ନୂଆଦିଲ୍ଲୀ: ଆଜି ସଂସଦରେ ଆଗତ ହେବ ୨୦୨୧-୨୨ ଆର୍ଥିକ ବର୍ଷର ସାଧାରଣ ବଜେଟ୍। ଦିନ ୧୧ଟାରେ ପାର୍ଲାମେଣ୍ଟରେ ବଜେଟ୍ ଉପସ୍ଥାପିତ ହେବ। ଏଥିପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣଙ୍କ ବଜେଟ ପେଡି ଉପରେ ସାରା ଦେଶର ନଜର ରହିଛି। ଏଥର ବଜେଟ ରୁ କାହାକୁ କ’ଣ ମିଳିବ, କ’ଣ ବଢିବ, କ`ଣ କମିବ ତାକୁ ନେଇ ଚାଲିଛି ଚର୍ଚ୍ଚା । ଦୁସ୍ଥ ଅର୍ଥନୀତିକୁ ଟ୍ରାକ୍କୁ ଆଣିବାକୁ କି ପଦକ୍ଷେପ ନେଇଛନ୍ତି ଅର୍ଥମନ୍ତ୍ରୀ, କ’ଣ ତାଙ୍କର ଭବିଷ୍ୟତ ରଣନୀତି? ଏହାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ଏଥର ବଜେଟରୁ ମଧ୍ୟମ ବର୍ଗ ଲୋକେ ଏବଂ ଖାସ୍ କରି ଚାକିରିଆମାନେ ଅଧିକ ଆଶା ରଖିଛନ୍ତି। କରୋନା କାଳରେ ବହୁ ସଂଖ୍ୟାରେ ଲୋକ ରୋଜଗାର ହରାଇଛନ୍ତି । ଏଥିପାଇଁ ବଜେଟ ଉପରେ ଲୋକଙ୍କ ଆଶା ଅଧିକ ରହିଛି।
ନିଯୁକ୍ତି, ଭିତ୍ତିଭୂମି ବିକାଶ, ସ୍ବାସ୍ଥ୍ୟ, MSME, ଶିକ୍ଷା ଓ କୃଷି କ୍ଷେତ୍ରକୁ ଅଗ୍ରାଧିକାର ମିଳିବା କୁହାଯାଉଛି । ଅର୍ଥମନ୍ତ୍ରୀଙ୍କ ଆଗରେ ମୁଖ୍ୟ ଚ୍ୟାଲେଞ୍ଜ ଋଣାତ୍ମକ ବିକାଶ ଦରକୁ ଅତିକ୍ରମ କରି ସ୍ବାଭାବିକସ୍ତରକୁ ଆଣିବା। ବିପୁଳ ନିଯୁକ୍ତି ସୃଷ୍ଟି କରିପାରୁଥିବା ରେଳ, ଜାତୀୟ ରାଜପଥ, ଜଳସେଚନ, ଟେଲିକମ୍ ଭଳି ଭିତ୍ତିଭୂମି ବିକାଶ କ୍ଷେତ୍ରକୁ ଅଗ୍ରାଧିକାର ମିଳିବ ବୋଲି କୁହାଯାଉଛି।
ସେହିପରି ମଧ୍ୟବିତ୍ତଙ୍କ ପକେଟକୁ ଟଙ୍କା ଦେବା ଲାଗି ଅର୍ଥମନ୍ତ୍ରୀ ଆୟକର ରିହାତି ଦେଇପାରନ୍ତି। କରୋନା ଓ ଏହା ପରବର୍ତ୍ତୀ ସ୍ଥିତିରେ ସ୍ବାସ୍ଥ୍ୟ ଏକ ପ୍ରମୁଖ ପ୍ରସଙ୍ଗ ହୋଇଛି ତେଣୁ ସ୍ବାସ୍ଥ୍ୟ କ୍ଷେତ୍ର ମଧ୍ୟ ଫୋକସରେ ରହିବ। ଏହାବ୍ୟତିତ ଶିକ୍ଷା ଓ କୃଷି କ୍ଷେତ୍ର ପ୍ରତି ଅର୍ଥମନ୍ତ୍ରୀ ବିଶେଷ ଧ୍ୟାନ ଦେବା ଆଶା କରାଯାଉଛି। କରୋନା କାଳରେ ବଡ଼ବଡ଼ ଶିଳ୍ପପତି ଓ ବ୍ୟବସାୟୀ ଲାଭବାନ ହୋଇଥିବା ବେଳେ ଭାରତୀୟ ଅର୍ଥନୀତିର ମେରୁଦଣ୍ଡ କୁହାଯାଉଥିବା MSME କ୍ଷେତ୍ର ଗୁରୁତର ପ୍ରଭାବିତ ହୋଇଛି। ଅର୍ଥମନ୍ତ୍ରୀ ଏଥିପ୍ରତି ବିଶେଷ ଧ୍ୟାନ ଦେଇପାରନ୍ତି। ପ୍ରଥମ ଥର ପାଇଁ ଚଳିତ ବର୍ଷ ବଜେଟ ପେପରଲେସ୍ ହେବାକୁ ଯାଉଛି ।
The post ଆଜି ଆସିବ ସାଧାରଣ ବଜେଟ୍ appeared first on Odisha Reporter.
from Odisha Reporter https://ift.tt/3oFcpJ0
No comments:
Post a Comment