ପଳାଇଲେ ପନ୍ତ-ପୂଜାରା, ଆଶା ମଉଳିଗଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 10, 2021

ପଳାଇଲେ ପନ୍ତ-ପୂଜାରା, ଆଶା ମଉଳିଗଲା

ସିଡ୍‌ନୀ: ଆଜି ଏକ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଥିଲା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡ୍‌ନୀରେ ଖେଳାଯାଉଥିବା ତୃତୀୟ ଟେଷ୍ଟ୍ ମ୍ୟାଚ୍‌। ଏକ ସମୟରେ ଲାଗୁଥିଲା ଭାରତ ନିଶ୍ଚିତ ଏହି ମ୍ୟାଚ୍ ଜିତିଯିବ। କାରଣ ଚେତେଶ୍ୱର ପୂଜାରା ଓ ଋଷଭ ପନ୍ତ ଯୋଡ଼ି କ୍ରିଜ୍‌ରେ ଜମି ଯାଇଥିଲେ ଓ ଦୁହିଁଙ୍କ ମଧ୍ୟରେ ୧୪୮ ରନ୍‌ର ପାର୍ଟନରଶିପ୍ ହୋଇଥିଲା। ହେଲେ ଆଗପଛ ହୋଇ ଦୁହେଁ ଚାଲିଯିବା ପରେ ଯେଉଁ ଆଶା ସେମାନେ ଦେଖାଇଥିଲେ, ତାହା ମଉଳି ଯାଇଛି।

୪୦୭ ରନ୍‌ର ଟାର୍ଗେଟ୍‌ରେ ପହଞ୍ଚିବା ପାଇଁ ଗତକାଲି ରୋହିତ ଶର୍ମା ଓ ଶୁବମନ ଗିଲ୍‌ ଭଲ ଆରମ୍ଭ ଦେଇଥିଲେ। କିନ୍ତୁ କ୍ରିଜ୍‌ରେ ଅଧିକ ସମୟ ତିଷ୍ଠି ପାରି ନଥିଲେ। ଆଉ ଆଜି ଅଧିନାୟକ ଆଜିଙ୍କ୍ୟ ରାହାଣେ ଆଉଟ୍ ହୋଇଯିବା ପରେ ଭାରତୀୟ କ୍ରିକେଟ୍‌ ପ୍ରେମୀମାନେ ଆଶା ଛାଡ଼ି ଦେଇଥିଲେ। କିନ୍ତୁ ଏହା ପରେ ୱିକେଟ୍ କିପର ଋଷଭ ପନ୍ତ ବଦଳାଇ ଦେଇଥିଲେ ଖେଳର ମୋଡ଼। ଚେତେଶ୍ୱର ପୂଜାରଙ୍କ ସହ ମିଶି ସେ ଆଗେଇ ନେଇଥିଲେ ଦଳୀୟ ସ୍କୋରକୁ। ସେ ପୂରା ଆକ୍ରମଣାତ୍ମକ ଢଙ୍ଗରେ ଖେଳିଥିଲେ।

ପୂଜାରା-ପନ୍ତ ପାର୍ଟନରଶିପ୍‌ରୁ ଦଳକୁ ମିଳିଥିଲା ୧୪୮ ରନ୍‌। ହେଲେ ଶତକ ଠାରୁ ଆଉ ମାତ୍ର ୩ ରନ୍‌ ଦୂରରେ ଥିବା ବେଳେ ଆଉଟ୍ ହୋଇଯାଇଥିଲେ ପନ୍ତ। ନାଥନ ଲିୟନଙ୍କ ବଲରେ ପ୍ୟାଟ୍‌ କମିନ୍ସଙ୍କ ଦ୍ୱାରା ସେ ହୋଇଥିଲେ କ୍ୟାଚ୍ ଆଉଟ୍। ପ୍ୟାଭିଲିୟନକୁ ଫେରିବା ବେଳକୁ ସେ ୯୭ ରନ୍ କରିଥିଲେ। ୧୧୮ଟି ବଲ୍‌ରୁ ୧୨ଟି ଚୌକା ଓ ୩ଟି ଛକା ସହାୟତାରେ ସେ ଏହି ରନ୍ ସଂଗ୍ରହ କରିଥିଲେ।

ଦଳୀୟ ସ୍କୋର ୨୫୦ ରନ୍ ହୋଇଥିବା ବେଳେ ପନ୍ତ ଆଉଟ୍ ହୋଇଥିଲେ। ପୂଜାରା କ୍ରିଜ୍‌ରେ ଥିବାରୁ ବିଜୟ ଆଶା ତଥାପି ଉଦ୍‌ଜୀବିତ ରହିଥିଲା। ତେବେ ଦଳୀୟ ସ୍କୋର ୨୭୨ରେ ପହଞ୍ଚିଥିବା ବେଳେ ପୂଜାରା ଆଉଟ୍ ହୋଇଥିଲେ। ସେ ୨୦୫ ବଲ୍‌ରୁ ୧୨ଟି ଚୌକା ସହାୟତାରେ ୭୭ ରନ୍ କରିଥିଲେ। ଜୋଶ ହେଜେଲ୍‌ଉଡ୍‌ ତାଙ୍କୁ ବୋଲ୍ଡ କରି ଦେଇଥିଲେ। ‌

ଖବର ଲେଖାଯିବା ସୁଦ୍ଧା ଦଳ ୫ ୱିକେଟ୍ ହରାଇ ୨୭୫ ରନ୍ କରିଥିବା ବେଳେ ବିଜୟୀ ହେବାକୁ ଆହୁରି ୧୩୨ ରନ୍ ଆବଶ୍ୟକ ହେଉଛି। କ୍ରିଜ୍‌ରେ ଅଛନ୍ତି ହନୁମା ବିହାରୀ ଓ ରବିଚନ୍ଦ୍ରନ ଅଶ୍ୱିନ୍‌।

ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍‌ରେ ୩୩୮ ରନ୍ କରିଥିଲା। ଭାରତ ପ୍ରଥମ ଇନିଂସରେ ୨୪୪ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା। ଦ୍ୱିତୀୟ ଇନିଂସ୍‌ରେ ଅଷ୍ଟ୍ରେଲିଆ ୬ ୱିକେଟ୍ ହରାଇ ୩୧୨ ରନ୍ କରିବା ପରେ ପାଳି ଘୋଷଣା କରିଥିଲା । ଏହା ସହିତ ଭାରତ ସମ୍ମୁଖରେ ବିଜୟ ପାଇଁ ୪୦୭ ରନ୍‌ର ଟାର୍ଗେଟ୍ ରଖିଥିଲା। ଏହି ଟାର୍ଗେଟ୍‌ର ପିଛା କରି ଗତକାଲି ଦୁଇ ଓପନ୍‌ର ରୋହିତ ଶର୍ମା ଓ ଶୁବମନ ଗିଲ୍ ଯଥାକ୍ରେମ ୫୨ ଓ ୩୧ ରନ୍‌ରେ ଆଉଟ୍ ହୋଇଥିଲେ।

The post ପଳାଇଲେ ପନ୍ତ-ପୂଜାରା, ଆଶା ମଉଳିଗଲା appeared first on Odisha Reporter.



from Odisha Reporter https://ift.tt/3qaQFpM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages