ମୁମ୍ବାଇ: ଛୋଟ ପରଦାରୁ ବଡ ପରଦା ଯାଏଁ, ନିଜ ଅଭିନୟର ଜାଦୁ ଦେଖାଇଛନ୍ତି ବଲିଉଡ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତ। ଆଜି ତାଙ୍କ ୩୫ତମ ଜନ୍ମ ଜୟନ୍ତୀ ପାଳିତ ହେଉଛି। ବିହାରର ପଟନାରେ ଜନ୍ମ ଗ୍ରହଣ କରିଥିବା ସୁଶାନ୍ତଙ୍କୁ ଟିଭି ସିରିଏଲ ‘ପବିତ୍ର ରିସ୍ତା’ରୁ ମିଳିଥିଲା ଅନେକ ଲୋକପ୍ରିୟତା। ଏହାପରେ ତାଙ୍କୁ ବଲିଉଡରୁ ମିଳିଥିଲା ଅଫର। ପ୍ରଥମ କରି ‘କାଇ ପୋ ଚେ’ ଫିଲ୍ମ ଜରିଆରେ ସେ ବଲିଉଡରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମ ପରେ ତାଙ୍କ ପାଖକୁ ଗୋଟିଏ ପରେ ଗୋଟିଏ ବଲିଉଡ ଫିଲ୍ମରେ କାମ କରିବା ପାଇଁ ଅଫରର ସୁଅ ଛୁଟିଥିଲା। ତେବେ ବଲିଉଡରେ ସୁପରହିଟ୍ ଥିବା ସୁଶାନ୍ତ ୨୦୨୦ ଜୁନ ୧୪ ତାରିଖରେ ନିଜ ମୁମ୍ବାଇ ସ୍ଥିତ ବାସ ଭବନରେ ଆତ୍ମହତ୍ୟା କରିଥିଲେ। ତାଙ୍କ ମୃତ୍ୟୁ ଖବରକୁ ସହଜରେ କେହି ବିଶ୍ବାସ କରିପାରି ନଥିଲେ। ତେବେ ସୁଶାନ୍ତଙ୍କ ଜୀବନର ଏଭଳି କିଛି କାହାଣୀ ରହିଛି, ଯାହାକୁ ତାଙ୍କ ଫ୍ୟାନ୍ସମାନେ କେବେବି ଭୁଲି ପାରିବେନି।
-ସୁଶାନ୍ତଙ୍କ ପିଲାଟି ଦିନରୁ ହିଁ କ୍ରିକେଟ ପ୍ରତି ରୁଚି ରହିଥିଲା। ଯେତେବଳେ ସେ ‘ଧୋନି-ଦ ଅନଟୋଲ୍ଡ ଷ୍ଟୋରୀ’ ଫିଲ୍ମ ପାଇଁ କ୍ରିକେଟ୍ ଅଭ୍ୟାସ କରୁଥିଲେ, ସେତେବେଳେ ତାଙ୍କ ସଟ୍ ଦେଖି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଚକିତ ହୋଇଯାଇଥିଲେ। ସୁଶାନ୍ତ ଜଣେ ଅଭିନେତା ବୋଲି ବିଶ୍ବାସ କରିପାରି ନଥିଲେ । ଜଣେ ଅଭ୍ୟାସଗତ କ୍ରିକେଟର ଭଳି ଖେଳୁଥିବା ଦେଖି ସଚିନ, ସୁଶାନ୍ତଙ୍କୁ ଆନ୍ତର୍ଜାତୀୟ କ୍ରିକେଟ ଖେଳିବା ପାଇଁ ପରାମର୍ଶ ଦେଇଥିଲେ।
-‘ଧୋନି-ଦ ଅନ୍ଟୋଲ୍ଡ ଷ୍ଟୋରୀ’ ପାଇଁ ସୁଶାନ୍ତ ଦୀର୍ଘ ୧୮ ମାସ କ୍ରିକେଟ ଟ୍ରେନିଂ ନେଇଥିଲେ, ଯେଉଁଥିରୁ ୯ ମାସ ସେ ଗ୍ରାଉଣ୍ଡରେ ଅଭ୍ୟାସ କରିଥିଲେ। କୁଲ କ୍ୟାପଟେନ ଧୋନିଙ୍କ ଚରିତ୍ରରେ ଅଭିନୟ କରିବା ସହଜ କଥା ନଥିଲା, କିନ୍ତୁ ସୁଶାନ୍ତ ପରଦାରେ ନିଖୁଣ ଭାବେ ଅଭିନୟ କରି ପ୍ରଶଂସକଙ୍କ ଫେଭରେଟ ପାଲଟି ଯାଇଥିଲେ।
