ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନ୍ନପୂର୍ଣ୍ଣା ଯୋଜନାରେ କାହାକୁ ମାଗଣାରେ ଖାଦ୍ୟ ଦିଆଯାଉ ନାହିଁ। ଏଥିନିମନ୍ତେ ଲୋକଙ୍କୁ ଦେବାକୁ ପଡ଼ିବ ୧ ଟଙ୍କା । ରାଜ୍ୟ ସରକାରଙ୍କ ‘ଆହାର’ ଯୋଜନାକୁ କାଉଣ୍ଟର କରିବ। ନିମନ୍ତେ କିଛି ଦିନ ପୂର୍ବେ ବିଜେପି ନେତ୍ରୀ ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଘୋଷଣା କରିଥିଲେ ‘ଅନ୍ନପୂର୍ଣ୍ଣା’ ଯୋଜନା। ଆହାର ଯୋଜନାରେ ଲୋକଙ୍କୁ ୫ ଟଙ୍କାରେ ଭାତ, ଡାଲମା ମିଳୁଥିବା ବେଳେ ସାଂସଦ ଷଡଙ୍ଗୀ କିନ୍ତୁ ଲୋକଙ୍କୁ ମାଗଣାରେ ଖାଦ୍ୟ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଥିଲେ। ହେଲେ ଏହା ଉପରେ ବିଏମ୍ସି ରୋକ ଲଗାଇବାକୁ ଚେଷ୍ଟା ଚଳାଇଥିବା ବେଳେ ଏପରି ଜବାବ ରଖିଛନ୍ତି ସାଂସଦ।
ସୂଚନାଯୋଗ୍ୟ, ବିଏମ୍ସି ପକ୍ଷରୁ ଜାରି ନୋଟିସରେ କୁହାଯାଇଛି ଯେ କିଛି ଲୋକ ରାଜଧାନୀର ବାସଶୂନ୍ୟ ଲୋକଙ୍କୁ ବିନା ଅନୁମତିରେ ଖାଦ୍ୟ ତଥା ବସ୍ତ୍ର ବଣ୍ଟନ କରୁଛନ୍ତି। ଯଦ୍ୱାରା ସେହି ଲୋକମାନଙ୍କର ମାନସିକତାରେ ପରିବର୍ତ୍ତନ ହେଉନାହିଁ। ରାସ୍ତା କଡ଼ ଛାଡ଼ି ସେମାନେ ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ପରିଚାଳିତ ହେଉଥିବା ଆଶ୍ରୟସ୍ଥଳୀରେ ରହିବାକୁ ପସନ୍ଦ କରୁନାହାନ୍ତି। ଫଳସ୍ୱରୂପ ଭୁବନେଶ୍ୱରକୁ ଏକ ଭିକ୍ଷାବୃତ୍ତିମୁକ୍ତ ସହରରେ ପରିଣତ କରିବାର ସମସ୍ତ ପ୍ରୟାସ ବିଫଳ ହେଉଛି। ତେଣୁ ରାସ୍ତା କଡ଼ରେ ଥିବା ଲୋକଙ୍କୁ ଖାଦ୍ୟ ତଥା ବସ୍ତ୍ର ବଣ୍ଟନ ନ କରିବାକୁ କଡ଼ାକଡ଼ି ନିର୍ଦ୍ଦେଶ ଦିଆଯାଇଛି।
ଏହାସତ୍ତ୍ୱେ ଇଚ୍ଛୁକ ଲୋକ ଭୁବନେଶ୍ୱର ମହାନଗର ନିଗମଠାରୁ ଅନୁମତି ନେଇ ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ପରିଚାଳିତ ହେଉଥିବା ଆଶ୍ରୟସ୍ଥଳରେ ବସବାସ କରୁଥିବା ବ୍ୟକ୍ତିଙ୍କୁ ଖାଦ୍ୟ, ବସ୍ତ୍ର ପ୍ରଦାନ କରିପାରିବେ। ଯଦି କୌଣସି ବ୍ୟକ୍ତି ବା ଅନୁଷ୍ଠାନ ଏହାର ଉଲ୍ଲଘଂନ କରନ୍ତି, ସେମାନଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନିଆଯିବ ବୋଲି ମଧ୍ୟ ବିଏମ୍ସି ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି।
ବିନାନୁମତିରେ ମାଗଣା ଖାଦ୍ୟ ବଣ୍ଟନକୁ ଗତକାଲି BMC ବାରଣ କରିଥିବା ବେଳେ ଆଜି ଏହାର ଜବାବ ରଖିଛନ୍ତି ସାଂସଦ ଷଡଙ୍ଗୀ । ସେ କହିଛନ୍ତି, ଅନ୍ନପୂର୍ଣ୍ଣା ଯୋଜନାରେ ଖାଦ୍ୟ ମାଗଣା ନୁହେଁ। ୧ ଟଙ୍କାରେ ମିଳିବ ଏହି ଖାଦ୍ୟ। ଅନ୍ନପୂର୍ଣ୍ଣା ଯୋଜନାରେ ୧ ଟଙ୍କାରେ ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯିବ। ଏହା BMCର କଟକଣା ଭିତରେ ଆସୁ ନାହିଁ ବୋଲି ମଧ୍ୟ ଅପରାଜିତା କହିଛନ୍ତି।
