉଙ୍କ ଦର୍ଶନକୁ ବନ୍ଦ ରଖାଯାଇଛି।
The post ହଟିଲା ବାରିକେଡ୍, ଆଜିଠୁ ଶ୍ରୀମନ୍ଦିରରେ ସହଜ ଦର୍ଶନ appeared first on Odisha Reporter.
from Odisha Reporter https://ift.tt/39bKP1E
No comments:
Post a Comment