-ଏହି ଫିଲ୍ମ ପାଇଁ ଟ୍ରେନିଂ ନେବା ସମୟରେ ସୁଶାନ୍ତ ଜଣେ ଭଲ କ୍ରିକେଟର ପାଲଟି ଯାଇଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି ନେଟ୍ ପ୍ରାକ୍ଟିସ ବେଳେ ସୁଶାନ୍ତ ଦୀର୍ଘ ୩ ଘଣ୍ଟା ବ୍ୟାଟିଂ କରିଥିଲେ, ଯେଉଁଥିରେ ସେ ଥରେ ବି ଆଉଟ୍ ହୋଇନଥିଲେ। ତାଙ୍କର ଏଭଳି ବ୍ୟାଟିଂ ଦେଖି ଭାରତୀୟ ଟିମ୍ର ପୂର୍ବତନ ଖେଳାଳି କିରଣ ମୋରେ ବେଶ ପ୍ରଭାବିତ ହୋଇଥିଲେ। ଏପରିକି ସେ ନିଜ ଟିମ୍ ଇଣ୍ଡିଆ ଜର୍ସି ସୁଶାନ୍ତଙ୍କୁ ଗିଫ୍ଟ କରିଥିଲେ।
-ସୁଶାନ୍ତ ଜଣେ ବଲିଉଡ ଅଭିନେତା ହେବା ସତ୍ତ୍ବେ ସେ କିଙ୍ଗ ଖାନ ଶାହାରୁଖଙ୍କ ବଡ ଫ୍ୟାନ୍ ଥିଲେ। ଏଥିପାଇଁ ସୁଶାନ୍ତ ଅନେକ ଆୱାର୍ଡ ଶୋ’ରେ ଶାହାରୁଖଙ୍କୁ ସମ୍ମାନ ଦେଇ ଅନେକ ଡ୍ୟାନ୍ସ ପରଫରମାନ୍ସ ମଧ୍ୟ କରିଛନ୍ତି।
-ଇଂଜିନିୟରିଂ ଛାତ୍ର ଥିବା ସୁଶାନ୍ତ ଆଷ୍ଟ୍ରୋନମିରେ ରୁଚି ରଖିଥିଲେ। ତାଙ୍କର ତାରା ପୁଞ୍ଜକୁ ଦେଖିବା ପାଇଁ ସଉକ ଥିଲା। ଏଥିପାଇଁ ସେ ନିଜ ଘରେ ଏକ ବଡ ଟେଲିସ୍କୋପ ରଖିଥିଲେ। ଏପରିକି ସେ ଚନ୍ଦ୍ରରେ ଫ୍ଲାଟ ମଧ୍ୟ କିଣିଥିଲେ।
-ସୁଶାନ୍ତ ନିଜ ମା’ଙ୍କୁ ବେଶ୍ ଭଲ ପାଉଥିଲେ। ୨୦୦୨ରେ ତାଙ୍କ ମା’ଙ୍କ ଦେହାନ୍ତ ହୋଇଥିଲା, ସେତେବେଳେ ସେ ପୁରାପୁରି ଭାଙ୍ଗି ପଡିଥିଲେ। ସେତେବେଳକୁ ସୁଶାନ୍ତଙ୍କ ବୟସ ୧୬ ବର୍ଷ ଥିଲା। ଅନେକ ଥର ବିଭିନ୍ନ ସାକ୍ଷାତକାରରେ ନିଜ ମା’ଙ୍କ ସହ ଜଡିତ ସ୍ମୃତି ଶେୟାର କରିଛନ୍ତି ସୁଶାନ୍ତ।
-ଟିଭି ସିରିଏଲ ‘ପବିତ୍ର ରିସ୍ତା’ରୁ ଲୋକପ୍ରିୟତା ହାସଲ କରିଥିବା ସୁଶାନ୍ତ ନିଜ କୋ-ଷ୍ଟାର ଅଙ୍କିତା ଲୋଖଣ୍ଡେଙ୍କ ସହ ରିଲେସନସିପରେ ଥିଲେ। ଏପରିକି ଦୁହେଁ ବିବାହ କରିବା ନେଇ ମଧ୍ୟ ଘୋଷଣା କରିସାରିଥିଲେ। କିନ୍ତୁ ୨୦୧୬ରେ ଦୁହିଁଙ୍କ ବ୍ରେକଅପ୍ ହୋଇଯାଇଥିଲା। ଉଭୟ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ।
The post ସୁଶାନ୍ତଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ସଚିନ୍, ଦେଇଥିଲେ ଏମିତି ପରାମର୍ଶ appeared first on Odisha Reporter.
from Odisha Reporter https://ift.tt/3sKHezm
No comments:
Post a Comment