ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମା’ ଥାଇ ବି ଅନାଥ ହୋଇଯାଇଥିବା ହାତୀ ଛୁଆ ପଦ୍ମାକୁ ଆଜି ମିଳିବ ନୂଆ ପରିବାର । ବ୍ରହ୍ମପୁର ଜିଲ୍ଲା ସୁନାପୁରରୁ ଉଦ୍ଧାର ହାତୀ ଛୁଆ ପଦ୍ମାକୁ କପିଳାସରେ ଅନ୍ୟ ହାତୀଙ୍କ ମେଳକୁ ଛଡ଼ାଯିବ। କପିଲାସସ୍ଥିତ ହାତୀ ଉଦ୍ଧାର କେନ୍ଦ୍ରରେ ତାକୁ ରଖାଯାଇଛି । ଆଜି ଉଦ୍ଧାର କେନ୍ଦ୍ରରେ ଥିବା ଅନ୍ୟ ହାତୀଙ୍କ ସହ ପଦ୍ମାକୁ ମିଶିବାକୁ ଦିଆଯିବ । ଏହି ସମୟରେ ତାର ସମସ୍ତ ଗତିବିଧି ଉପରେ ନଜର ରଖାଯିବ ବୋଲି ଢେଙ୍କାନାଳ ଡିଏଫ୍ଓ ସୂଚନା ଦେଇଛନ୍ତି ।
ସେପଟେ ଗତକାଲି ପଦ୍ମାର ରକ୍ତ ନମୂନା ପରୀକ୍ଷା କରାଯିବା ପରେ ସେ ସୁସ୍ଥ ଥିବା ଜଣାପଡ଼ିଛି । ବ୍ରହ୍ମପୁର ସହର ଉପକଣ୍ଠ ସୁନାପୁର ହ୍ରଦରୁ ପଦ୍ମାକୁ ଉଦ୍ଧାର କରାଯାଇଥିଲା । ଗୋଠଛଡ଼ା ହେବା ପରେ କପିଳାସ୍ କେନ୍ଦ୍ରକୁ ନିଆଯାଇଥିଲା ।
ସୂଚନାଯୋଗ୍ୟ, ଗତ ୩୧ ତାରିଖରେ ବ୍ରହ୍ମପୁର ଉପକଣ୍ଠ ସୁନାପୁରରୁ ଉଦ୍ଧାର ହୋଇଥିବା ହାତୀ ଛୁଆକୁ ଢେଙ୍କାନାଳର କପିଳାସ ଜଙ୍ଗଲକୁ ପଠାଇ ଦିଆଯାଇଥିଲା। ଟମଣା ନର୍ସରୀରୁ ଏକ ଗାଡ଼ିରେ ବନ ବିଭାଗ କର୍ମଚାରୀ ପଦ୍ମାକୁ ଧରି କପିଳାସ ଅଭିମୁଖେ ଯାତ୍ରା କରିଥିଲେ। ସେଠାରେ ଜଙ୍ଗଲରେ ପ୍ରାକୃତିକ ଆବାସସ୍ଥଳୀରେ ହାତୀ ଛୁଆଟିକୁ ଛଡ଼ାଯାଇଥିଲା।
ତେବେ ହାତୀ ଛୁଆଟିକୁ ଟମଣା ନର୍ସରୀରୁ ବିଦାୟ ଦିଆଯିବା ବେଳେ ସୃଷ୍ଟି ହୋଇଥିଲା ଭାବବିହ୍ୱଳ ପରିବେଶ। ମା’ ଥାଇ ଅନାଥ ହୋଇଯାଇଥିବା ଏହି ହାତୀ ଛୁଆର ମାତ୍ର ଦୁଇ ଦିନ ଯତ୍ନ ନେଇଥିବା ବନ କର୍ମଚାରୀମାନେ ତାକୁ ଆପଣାର କରି ନେଇଥିଲେ। ହାତୀ ଛୁଆଟି ମଧ୍ୟ ସେମାନଙ୍କ ସହ ମିଶି ଯାଇଥିଲା। ଘଣ୍ଟାକୁ ଘଣ୍ଟା ତାକୁ ଖାଇବାକୁ ଦେବା ସହିତ ତା’ ସ୍ୱାସ୍ଥ୍ୟର ଯତ୍ନ ନେଉଥିଲେ ଏହି କର୍ମଚାରୀମାନେ। ଆଉ ଯେତେବେଳେ ଆଜି ହାତୀ ଛୁଆଟିକୁ ଗାଡ଼ି ଉପରକୁ ଚଢ଼ାଇ ଦିଆଗଲା ସେତେବେଳେ ସେହି କର୍ମଚାରୀମାନେ କୋହ ସମ୍ଭାଳି ପାରି ନଥିଲେ। ସେମାନଙ୍କ ଆଖିରେ ଲୁହ ଆସିଯାଇଥିଲା।
