ଯାଜପୁର(ଗୁଲାମ ଗସ୍): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କୁ ହତ୍ୟା ଘଟଣାରେ ୨ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି କୁଆଖିଆ ପୁଲିସ୍। ଗତକାଲି ଘଟିଥିବା ଏହି ହତ୍ୟା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ୨ ଯୁବକ ଏକ ସ୍କୁଟରରେ ମୃତଦେହ ଆଣି ଫିଙ୍ଗିଥିବା ସିସିଟିଭିରେ ଦେଖିବାକୁ ମିଳିଥିଲା। ଉକ୍ତ ୨ ଅଭିଯୁକ୍ତ ଚିହ୍ନଟ ହୋଇଥିବା ଯାଜପୁର ଏସ୍ପି ସୂଚନା ଦେଇଥିଲେ ମଧ୍ୟ ସେମାନଙ୍କ ପରିଚୟ ଦେଇ ନାହାନ୍ତି।
ସୂଚନାଯୋଗ୍ୟ, ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ବୃନ୍ଦେଇପୋଷି ଗାଁର ରମାକାନ୍ତ ନାୟକଙ୍କ ଝିଅ ଝରାଫୁଲ ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ବର୍ଷର ଛାତ୍ରୀ। କରୋନା ପାଇଁ ହଷ୍ଟେଲ୍ ବନ୍ଦ ଥିବାରୁ ସେ ଘରକୁ ପଳାଇ ଯାଇଥିଲେ।
ଗତ ୨୪ ତାରିଖରେ ଝରାଫୁଲ ଭୁବନେଶ୍ୱର ଆସିଥିଲେ। ସେ ତାଙ୍କ ବଡ଼ ଭଉଣୀଙ୍କ ଜନ୍ମଦିନରେ ସାମିଲ ହୋଇଥିଲେ। ତା’ପର ଦିନ ଅର୍ଥାତ ୨୬ ତାରିଖ ସକାଳେ ଝରାଫୁଲ ଘରକୁ ଯାଉଛନ୍ତି ବୋଲି ଫୋନ୍ରେ ବାପାଙ୍କୁ କହିଥିଲେ। ମାତ୍ର ସେ ଯାଇନଥିଲେ। ପରେ ରମାକାନ୍ତ ଝିଅକୁ ଫୋନ୍ କରିବାରୁ ଦେହ ଭଲ ନାହିଁ, ସାଙ୍ଗ ଘରେ ରହିଛି ବୋଲି କହିଥିଲେ ଝରାଫୁଲ। ତା’ପରଠାରୁ ତାଙ୍କ ମୋବାଇଲ୍ ବନ୍ଦ ଥିବା ବେଳେ ପତ୍ତା ପାଉ ନ ଥିଲେ ପରିବାର ଲୋକ।
ଏହାପରେ ଗତକାଲି ସକାଳ ୮ରୁ ସାଡ଼େ ୮ଟା ବେଳେ ଦୁଇ ଯୁବକ ଏକ ସ୍କୁଟିରେ ଝରାଫୁଲଙ୍କ ମୃତଦେହକୁ ଆଣି ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ମୂଳାପାଳ ଛକ ରାସ୍ତା ପାର୍ଶ୍ୱରେ ଫିଙ୍ଗି ଦେଇଥିଲେ। ଯାହା ସିସିଟିଭିରେ କଏଦ ହୋଇଛି। ମୃତଦେହ ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ।
କୁଆଖିଆ ପୁଲିସ ଓ ଯାଜପୁରରୋଡ୍ ଏସଡିପିଓ ଚିନ୍ମୟ କୁମାର ନାୟକ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ମୃତଦେହ ପାଖରେ ପଡ଼ିଥିବା ବ୍ୟାଗରେ ଝରାଫୁଲଙ୍କ ପୂରା ପରିଚୟ ଥିଲା। ଏହା ପରେ ପୁଲିସ ତାଙ୍କ ବାପା ରମାକାନ୍ତଙ୍କ ସହିତ ଯୋଗାଯୋଗ କରିଥିଲା। ସେ ଆସିବା ପରେ ଝିଅର ମୃତଦେହ ଚିହ୍ନଟ କରିଥିଲେ। ଏହାପରେ ପୁଲିସ୍ ପୂରା ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଏ ପର୍ଯ୍ୟନ୍ତ କ’ଣ ପାଇଁ ହତ୍ୟାକାଣ୍ଡ ଘଟିଲା ସେ ସମ୍ପର୍କରେ ସୂଚନା ମିଳିପାରି ନାହିଁ।
ଅପରପକ୍ଷେ, ରମାଦେବୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ପ୍ରତିକ୍ରିୟା ରଖି ରମାଦେବୀ ବିଶ୍ୱବିଦ୍ୟାଳୟ କୁଳପତି ଅପରାଜିତା ଚୌଧୁରୀ କହିଛନ୍ତି, କୋଭିଡ୍ ପାଇଁ ମାର୍ଚ୍ଚ ମାସରୁ ସମସ୍ତ ହଷ୍ଟେଲ ବନ୍ଦ ଥିଲା। ନିକଟରେ ଫାଇନାଲ ବର୍ଷ ପିଲାଙ୍କ ପାଇଁ ହଷ୍ଟେଲ ଖୋଲିଥିଲା। ଘରୁ ମିଛ କହି ଆସି ଥାଇ ପାରନ୍ତି, ତଦନ୍ତ ହେଉ, ସହଯୋଗ କରିବୁ ।
The post ଆରଡି ଛାତ୍ରୀ ହତ୍ୟା ଘଟଣା; ସ୍କୁଟରରେ ମୃତଦେହ ଆଣିଥିବା ୨ ଅଭିଯୁକ୍ତ ଚିହ୍ନଟ appeared first on Odisha Reporter.
from Odisha Reporter https://ift.tt/3oqcZdt
No comments:
Post a Comment