କଟକ(ଓଡ଼ିଶା ରିପୋର୍ଟର): ଦୀର୍ଘ ଦିନର କଟକଣା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଧର୍ମାନୁଷ୍ଠାନ ଭକ୍ତଙ୍କ ପାଇଁ ଖୋଲି ସାରିଥିବା ବେଳେ ଆଜିଠୁ କଟକରେ ମନ୍ଦିର ଖୋଲିବା ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଥିଲା। ପ୍ରଶାସନର ନିର୍ଦ୍ଦେଶ ସତ୍ତ୍ୱେ ଆଜି ଚଣ୍ଡୀ ମନ୍ଦିର ଖୋଲି ନ ଥିବା ଜଣାଯାଇଛି। ଚଣ୍ଡି ମନ୍ଦିରରେ ସମସ୍ତ ବ୍ୟବସ୍ଥା ପରେ କାଲିଠୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ।
ଏନେଇ ଚଣ୍ଡୀ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱରୂପ ନନ୍ଦନ ବେହେରା କହିଛନ୍ତି, ଆଜି ପରିସ୍ଥିତି ଆକଳନ କରୁଛୁ। ଭକ୍ତମାନେ ଆଜି ବାହାରୁ ସିଂହଦ୍ୱାର ସମ୍ମୁଖରୁ ମା’ଙ୍କୁ ଦର୍ଶନ କରିବେ। ଆମେ ଆଜି ପରିସ୍ଥିତି ଅନୁଧ୍ୟାନ କଲା ପରେ ଆସନ୍ତା କାଲିଠୁ ଟୋକନ କରି ଭକ୍ତଙ୍କୁ ଭିତରକୁ ଛାଡ଼ିବୁ। ମନ୍ଦିର ଭିତର ସମ୍ପୂର୍ଣ୍ଣ ସାନିଟାଇଜ କରାଯାଇ ସରିଛି। ଏକ ସଙ୍ଗେ ୨୦ ଲୋକଙ୍କୁ ଅନୁମତି ଦେବୁ।
କରୋନା ପାଇଁ ଦୀର୍ଘ ୯ ମାସ ହେଲା ବନ୍ଦ ଥିବା ମନ୍ଦିର ଖୋଲିବାକୁ କଟକ ମହାନଗର ନିଗମ ନିର୍ଦ୍ଦେଶନାମା ଜାରି କରିଛି । କୋଭିଡ ଗାଇଡଲାଇନ୍ ମଧ୍ୟରେ ସହରର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ମାସ୍କ ପିନ୍ଧିବେ । ମନ୍ଦିରରେ ହ୍ୟାଣ୍ଡସାନିଟାଇଜର ରହିବ। ହାତ ଧୋଇବା ବ୍ୟବସ୍ଥା ମଧ୍ୟ ରହିବ। ସାମାଜିକ ଦୂରତା ଅବଲମ୍ବନ କରି ଶ୍ରଦ୍ଧାଳୁ ଠାକୁରଙ୍କ ଦର୍ଶନ କରିପାରି ବେ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି।
ସୂଚନାଯୋଗ୍ୟଦୀର୍ଘ ୯ ମାସ ପରେ ଗତ ୨୩ ତାରିଖରୁ ପୁରୀରେ ଆରମ୍ଭ ହୋଇଥିଲା କାଳିଆ ଦର୍ଶନ । ପ୍ରଥମ ୨୫ ତାରିଖ ଯାଏଁ ତିନି ଦିନ ସେବାୟତଙ୍କ ପରିବାର ଓ ପରେ ୨୬ତାରିଖରୁ ୩୧ ଯାଏଁ ପୁରୀ ସହରବାସୀ ଜଗା ଦର୍ଶନ କରିଥିଲେ।
ଏହାପରେ ଜାନୁଆରୀ ୩ରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା । ଜିଲ୍ଲା ବାହାର ଭକ୍ତମାନେ ଏହି ଦିନଠାରୁ ମହାପ୍ରଭୁଙ୍କ ଦର୍ଶନ କରୁଥିବା ବେଳେ ପୁରୀ ବାହାରର ଭକ୍ତଙ୍କ ଲାଗି କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ୬୫ବର୍ଷରୁ ଅଧିକ ଓ ୧୦ବର୍ଷରୁ କମ୍ ପିଲାଙ୍କୁ କରୋନା ସଂକ୍ରମଣ ଦୃଷ୍ଟିରୁ ବର୍ତ୍ତମାନ ସମୟରେ ଦର୍ଶନ ପାଇଁ ବାରଣ କରାଯାଇଛି।
ସେହିପରି, ଗତ ୨୭ ତାରିଖରେ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଖୋଲିଥିଲା। ପ୍ରଥମ ପର୍ଯ୍ୟାୟରେ ସେବାୟତଙ୍କ ପରିବାରକୁ ଦର୍ଶନ ଅନୁମତି ଥିଲା। ଏହାପରେ ସମସ୍ତଙ୍କୁ ଦର୍ଶନ ଅନୁମତି ମିଳିଛି।
ପ୍ରଥମେ, ଲିଙ୍ଗରାଜଙ୍କ ଦର୍ଶନ ନିମନ୍ତେ ବୟସ କଟକଣା ଓ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ହୋଇଥିବା ବେଳେ ଏବେ ଏସବୁ କଟକଣାକୁ ଉଠାଇ ଦେଇଛି ବିଏମ୍ସି।
ଏନେଇ ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଥିଲେ, -“ଲିଙ୍ଗରାଜ ମନ୍ଦିର ପ୍ରବେଶ ପଥରେ ସମସ୍ତଙ୍କର ସ୍କ୍ରିନିଂ କରାଯିବ। ସ୍କ୍ରିନିଂ ବେଳେ ଯଦି କାହାର କୋଭିଡ୍ ଲକ୍ଷଣ ଦେଖା ଦିଏ, ତା ହେଲେ ଟେଷ୍ଟ କରାଯିବ। ତା’ସହିତ ସବୁ ବୟସର ଭକ୍ତ ମନ୍ଦିରକୁ ଯାଇ ଲିଙ୍ଗରାଜଙ୍କ ଦର୍ଶନ କରିପାରିବେ।”
The post ପ୍ରଶାସନ ନିର୍ଦ୍ଦେଶ ସତ୍ତ୍ୱେ ଆଜି ଖୋଲିଲାନି ଚଣ୍ଡୀ ମନ୍ଦିର appeared first on Odisha Reporter.
from Odisha Reporter https://ift.tt/3nqlvZw
No comments:
Post a Comment