ସୂଚନା ଅନୁସାରେ ସ୍ଥାନୀୟ ସାଂସଦ ତଥା ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ ଗତ ୮ ତାରିଖରେ ‘ଅନ୍ନପୂର୍ଣ୍ଣା’ ନାମକ ଏକ ଟ୍ରଷ୍ଟର ଲୋକାର୍ପଣ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଏହି ଟ୍ରଷ୍ଟ ମାଧ୍ୟମରେ ଭୁବନେଶ୍ୱର ସହରରେ ଗରିବ ଓ ଭୋକିଲା ଲୋକଙ୍କୁ ମାଗଣା ରନ୍ଧାଖାଦ୍ୟ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା। ଯାହାକି ସିଧାସଳଖ ରାଜ୍ୟ ସରକାରଙ୍କ ୫ଟଙ୍କିଆ ଭାତ-ଡାଲମା ଯୋଜନା ‘ଆହାର’କୁ କାଉଣ୍ଟର କରିବ ବୋଲି ଆଲୋଚନା ଜୋର ଧରିଥିଲା। । ଅବଶ୍ୟ ମହାନଗରର ୧୦ଟି ସ୍ଥାନରେ ଥିବା ଆହାର କେନ୍ଦ୍ରରେ ଦୈନିକ ୭୫୦୦ ମିଲ୍ ବିକ୍ରି ହେଉଥିବାବେଳେ ଅପରାଜିତାଙ୍କ ‘ଅନ୍ନପୂର୍ଣ୍ଣା’ କେତେ ଲୋକଙ୍କୁ ଦୈନିକ ରନ୍ଧାଖାଦ୍ୟ ଯୋଗାଇଦେବ ତାହା ଜଣାପଡ଼ିନି।
୫ଟି ସ୍ୱେଚ୍ଛାସେବୀ ଅନୁଷ୍ଠାନର ସହଯୋଗରେ ‘ଅନ୍ନପୂର୍ଣ୍ଣା ’ ଟ୍ରଷ୍ଟ ଗଠିତ ହୋଇଛି। ଜୀବନଜୀବିକା ପାଇଁ ସଂଘର୍ଷ କରୁଥିବା ତଥା ଭୋକଉପାସରେ ରହୁଥିବା ଓଡ଼ିଶାବାସୀଙ୍କୁ ଖାଦ୍ୟ ପାଇଁ ଆତ୍ମନିର୍ଭରଶୀଳ କରାଇବା ଏହି ଟ୍ରଷ୍ଟର ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ଅବଶ୍ୟ ପ୍ରଥମ ପର୍ଯ୍ୟାୟରେ ‘ଅନ୍ନପୂର୍ଣ୍ଣା’ ଭୁବନେଶ୍ୱର ସହରରେ ଭୋକିଲାଙ୍କୁ ଖାଦ୍ୟ ଯୋଗାଇବ ଓ ପରବର୍ତ୍ତୀ ସମୟରେ ଓଡ଼ିଶା ପାଇଁ କାର୍ଯ୍ୟ କରିବ। ଗତ ନଭେମ୍ବର ମାସରେ ଟ୍ରଷ୍ଟ ପକ୍ଷରୁ ପ୍ରାଥମିକ ସର୍ଭେ କରାଯାଇ ଗରିବ ଓ ଭୋକିଲା ଲୋକଙ୍କୁ ଚିହ୍ନଟ କରାଯାଇଛି।
ଖାଦ୍ୟ ସଂଗ୍ରହ, ପ୍ରସ୍ତୁତି ଓ ବିତରଣ ପାଇଁ ପ୍ରଥମ ପର୍ଯ୍ୟାୟରେ ବର୍ଷକ ପାଇଁ ଆବଶ୍ୟକ ହେଉଥିବା ପ୍ରାୟ ୪୦ ଲକ୍ଷ ଟଙ୍କା ଦେଶବିଦେଶରେ ରହୁଥିବା ବଦାନ୍ୟ ବ୍ୟକ୍ତିମାନେ ଦାନ କରିଛନ୍ତି। ଏବେ ଆନ୍ତର୍ଜାତିକ ରୋଟାରୀ ଜିଲ୍ଲା-୩୨୬୨ ଭୁବନେଶ୍ୱର, ସୋ ଆମ୍ ଆଇ ଫାଉଣ୍ଡେସନ ଟ୍ରଷ୍ଟ, ଉମେଶ ଖଣ୍ଡେଲୱାଲ ଫାଉଣ୍ଡେସନ, ୟୁଥ ଫର ଆକ୍ସନ ଓ ଆର୍ଟ ଅଫ ଲିଭିଂ ଫାଉଣ୍ଡେସନର ସହଯୋଗରେ ‘ଅନ୍ନପୂର୍ଣ୍ଣା’ ଟ୍ରଷ୍ଟ ଗଠନ ହୋଇଛି।
ହେଲେ ଏହା ପରୋକ୍ଷରେ ରାଜ୍ୟ ସରକାରଙ୍କ ‘ଆହାର’ ଯୋଜନାର ସଫଳ ରୂପାୟନ ପ୍ରତି ଶକ୍ତ ଧକ୍କା ସଦୃଶ ହୋଇଥିବାରୁ ଏହା ଉପରେ ରୋକ ଲଗାଇବାକୁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି ରାଜ୍ୟ ସରକାର।
The post ’ଅନ୍ନପୂର୍ଣ୍ଣା’ ଯୋଜନାରେ ମାଗଣା ନୁହେଁ ଟଙ୍କାକରେ ମିଳିବ ଖାଦ୍ୟ appeared first on Odisha Reporter.
from Odisha Reporter https://ift.tt/39rHSJ9
No comments:
Post a Comment