ମାଲକାନଗିରି/ବାଲିଗୁଡ଼ା (ଜିତେନ୍ଦ୍ର ବେଉରା/ଅଜିତ ନାୟକ): ଗୋଟିଏ ପଟେ କନ୍ଧମାଳ ଜିଲ୍ଲାରେ ନକ୍ସଲମାନେ ବର୍ବରକାଣ୍ଡ ଘଟାଇଥିବା ବେଳେ ଅନ୍ୟପଟରେ ମାଲକାନଗିରିରେ ନକ୍ସଲ ସଂଗଠନକୁ ଲାଗିଛି ଝଟକା। ମାଲକାନଗିରି ପୁଲିସ୍ର ଏନ୍କାଉଣ୍ଟରରେ ନିହତ ହୋଇଛି ଜଣେ ନକ୍ସଲ।
ମାଲକାନଗିରି ଜିଲ୍ଲା ମୁଦୁଲିପଡ଼ା ଥାନା ମାଡ଼କାପଦର ପଞ୍ଚାୟତାର ନୁନ୍ଖାରି ଜଙ୍ଗଲରେ ହୋଇଛି ଏହି ଏନ୍କାଉଣ୍ଟର। ନୁନ୍ଖାରି ଜଙ୍ଗଲରେ ନକ୍ସଲଙ୍କ ଶିବିର ଥିବା ଖବର ପାଇଁ ଅପରେସନ୍ ଆରମ୍ଭ କରିଥିଲେ ଏସ୍ଓଜି ଓ ଡିଭିଏଫ୍ ଯବାନ। ପୁଲିସ୍କୁ ଦେଖି ନକ୍ସଲମାନେ ପ୍ରଥମେ ଗୁଳି ଚଳାଇଥିଲା। ପୁଲିସ୍ ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଇଥିଲା। ଫଳରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ। ପରେ ସର୍ଚ୍ଚ ଅପରେସନ୍ ବେଳେ ଜଣ ନକ୍ସଲର ମୃତଦେହ ମିଳିଥିଲା। ତା’ସହିତ ଅନେକ ନକ୍ସଲ ସାମଗ୍ରୀ ଜବତ କରାଯାଇଛି।
ଅନ୍ୟପକ୍ଷରେ କନ୍ଧମାଳ ଜିଲ୍ଲାରେ ନକ୍ସଲଙ୍କ ଆଉ ଏକ ବର୍ବରକାଣ୍ଡ ଦେଖିବାକୁ ମିଳିଛି। ପୁଲିସ ଇନଫର୍ମର ସନ୍ଦେହରେ ସେମାନେ ଦୁଇ ଜଣ ବ୍ୟକ୍ତିଙ୍କୁ ଉଠାଇ ନେଇଥିବା ବେଳେ ଜଣଙ୍କୁ ନିସ୍ତୁକ ମାଡ଼ ମାରି ଛାଡ଼ି ଦେଇଥିବା ବେଳେ ଅନ୍ୟ ଜଣଙ୍କ ପତ୍ତା ମିଳୁନି। ଘଟଣାଟି ଘଟିଛି ଜିଲ୍ଲାର ବେଲଘର ଥାନା ଅନ୍ତର୍ଗତ ଗୁମୁ ଗାଁରେ। ଗାଁର ଗୋବିନ୍ଦ ମାଝୀ ଓ ଦେବେନ୍ଦ୍ର ମାଝୀଙ୍କୁ ନକ୍ସଲମାନେ ନେଇ ଯାଇଥିଲେ। ଗୋବିନ୍ଦ ଫେରି ଆସିଥିବା ବେଳେ ଦେବେନ୍ଦ୍ରଙ୍କ ପତ୍ତା ମିଳିପାରିନି। ନକ୍ସଲମାନେ ତାଙ୍କୁ ହତ୍ୟା କରିଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଡରି ଯାଇଛନ୍ତି।
ସୂଚନାଯୋଗ୍ୟ, ଶୁକ୍ରବାର ରାତିରେ କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଞ୍ଚଳରୁ ନକ୍ସଲମାନେ ଦୁଇ ଜଣଙ୍କୁ ଉଠାଇ ନେଇ ହତ୍ୟା କରିଥିଲେ। ମୃତକ ଦ୍ୱୟ ହେଲେ ଭବାନୀ ଶଙ୍କର ପାତ୍ର ଓ ହେମନ୍ତ ପାତ୍ର। ଭାବନୀ ହେଉଛନ୍ତି ଭଣ୍ଡରଙ୍ଗି ପଞ୍ଚାୟତର ସରପଞ୍ଚଙ୍କ ପୁଅ। ତାଙ୍କୁ ମାଡ଼ମାରି ବେକରେ ଦଉଡ଼ି ବାନ୍ଧି ହତ୍ୟା କରିଥିଲେ ନକ୍ସଲ। ତାଙ୍କ ମୃତଦେହ ଭଣ୍ଡରଙ୍ଗି ପଞ୍ଚାୟତ ଅଫିସ ନିକଟରେ ପଡ଼ିଥିଲା। ଅନ୍ୟପଟେ ହେମନ୍ତଙ୍କ ଘର ଗୁଛାଗୁଡ଼ା ଗାଁରେ। ତାଙ୍କୁ ନକ୍ସଲମାନେ ଘରୁ ଉଠାଇ ନେଇ ଗୋଡ଼ହାତ ବାନ୍ଧି ଗୁଳି କରି ମାରି ଦେଇଥିଲେ। ପୁଲିସ୍ ଇନ୍ଫର୍ମର ସନ୍ଦେହରେ ଏମାନଙ୍କୁ ନକ୍ସଲମାନେ ହତ୍ୟା କରିଥିବାକୁ କୁହାଯାଉଛି।
The post କନ୍ଧମାଳରେ ବର୍ବରକାଣ୍ଡ, ମାଲକାନଗିରିରେ ମିଳିଲା ଜବାବ appeared first on Odisha Reporter.
from Odisha Reporter https://ift.tt/39wN8MM
No comments:
Post a Comment