ଭଞ୍ଜନଗର (ରାଜେଶ ପଣ୍ଡା): ଗଞ୍ଜାମ ଜିଲ୍ଲାରେ କଲରାପତରିଆ ବାଘ ମୃତ୍ୟୁ ଘଟଣାରେ ୬ ଜଣଙ୍କୁ ଗିରଫ କରିଛି ବନବିଭାଗ। ସେମାନଙ୍କ ମଧ୍ୟରୁ ୩ ଜଣ ବୁଗୁଡ଼ା ଥାନା ଅନ୍ତର୍ଗତ ନଗୁଡୁ ଗାଁର ଓ ଅନ୍ୟ ୩ ଜଣ ପଙ୍କଳ ସାହିର। ବାର୍ହା ଶିକାର ଓ ଫାଶ ପକାଇବା ଅଭିଯୋଗରେ ସମସ୍ତେ ଗିରଫ ହୋଇଛନ୍ତି।
ଗତ ଶୁକ୍ରବାର ଗଞ୍ଜାମ ଜିଲ୍ଲା ବୁଗୁଡା ବନାଞ୍ଚଳ ମାଣିତରା ସେକ୍ସନ ନଗୁଡୁ ଗ୍ରାମ୍ୟ ପାହାଡ଼ ବାର୍ହା ଧରିବା ପାଇଁ ବସା ଯାଇଥିଲା ଫାଶ। ଆଉ ସେହି ଫାଶରେ ଫସି ଯାଇଥିଲା କଲରାପତରିଆ ବାଘଟି। ଫାଶରେ ପଡ଼ିବା ପରେ ବାଘଟି ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ପରେ ଏନେଇ ବନବିଭାଗକୁ ଖବର ଦେଇଥିଲେ। ବନ ବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଫାଶରୁ ବାଘକୁ ଉଦ୍ଧାର କରି କିରିଆମ୍ବା ଜଙ୍ଗଲରେ ଛାଡ଼ିବାକୁ ନେଉଥିବା ବେଳେ ତା’ର ମୃତ୍ୟୁ ଘଟିଥିଲା।
ସୂଚନାଯୋଗ୍ୟ, ଚଳିତ ମାସ ପ୍ରଥମ ସପ୍ତାହରେ ଗଞ୍ଜାମ ଜିଲ୍ଲାରୁ ବାର୍ହା ଶିକାର ପାଇଁ ବୋମା ବିଛା ଯାଇଥିବା ବେଳେ ଦୁଇଟି ଗାଈ ଆହତ ହୋଇଥିଲେ। ସେଥିରୁ ଗୋଟିଏ ଘଟିଥିଲା ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ କୁକୁଡ଼ାଖଣ୍ଡି କାଳୁଆ ରୋଡ୍ ନିକଟରେ। ଅନ୍ୟଟି ଘଟିଥିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କେନ୍ଦୁପାଟ ଗାଁରେ।
The post ଚାଲିଗଲା ବାଘର ଜୀବନ, ୬ ଜଣଙ୍କୁ ବାନ୍ଧିଲା ବନ ବିଭାଗ appeared first on Odisha Reporter.
from Odisha Reporter https://ift.tt/3alyib8
No comments:
Post a Comment