ଲକ୍ଷ୍ନୌ: ଘରେ ନ ପଶୁଣୁ ମୁଣ୍ଡରେ ଚାଳ ବାଜିବା ଭଳି ଟିକାକରଣ ପୂର୍ବରୁ ଦୁର୍ନୀତିର ଗନ୍ଧ ସାମ୍ନାକୁ ଆସିଛି। ଆସନ୍ତା ୧୬ ତାରିଖରୁ ସମଗ୍ର ଦେଶରେ କରୋନାର ଟିକାକରଣ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ଭାରତରେ ଥିବା ପ୍ରାୟ ୩ କୋଟି ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ମାଗଣାରେ ଟିକା ମିଳିବ ବୋଲି ସରକାର ଘୋଷଣା କରିଛନ୍ତି।
ଏହିକ୍ରମରେ ଉତ୍ତର ପ୍ରଦେଶ ପ୍ରଶାସନ ମଧ୍ୟ ଜିଲ୍ଲାସ୍ତରରେ ଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଚିହ୍ନଟ କରିବାରେ ଲାଗିଛି। ତେବେ ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଜଣେ ମୃତ ନର୍ସ ୧୬ ତାରିଖରେ ଟିକା ନେବାକୁ ପଞ୍ଜୀକରଣ କରିଥିବା ଜଣାପଡ଼ିବା ପରେ ହଇଚଇ ସୃଷ୍ଟି ହୋଇଛି। ମୃତ ନର୍ସ କେମିତି ପଞ୍ଜୀକରଣ କଲେ, ସେକଥା ଜାଣିବା ପାଇଁ ପ୍ରଶାସନ ପକ୍ଷରୁ ତଦନ୍ତ ମଧ୍ୟ ଆରମ୍ଭ କରାଯାଇଛି।
ଅଯୋଧ୍ୟାରେ ଜରୁରୀ କାଳୀନ ସେବାରେ ନିୟୋଜିତ ଲୋକଙ୍କ ତାଲିକା ପ୍ରସ୍ତୁତ କରାଯିବା ବେଳେ ବ୍ୟାପକ ହେରଫେର ମଧ୍ୟ ହୋଇଥିବା ଅଭିଯୋଗ ହୋଇଛି। ଅଯୋଧ୍ୟାର ଡୁଫେରିନ ହସ୍ପିଟାଲ ପକ୍ଷରୁ ଟିକା ନେବାକୁ ଥିବା ସ୍ୱାସ୍ଥ୍ୟକର୍ମୀଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା। ତାଲିକାରେ ଥିବା ଲୋକଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକା ଦିଆଯିବ। ହେଲେ ତାଲିକାରେ ଏମିତି ଜଣେ ନର୍ସଙ୍କ ନାଁ ରହିଛି ଯିଏ ଏ ଦୁନିଆରେ ଆଉ ନାହାନ୍ତି। ସେହିପରି ଜଣେ ଅବସରପ୍ରାପ୍ତ ଓ ଇସ୍ତଫା ଦେଇଥିବା ନର୍ସଙ୍କ ନାଁ ମଧ୍ୟ ଟିକା ନେବାକୁ ଥିବା ଲୋକଙ୍କ ତାଲିକାରେ ରହିଛି।
ଏବେ ଘଟଣାକୁ ନେଇ ବିବାଦ ହେବାରୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଜୟ ପ୍ରତାପ ସିଂହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଘଟଣାରେ ସାମିଲ ଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ସେ ପ୍ରତିଶ୍ରୁତି ଦେଇଛନ୍ତି। ସ୍ଥାନୀୟ ଅଧିକାରୀ କହିଛନ୍ତି, ଭୁଲବଶତଃ ଏମାନଙ୍କର ନାଁ ତାଲିକାରେ ସ୍ଥାନ ପାଇଯାଇଛି।
କାରଣ ଗୋଟିଏ ମାସ ପୂର୍ବରୁ ହିଁ ଏହି ତାଲିକା ପ୍ରସ୍ତୁତ କରାଯାଇଥିଲା। ଏବେ ଏହାକୁ ଆଉ ଅପଡେଟ୍ କରାଯାଇ ନାହିଁ। ରାଜ୍ୟର ଜରୁରୀ କାଳୀନ ସେବାରେ ନିୟୋଜିତ ଥିବା କର୍ମଚାରୀମାନଙ୍କୁ ୮୫୨ଟି କେନ୍ଦ୍ରରେ ଟିକା ଦିଆଯିବ। ଏଥିପାଇଁ ସୋମବାର ଉତ୍ତର ପ୍ରଦେଶର ୧୫ଶହଟି କେନ୍ଦ୍ରରେ ଦ୍ୱିତୀୟ ଥର ପାଇଁ କରୋନାର ଡ୍ରାଏରନ କରାଯାଇଥିଲା।
The post ଟିକା ପାଇଁ ପଞ୍ଜୀକରଣ କରିଛନ୍ତି ମୃତ ନର୍ସ, ଆରମ୍ଭ ହେଲା ତଦନ୍ତ appeared first on Odisha Reporter.
from Odisha Reporter https://ift.tt/3qjC6Qr
No comments:
Post a Comment