ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ହାଇକୋର୍ଟର ୩୨ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଏସ୍. ମୁରଲୀଧର। ରାଜଭବନରେ ଆଜି ଏହି ଶପଥ ପାଠ ଉତ୍ସବ ଆୟୋଜିତ ହୋଇଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ବିଚାରପତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।
ପୂର୍ବାହ୍ନ ପ୍ରାୟ ୮ଟା ୩୦ରେ ନବନିଯୁକ୍ତ ମୁଖ୍ୟ ବିଚାରପତିଙ୍କ ସମେତ ଅନ୍ୟମାନେ ରାଜଭବନ ପରିସରରେ ପହଞ୍ଚିଥିଲେ। ଏହାପରେ ସକାଳ ପ୍ରାୟ ୯ଟା୩୦ରେ ଶପଥ ପାଠ ଉତ୍ସବ ଆୟୋଜିତ ହୋଇଥିଲା। ଏହି ଉତ୍ସବରେ ଆଇନ ମନ୍ତ୍ରୀ ପ୍ରତାପ ଜେନା, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ଗୃହ ସଚିବ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଡିଜିପି ଅଭୟଙ୍କ ସମେତ ହାଇକୋର୍ଟର ବହୁ ବିଚାରପତି ଉପସ୍ଥିତ ଥିଲେ। କରୋନା କଟକଣା ଯୋଗୁ ଖୁବ୍ କମ୍ ଅତିଥିଙ୍କ ଉପସ୍ଥିତିରେ ଏହି ଉତ୍ସବ ଆୟୋଜିତ ହୋଇଯାଇଥିବା ବେଳେ ଗଣମାଧ୍ୟମ ପ୍ରତିନିଧୀଙ୍କୁ ପ୍ରବେଶ ଅନୁମତି ମିଳି ନ ଥିଲା।
୧୯୬୧ ମସିହାରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ ଏସ୍. ମୁରଲୀଧର ପୂର୍ବରୁ ପଞ୍ଜାବ ଓ ହରିଆଣା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିଥିଲେ। ୨୦୦୬ ମସିହାରେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବେ ଦାୟିତ୍ୱ ନେଇଥିଲେ। ପଞ୍ଜାବ ଓ ହରିଆଣା ହାଇକୋର୍ଟର ବିଚାରପତି ଥିବା ବେଳେ ଜଷ୍ଟିସ ଏସ୍. ମୁରଲୀଧର ବହୁ ଗୁରୁତ୍ୱପୂର୍ଣ୍ଣ ମାମଲାର ରାୟ ଦେଇଛନ୍ତି।
ଜଷ୍ଟିସ ଏସ.ମୁରଲୀଧରଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଁ ଗତ ୧୪ ତାରିଖରେ ସୁପ୍ରିମକୋର୍ଟ କଲିଜିୟମ ସୁପାରିସ କରିଥିଲା। ଏହାପରେ ଗତ ୩୧ ତାରିଖରେ ତାଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ରାଷ୍ଟ୍ରପତି ନିଯୁକ୍ତି ପ୍ରଦାନ କରିଥିଲେ। ଏ ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।
The post ଶପଥ ନେଲେ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍. ମୁରଲୀଧର appeared first on Odisha Reporter.
from Odisha Reporter https://ift.tt/2JFMToy
No comments:
Post a Comment