ଝାରସୁଗୁଡ଼ା(ଭାଗିରଥୀ ସାହୁ): ମନ ଖୁସିରେ ମାମୁ ଘରକୁ ବୁଲି ଆସିଥିଲା କୁନି ଭାଣିଜୀ। ହେଲେ ଜାଣି ନ ଥିଲା ମୃତ୍ୟୁ ତାକୁ ଅପେକ୍ଷା କରିଛି। ସମ୍ପତ୍ତି ଲୋଭି ମାମୁ ଘରେ ନିଆଁ ଲଗାଇ ଦେବାରୁ ପୋଡ଼ି ଗୁରୁତର ହୋଇଥିବା ଭାଣିଜୀ ୮ ଦିନ କାଳ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଛି। ଏହି ଅଗ୍ନିକାଣ୍ଡରେ ମୃତ ନାବାଳିକାଙ୍କ ମା’ ଅନ୍ୟ ଜଣେ ମାମୁ ଓ ଆଇ ଗୁରୁତର ହୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଏପରି ଅଭାବନୀୟ ଘଟଣା ଗତ ୧୧ ତାରିଖରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ହରିଓମ୍ ବିହାରରେ ଘଟିଥିବା ବେଳେ ଏଥିରେ ପରିବାରର ୪ ଜଣ ଗୁରୁତର ହୋଇ ପଡ଼ିଥିଲେ।
ଗୁରୁତରମାନେ ହେଲେ ରାଜେନ୍ଦର ସିଂ ( ୩୨), ମଂଜୀତ କୌର (୩୬), ବଲଜୀତ କୌର (୬୧), । ଏହି ୩ ଜଣ ଏବେ ମଧ୍ୟ ରାଉରକେଲାରେ ଚିକିତ୍ସାଧୀନ ଅଛନ୍ତି।ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ରବୀନ୍ଦ୍ର ସିଂ ସହ ୨ ଜଣ ଗିରଫ ହୋଇ ସାରିଛନ୍ତି।
ସୂଚନା ଅନୁଯାୟୀ, ଘଟଣା ଦିନ ରାତିରେ ସମସ୍ତେ ଶୋଇ ପଡ଼ିଥିଲେ। ରବୀନ୍ଦ୍ର ଯୋଜନା ମୁତାବକ ଘରେ ଆଗରୁ ପେଟ୍ରୋଲ ରଖିଥିଲେ। ବିଳମ୍ବିତ ରାତିରେ ଘରର ଗେଟ୍ ଖୋଲିବାରୁ ତାଙ୍କ ୨ ସହଯୋଗୀ ଘର ଭିତରକୁ ପଶିଥିଲେ। ଏହାପରେ ସମସ୍ତେ ମିଶି ମା’, ପୁଅ, ଝିଅ ଶୋଇଥିବା ରୁମ୍ରେ ପେଟ୍ରୋଲ ଢାଳି ଘରର କବାଟକୁ ବାହାରୁ ବନ୍ଦ କରିଦେଇଥିଲେ। ନିଆଁ ଲାଗିବାରୁ ଘରେ ଥିବା ଲୋକେ ଆର୍ତ୍ତ ଚିତ୍କାର କରିଥିଲେ। କିଏ କାଳେ ସନ୍ଦେହ କରିବ ଭାବି କିଛି ସମୟ ପରେ ଘରର କବାଟ ଖୋଲି ଗୁରୁତର ହୋଇପଡ଼ିଥିବା ୪ ଜଣଙ୍କୁ ନିଜ ଗାଡ଼ିରେ ଝାରସୁଗୁଡ଼ାସ୍ଥିତ ଏକ ଡାକ୍ତରଖାନା ନେଇଥିଲେ। ମାତ୍ର ସେଠାରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଦୀର୍ଘ ଦିନ ମୃତ୍ୟୁ ସହ ସଂଗ୍ରାମ କରି ନାବାଳିକାଜଣକ ଆଜି ସକାଳେ ଆଖି ବୁଜିଥିବା ଜଣାଯାଇଛି।
ଏହି ଘଟଣାରେ ସମ୍ପୃକ୍ତ ରବୀନ୍ଦ୍ର ଓ ତାଙ୍କ ୨ ସହଯୋଗୀଙ୍କୁ ଗତ ୧୩ ତାରିଖରେ ପୁଲିସ୍ ଗିରଫ କରିଥିଲା। ୨ ସହଯୋଗୀଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାଯାଇଛି।
ସୂଚନାଯୋଗ୍ୟ,ଘଟଣା ଦିନ ତଳ ମହଲାରେ ବୃଦ୍ଧା ନିଜ ପୁଅ, ଝିଅ ଓ ନାତୁଣୀଙ୍କ ସହ ଶୋଇଥିବା ବେଳେ ଉପର ମହଲାରେ ଅଭିଯୁକ୍ତ ରବୀନ୍ଦ୍ର ଓ ଘରର ଚାକର ଶୋଇଥିଲେ। ହେଲେ ଭୋର ୪ଟାରେ ହଠାତ୍ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ତଳ ମହଲାରେ ଶୋଇଥିବା ୪ ଜଣ ଗୁରୁତର ହୋଇପଡ଼ିଥିଲେ। ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଘଟଣାର କିଛି ଦିନ ପୂର୍ବରୁ ତାଙ୍କ ଝିଅ ନାତୁଣୀ ସହ ବାପଘରକୁ ବୁଲି ଆସିଥିଲେ।
ଘଟଣା ଦିନ ରାତିରେ ଘରର ମେନ୍ ଗେଟ୍ ସମେତ ଭିତର ପଟୁ କବାଟ ବନ୍ଦ କରି ସମସ୍ତେ ଶୋଇଥିଲେ। ହେଲେ କିପରି ନିଆଁ ଲାଗିଲା, ଉପର ମହଲାରେ ଶୋଇଥିବା ୨ ଜଣ କିପରି ସୁରକ୍ଷିତ ରହିଲେ, ତାହାକୁ ନେଇ ସନ୍ଦେହ ବଢ଼ିଥିଲା। ଏହାପରେ ପୁଲିସ୍ ଖୋଲତାଡ଼ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।
The post ଘରେ ନିଆଁ ଲଗାଇଥିଲା ସମ୍ପତ୍ତି ଲୋଭି ମାମୁ , ଆଖି ବୁଜିଲା ଭାଣିଜୀ appeared first on Odisha Reporter.
from Odisha Reporter https://ift.tt/39JktDh
No comments:
Post a Comment