ବ୍ରିସ୍ବେନ୍: ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ତଥା ଶେଷ ଟେଷ୍ଟର ପ୍ରଥମ ଇନିଂସ୍ରେ ଟିମ୍ ଇଣ୍ଡିଆ ତା’ର ସମସ୍ତ ବ୍ୟାଟ୍ସମ୍ୟାନ୍ଙ୍କ ୱିକେଟ୍ ହରାଇ ସାରିଥିବା ବେଳେ ଦଳୀୟ ସ୍କୋରକୁ ଆଗେଇ ନେବାର ଦାୟିତ୍ୱ ଏବେ ପଡ଼ିଛି ବୋଲରମାନଙ୍କ କାନ୍ଧରେ। ଆଉ ଏହାକୁ ବେଶ୍ ଦାୟିତ୍ୱର ସହିତ ସମ୍ଭାଳିଛନ୍ତି ୱାଶିଂଟନ ସୁନ୍ଦର ଓ ଶାର୍ଦ୍ଦୁଳ ଠାକୁର।
ଖବର ଲେଖାଯିବା ସୁଦ୍ଧା ଏହି ମ୍ୟାଚ୍ରେ ଡେବ୍ୟୁ କରିଥିବା ୱାଶିଂଟନ ସୁନ୍ଦର ୩୮ ରନ୍ କରିଥିବା ବେଳେ ଶାର୍ଦ୍ଦୁଳ ଠାକୁର ୩୩ ରନ୍ କରିଛନ୍ତି। ସେମାନଙ୍କ ମଧ୍ୟରେ ୬୭ ରନ୍ର ପାର୍ଟନରଶିପ୍ ହୋଇସାରିଥିବା ବେଳେ ଦଳୀୟ ସ୍କୋର ବି ବଢ଼ି ଚାଲିଛି। ଦଳୀୟ ସ୍କୋର ୨୫୩ ହୋଇଥିବା ବେଳେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସର ସ୍କୋର ଠାରୁ ଆହୁରି ୧୧୬ ରନ୍ ପଛରେ ରହିଛି ଟିମ୍ ଇଣ୍ଡିଆ।
ପ୍ରଥମ ଇନିଂସ୍ରେ ଅଷ୍ଟ୍ରେଲିଆ ୩୬୯ ରନ୍ କରିଥିବା ବେଳେ ଉଭୟ ୱାଶିଂଟନ ଓ ଶାର୍ଦ୍ଦୁଳ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ।
ସୂଚନାଯୋଗ୍ୟ, ଦଳୀୟ ସ୍କୋର ୧୮୬ରେ ପହଞ୍ଚିଥିବା ବେଳେ ଟିମ୍ ଇଣ୍ଡିଆ ତା’ର ସମସ୍ତ ପ୍ରମୁଖ ବ୍ୟାଟ୍ସମାନଙ୍କୁ ହରାଇ ଦେଇଥିଲା। ଓପନର ରୋହିତ ଶର୍ମା (୪୪ ରନ୍) ଓ ଶୁବମନ ଗିଲ୍ (୭ ରନ୍) କରି ଗତକାଲି ଆଉଟ୍ ହୋଇଯାଇଥିଲେ। ଅପରାଜିତ ଥିବା ଚେତେଶ୍ୱର ପୂଜାରା ଓ ଅଧିନାୟକ ଆଜିଙ୍କ୍ୟ ରାହାଣେ ମଧ୍ୟ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ଚେତେଶ୍ୱର ଗତକାଲି ୮ ରନ୍ କରିଥିବା ବେଳେ ଆଜି ଆଉ ମାତ୍ର ୧୭ ରନ୍ କରି ଜୋଶ ହେଜେଲଉଡ୍ଙ୍କ ବଲ୍ରେ ଟିମ୍ ପେନ୍ଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ସେହିପରି ରାହାଣେ ୯୩ଟି ବଲ୍ରୁ ୩୭ ରନ୍ କରି ମିଚେଲ ଷ୍ଟାର୍କଙ୍କ ବଲ୍ରେ ମାଥ୍ୟୁ ୱାଡେଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ମୟଙ୍କ ଅଗ୍ରୱାଲ୍ ୭୫ଟି ବଲ୍ରୁ ୩୮ ରନ୍ (୩ ଚୌକା, ୧ ଛକା) କରିଥିବା ବେଳେ ଜୋଶ ହେଜେଲଉଡ୍ଙ୍କ ବଲ୍ରେ ଷ୍ଟିଭ୍ ସ୍ମିଥ୍ଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ତୃତୀୟ ଟେଷ୍ଟରେ ଭଲ ଖେଳିଥିବା ଋଷଭ ପନ୍ତ ମଧ୍ୟ କିଛି କମାଲ କରି ପାରି ନଥିଲେ। ସେ ୨୯ଟି ବଲ୍ରେ ୨୩ ରନ୍ କରି ହେଜେଲଉଡ୍ଙ୍କ ଶିକାର ହୋଇଥିଲେ। କାମେରନ ଗ୍ରୀନ୍ ତାଙ୍କ କ୍ୟାଚ୍ ନେଇଥିଲେ।
The post ୱାଶିଂଟନ ଓ ଶାର୍ଦ୍ଦୁଳଙ୍କ ‘ସୁନ୍ଦର’ ପାର୍ଟନରଶିପ୍, ଆଗେଇ ଚାଲିଛି ଟିମ୍ ଇଣ୍ଡିଆ appeared first on Odisha Reporter.
from Odisha Reporter https://ift.tt/3bJbTXG
No comments:
Post a Comment