ଦୁଇ ଦିନ ଧରି ହାତୀଛୁଆଟିର ସେବା କରିଥିବା ଫରେଷ୍ଟ ଗାର୍ଡ ସନ୍ତୋଷ କୁମାର ସାହୁ କହିଛନ୍ତି, “ଆସିଲା ବେଳେ ତା’ ଦେହରେ କ୍ଷତ ଥିଲା। କିନ୍ତୁ ଚିକିତ୍ସା ପରେ ସେ ସୁସ୍ଥ ହୋଇଯାଇଛି। ଭୋକ କଲେ ସେ ରଡ଼ି ଛାଡ଼ୁଥିଲା। ସେ ରଡ଼ି ଛାଡ଼ିଲେ ମୁଁ ତାକୁ ଖାଇବାକୁ ଦିଏ। ଦୁଇ ଦିନ ଭିତରେ ସେ ମୋ ନିଜ ଛୁଆ ଭଳି ହୋଇଯାଇଥିଲା। ମୋତେ ଜମାରୁ ପାଖରୁ ଛାଡ଼ୁ ନଥିଲା ଓ ଗେଲ ହେଉଥିଲା। ସେ ଏଠାରୁ ପଳାଇବା ପରେ ଆମକୁ ଭାରି କଷ୍ଟ ଲାଗୁଛି।”
ସୂଚନାଯୋଗ୍ୟ, ଗତ ୨୯ ତାରିଖ ସକାଳୁ ସାନ ଚିଲିକାରେ ୧୬ ଟିକିଆ ହାତୀପଲ ପଶିଥିଲେ। ଘଉଡ଼ାଇବାରୁ ହାତୀମାନେ ପଳାଇଯାଇଥିଲେ ବି ଚିଙ୍ଗୁଡ଼ି ଘେରି ପଙ୍କରେ ଫସିଯାଇଥିଲା ଏକ ଛୁଆ ହାତୀ। କିଛି ମତ୍ସଜୀବୀ ଛୁଆ ହାତୀଟିକୁ ଡଙ୍ଗାରେ ଉଦ୍ଧାର କରି ପଲରେ ଛାଡିଥିଲେ । ହେଲେ ମା’ ହାତୀ ପାଖରେ ଛାଡ଼ିବାକୁ ବାରମ୍ବାର ଉଦ୍ୟମ ସତ୍ତ୍ୱେ ହାତୀ ପଲ ଛୁଆକୁ ଗ୍ରହଣ କଲେ ନାହିଁ। ବାରମ୍ବାର ହାତୀଛୁଆ ପଲକୁ ଯିବାକୁ ଉଦ୍ୟମ କରୁଥିଲା ଏବଂ ଦନ୍ତାହାତୀ ତାକୁ ଶୁଣ୍ଢରେ ଠେଲି ପଲରୁ ଦୁରେଇ ଦେଇଥିଲେ ।ଦଳପତି ଦନ୍ତାର ନିୟମ ଆଗରେ ଫିକା ପଡ଼ିଲା ମା’ର ମମତା।
ଏହା ପରେ ବନ କର୍ମଚାରୀମାନେ ହାତୀ ଛୁଆଟିକୁ ଟମଣା ନର୍ସରୀରୁ ଆଣି ଚିକିତ୍ସା କରିଥିଲେ। ସେହିପରି ଖାଇବାପିଇବା ଶିଖି ନଥିବାରୁ ନିଯୁକ୍ତ ବନ କର୍ମଚାରୀମାନେ ତାକୁ ଖୁଆଇଥିଲେ। ୨ ଦିନର ରହଣି ମଧ୍ୟରେ ହାତୀ ଛୁଆଟି ସେମାନଙ୍କ ବେଶ୍ ନିଜର ହୋଇଯାଇଥିଲା।
The post ମା’ ଥାଇ ବି ଅନାଥ ‘ପଦ୍ମା’କୁ ଆଜି ମିଳିବ ନୂଆ ପରିବାର appeared first on Odisha Reporter.
from Odisha Reporter https://ift.tt/3hU64b2
No comments:
Post a Comment