କୋଲକାତା: ଏଣିକି ହାଉସ୍ଫଲ୍ ହେବ ସିନେମା ହଲ୍ । ଆଉ ୫୦ ପ୍ରତିଶତ ନୁହେଁ ୧୦୦ ପ୍ରତିଶତ ସିଟ୍ରେ ବସିବେ ଦର୍ଶକ । ଏଭଳି କିଛି ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏଥିସହ ସିନେମା ହଲ୍ ଖୋଲିବାକୁ ମଧ୍ୟ ଅନୁମତି ଦେଇଛନ୍ତି ଦିଦି।
କରୋନା ଲକଡାଉନ ପରେ ଧୀରେ ଧୀରେ ପରିସ୍ଥିତି ସ୍ବାଭାବିକ ହେଉଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ମଲ୍ ମନ୍ଦିର ପରେ ସିନେମା ହଲ୍ ଖୋଲିବାକୁ ଅନୁମତି ମିଳିଛି। ତେବେ ଅନ୍ୟ ରାଜ୍ୟଗୁଡିକରେ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ହଲ୍ ଖୋଲିବାକୁ ଅନୁମତି ମିଳିଥିବା ବେଳେ ପଶ୍ଚିମବଙ୍ଗରେ କିନ୍ତୁ ୧୦୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦେଇଛନ୍ତି ସରକାର । ଶୁକ୍ରବାର କୋଲକାତା ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲର ଉଦ୍ଘାଟନ ସମାରୋହରେ ଯୋଗଦେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କିଛି ଏଭଳି ଘୋଷଣା କରିଛନ୍ତି।
ଏହି ଅବସରରେ ମମତା କହିଛନ୍ତି, ”ଫିଲ୍ମ ହଲ୍ରେ ଏବେ ୧୦୦ ପ୍ରତିଶତ ଦର୍ଶକ ବସିପାରିବେ । ଏଥିପାଇଁ ସେ ସିନେମା ହଲ ଏବଂ ଥିଏଟର ମାଲିକଙ୍କୁ ନିବେଦନ କରିବେ । ଏଥିସହ ପ୍ରତିଟି ଦର୍ଶକ କରୋନା କଟକଣା ଭିତରେ ଫିଲ୍ମ ହଲ ଭିତରେ ପ୍ରବେଶ କରିବେ। ସାଙ୍ଗରେ ସାନିଟାଇଜ ସହ ମୁହଁରେ ମାସ୍କ ଲଗାଇବା ବାଧ୍ୟତାମୂଳକ। ସମସ୍ତେ ପ୍ରତି ୫ ମିନିଟରେ ହାତ ସାନିଟାଇଜ କରିବେ।”
ଏହି ସମାରୋହରେ ଅନେକ ନାମୀଦାମି କଳାକାରଙ୍କ ସମେତ ଶାହାରୁଖ ଖାନ୍ ମଧ୍ୟ ଯୋଗ ଦେଇଥିଲେ। ଭିଡିଓ କଲ୍ ମାଧ୍ୟମରେ ଏହି ଇଭେଣ୍ଟ ସହ ଯୋଡି ହୋଇଥିଲେ ବଲିଉଡର କିଙ୍ଗ ଖାନ୍। ଏକ ସପ୍ତାହ ଧରି ଚାଲିବାକୁ ଥିବା ଏହି ଫିଲ୍ମ ଉତ୍ସବରେ ୮୧ଟି ଫୁଲ୍ ଲେନ୍ଥ ଫିଚର ଫିଲ୍ମ ସହ ୫୦ଟି ଶର୍ଟ ଫିଲ୍ମ ଏବଂ ଡକ୍ୟୁମେଣ୍ଟାରୀ ପ୍ରଦର୍ଶିତ କରାଯିବ ।
ସୂଚନା ଯୋଗ୍ୟ ଯେ, ଏହାପୂର୍ବରୁ ଗତ ୪ ତାରିଖରେ ତାମିଲନାଡୁ ସରକାର ମଧ୍ୟ ୧୦୦ ପ୍ରତିଶତ ସିଟ୍ ସହ ସିନେମା ହଲ୍, ମଲ୍ଟିପ୍ଲେକ୍ସ ଏବଂ ଥିଏଟର ଖୋଲିବା ପାଇଁ ଅନୁମତି ଦେଇଥିଲେ। କିନ୍ତୁ ପରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ତାମିଲନାଡୁ ସରକାରଙ୍କୁ ଏଭଳି ଆଦେଶ ଉପରେ ରୋକ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
The post ‘ହାଉସ୍ଫୁଲ୍ ହେବ ସିନେମା ହଲ୍’ appeared first on Odisha Reporter.
from Odisha Reporter https://ift.tt/3sb5sST
No comments:
Post a Comment