ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଜନ୍ମରୁ ଦାଉ ସାଧୁଛି ଦଇବ। ରୋଗର ଯନ୍ତ୍ରଣାଠୁ ବଳି ଯାଉଛି ଲୋକଙ୍କ ଯାତନା। ଦେହରେ ପୋକ ହୋଇଯିବା ପରେ ବଞ୍ଚି ଥାଉ ଥାଉ ଗାଁ ଲୋକଙ୍କ ଚାପରେ ଏକ ୯ ବର୍ଷ ପୁଅକୁ ଶୁଦ୍ଧି ହେଲେ ବାପା ସମେତ ପରିବାର ଲୋକ। ଏପରିକି ଦିନ ମଜୁରିଆ ବାପା ଧାରକରଜ କରି ପୁଅକୁ ଲଣ୍ଡା କରିବା ସହ, ଭୋଜିଭାତ କରି ଗାଁ ଲୋକଙ୍କୁ ଖାଇବାକୁ ମଧ୍ୟ ଦେଲେ। ଏପରି ଅସ୍ୱାଭାବିକ ଘଟଣା ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ୍ ଗାୟାଗଣ୍ଡା ପଞ୍ଚାୟତ ବାଘୁଆ ଗାଁରେ ଘଟିଯାଇଛି।
ଲୋମଶ ବାଳକ ଭାବେ ଦିନେ ଚର୍ଚ୍ଚାରେ ଥିବା ବାଘୁଆ ଗାଁର କାହ୍ନାର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିଥିଲେ ରାଜ୍ୟ ସରକାର। ହେଲେ ୩ ବର୍ଷ ପୂର୍ବେ ରାଜ୍ୟ ସରକାର ମାଗଣାରେ ତା’ ଅପରେସନ କରିବା ପରେ ଏବେ ତାକୁ ସମ୍ପୂର୍ଣ୍ଣ ପାସୋରି ଦେଇଛନ୍ତି। ଅପରପକ୍ଷେ ୭ ପ୍ରାଣୀ କୁଟୁମ୍ବ ଚଳାଉଥିବା କାହ୍ନାର ବାପା ରାମଚନ୍ଦ୍ର ନାୟକଙ୍କ ପକ୍ଷେ ପୁଅର ଚିକିତ୍ସା ଖର୍ଚ୍ଚ ବହନ କରିବା ଅସମ୍ଭବ ହୋଇପଡ଼ୁଛି।
ରାମଚନ୍ଦ୍ରଙ୍କ ପରିବାର କହିଲେ ସ୍ତ୍ରୀ ଓ ପାଞ୍ଚଟି ପୁଅଝିଅ । ବଡ ପୁଅ କାଁହାର ଜନ୍ମରୁ ଶରୀର ସାରା ଲୋମ ଥିବା ମୁହଁ ରେ ମାଂଶ ପିଣ୍ଡୁଳା ବାହାରି ଲୋମ ଭର୍ତି ହୋଇ ରହିଥିଲା । । ସରକାରଙ୍କ ସାହାଯ୍ୟ କ୍ରମେ ୩ ବର୍ଷ ପୂର୍ବେ କାହ୍ନାର ଅପରେସନ ହୋଇଥିଲା। ହେଲେ ଏହାପରେ ପ୍ରଶାସନ ତାଙ୍କୁ ସମ୍ପୂର୍ଣ୍ଣ ଭୁଲି ଯାଇଥିଲା।
ଅପରେସନ ପରେ କାହ୍ନାର ଦେହ ଭଲ ହେବା ପରିବର୍ତ୍ତେ ଅଧିକ ଖରାପ ହେବାକୁ ଲାଗିଲା। ଦେହସାରା କୁଣ୍ଡେଇ ହୋଇ ବିଭିନ୍ନ ଜାଗାରେ ଘା’ ହୋଇ ପୋକ ହେଲା। ଦେହରୁ ପୋକ ବାହାରୁ ଥିବା ଦେଖି ଗାଁ ଲୋକେ ତାଙ୍କ ପରିବାରକୁ ବାସନ୍ଦ କରି ରଖିଲେ। କେହି ବି କାହ୍ନା ଓ ତା ପରିବାର ସହିତ ମିଳାମିଶା କରିନଥିଲେ।
