ନୂଆଦିଲ୍ଲୀ: ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ରେ ଥିବା ବେଳେ ଅସୁସ୍ଥ ହୋଇ ପଡ଼ିଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ଲାଲୁଙ୍କୁ ରାଞ୍ଚି ହସ୍ପିଟାଲରୁ ଦିଲ୍ଲୀ ସ୍ଥିତ ଏମ୍ସକୁ ସ୍ଥାନାନ୍ତର କରିବାକୁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି।
ଲାଲୁ ଶ୍ୱାସକ୍ରିୟାରେ ସମସ୍ୟା ଭୋଗୁଥିବାବେଳେ ତାଙ୍କ ଫୁସଫୁସ ମଧ୍ୟ ସଂକ୍ରମଣ ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ ରାଞ୍ଚିର ଆରଆଇଏମଏସ୍ରେ ଚିକିତ୍ସା ହେଉଥିବା ନିମୋନିଆରେ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି। ଆରଆଇଏମଏସ୍ର ନିର୍ଦ୍ଦେଶକ ଡା କାମେଶ୍ୱର ପ୍ରସାଦ କହିଛନ୍ତି, ଦୁଇ ଦିନ ହେଲାଣି ଲାଲୁ ପ୍ରସାଦ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି।
ଶୁକ୍ରବାର ସେ ନିମୋନିଆରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ତାଙ୍କ ବୟସକୁ ଦୃଷ୍ଟିରେ ରଖି ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ହୋଇଛି। ଆଜି ସନ୍ଧ୍ୟାରେ ହିଁ ତାଙ୍କୁ ଦିଲ୍ଲୀ ପଠାଯିବ। ଆମେ ଏମ୍ସର ବିଶେଷଜ୍ଞଙ୍କ ସହ ସବୁ ପ୍ରକାରର ଆଲୋଚନା କରି ସାରିଛୁ।
ପ୍ରଶାସନ ଓ ଲାଲୁଙ୍କ ପରିବାର ଲୋକ ଏୟାର ଆମ୍ବୁଲାନ୍ସ ଯୋଗାଡ଼ କରିବା କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ବର୍ତ୍ତମାନ ୮ ଜଣିଆ ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଯାଞ୍ଚ କରୁଛନ୍ତି। ସେମାନେ ରିପୋର୍ଟ ଦେବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ତାଙ୍କୁ ଦିଲ୍ଲୀ ପଠାଇବା ପୂର୍ବରୁ ଜେଲ କର୍ତ୍ତୃପକ୍ଷ ସିବିଆଇ କୋର୍ଟରୁ ମଧ୍ୟ ଅନୁମତି ଆଣିବ ବୋଲି ସେ କହିଛନ୍ତି।
ଗୁରୁବାର ଲାଲୁ ପ୍ରଥମେ ଜେଲ୍ର ସ୍ୱତନ୍ତ୍ର କୋଠରୀରେ ଥିବା ବେଳେ ଅସହଜ ଅନୁଭବ କରିଥିଲେ। ଏହାପରେ ଡାକ୍ତରୀ ଟିମ୍ ତାଙ୍କର ଏକାଧିକ ଟେଷ୍ଟ କରିଥିଲେ। ଉଭୟ ଆରଟି-ପିସିଆର ଓ ଆଣ୍ଟିଜେନ ପ୍ରକ୍ରିୟାରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ହେଲେ ଉଭୟ ଥର ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। ଶୁକ୍ରବାର ଲାଲୁଙ୍କ ଦୁଇ ପୁଅ, ପତ୍ନୀ ଓ ଝିଅ ମିସା ଭାରତୀ ହସ୍ପିଟାଲ ଆସି ତାଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ପଚାରି ବୁଝିଥିଲେ।
The post ବିଗୁଡ଼ୁଛି ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା, ଦିଲ୍ଲୀ ଏମ୍ସକୁ ହେବେ ସ୍ଥାନାନ୍ତର appeared first on Odisha Reporter.
from Odisha Reporter https://ift.tt/3iCIVu1
No comments:
Post a Comment