ଏହାପରେ ବହୁ କଷ୍ଟ ରେ ଧାର କରଜ କରି ରାମଚନ୍ଦ୍ର ପୁଅକୁ ଆଣି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଇଥିଲେ। ସେଠାରେ ସମ୍ପୂର୍ଣ ଭଲ ହୋଇ କାହ୍ନା ଗାଁରେ ପହଞ୍ଚିବା ପରେ ମଧ୍ୟ ଗାଁ ଲୋକ ମିଶି ନ ଥିଲେ। ୨୧ ଦିନ ବାସନ୍ଦ ରଖିବା ସଅ ପୁଅର ଶୁଦ୍ଧିକ୍ରିୟା ନିମନ୍ତେ ରାମଚନ୍ଦ୍ରଙ୍କ ଉପରେ ଚାପ ପକାଇଥିଲେ।
ଏହାପରେ ରାମଚନ୍ଦ୍ର ବାଧ୍ୟ ହୋଇ ପୁଣି ୧୦ ହଜାର ହଜାର ଟଙ୍କା କରଜ କରି ଶୁଦ୍ଧ କ୍ରିୟା କରିବା ପରେ କାହ୍ନାକୁ ଲଣ୍ଡା କରାଇଥିଲେ। ତାପରେ ଗାଁ ଲୋକଙ୍କୁ ଭୋଜି ଖୁଆଇବା ପରେ ଗାଁରୁ ପରିବାର ଉପରୁ ବାସନ୍ଦ ହଟିଥିଲା।
ଏ ସମ୍ପର୍କରେ କାହ୍ନାର ମା’ ମମତା ନାୟକ କହିଛନ୍ତି, ଛୁଆର ଅପରେସନ କରିବା ପରଠୁ ବହୁ ଅସୁବିଧାର ସମ୍ମୁଖିନ ହେଉଛୁ। ଦିନେ ଦିନ ଖାଇବାକୁ ପାଉନୁ। ସ୍ୱାମୀ ଦିନ ମଜୁରିଆ। ଆମକୁ ଘର ଖଣ୍ଡେ ମିଳୁନି। ଯେଉଁ ଜାଗାରେ ଘା ହେଉଛି । ପୋକ ହୋଇଯାଉଛି। ଏବେ ହାତରୁ ଖର୍ଚ୍ଚ ହେଉଛି। ଗାଁ ଲୋକ କହିବାରୁ ପୁଅକୁ ଲଣ୍ଡା କଲୁ। ଘର ସଫା କଲୁ। ଅଲଗା ରହି, ଶୁଦ୍ଧିକ୍ରିୟା କଲୁ। ଭୋଜିଭାତ କଲୁ।
କାହ୍ନାର ବାପା ରାମଚନ୍ଦ୍ର ନାୟକ କହିଛନ୍ତି, କାହ୍ନା ବଡ଼ ପୁଅ। ଜନ୍ମରୁ ଏମିତି ଥିଲା। ସରକାର କହିଥିଲେ, ଘର ଦିଆହେବ, ଭତ୍ତା ଦିଆହେବ। ହେଲେ ଏବେ କେହି ଧରାଛୁଆଁ ଦେଉ ନାହାନ୍ତି। ମୁଁ ଦିନ ମଜୁରିଆ। ମେଡିସିନ କୋଉଠୁ ଆଣିବି। ପୁଅ ମୁଣ୍ଡରେ ଘା ହେଲା। ମେଡିକାଲକୁ ନେବାରୁ ମୁଣ୍ଡରୁ ପୋକ ବାହାରିଲା। ଗାଁ ଲୋକେ କହିଲେ, ତାକୁ ଛୁଅଁନି। ଶୁଦ୍ଧକାର୍ଯ୍ୟ ହେଲେ ଗାଁରେ ପଶିବ। ଏହାପରେ ଧାରକରଜ କରି ୧୦, ୧୫ ହଜାର କରି ଗାଁ ଲୋକଙ୍କୁ ଖାଇବାକୁ ଦେଲି। ସରକାର କିଛି ଦୁଃଖ ବୁଝୁ ନାହାନ୍ତି।
The post ବଞ୍ଚି ଥାଉ ଥାଉ ପୁଅକୁ ଶୁଦ୍ଧି ହେଲା ବାପା appeared first on Odisha Reporter.
from Odisha Reporter https://ift.tt/3qRqZPd
No comments:
Post a Comment