ମାୟାଧର ନାୟକ
ଅନ୍ଧମୁହାଣିରେ ବିଶ୍ୱ ପୁଂଜିବାଦୀ ଅର୍ଥନୀତି ଦ୍ରୁତ ଗତିରେ ମାଡ଼ିଚାଲିଛି। ବିଭିନ୍ନ ଦେଶରେ ପୁଂଜିବାଦୀ ବଜାର ସଂକଟ ଯୋଗୁ ଭୟଙ୍କର ଅବସ୍ଥା ଉପୁଜିଲାଣି। ଅନେକ ଦେଶ ଆର୍ଥିକ ଦେଣ-ନେଣରେ ସୁଧାର ଆସୁନଥିବାରୁ ଧୀରେ ଧୀରେ ଦେବାଳିଆ ଅବସ୍ଥାକୁ ଆସିଗଲେଣି। ବିଶ୍ୱର ଧନଶାଳୀ ଦେଶମାନେ ମଧ୍ୟ ଆର୍ଥିକ ମାନ୍ଦାବସ୍ଥାକୁ ମୁକାବିଲା କରିନପାରି ପ୍ରଚଣ୍ଡ ସଂକଟରେ ଜର୍ଜ୍ଜରିତ।
ସାରା ପୃଥିବୀରେ ଶୋଷଣ ଜାଲ ବିଛାଇଥିବା ଆମେରିକା କିନ୍ତୁ ନିଜ ମାୟାଜାଲରେ ନିଜେ ଛନ୍ଦି ହୋଇ ଯାଇଛି! ଆଜିର ଏ ପରିସ୍ଥିତି ପଛରେ ଆମେରିକାର କି ପ୍ରକାର କୂଟକୌଶଳ ଛପିରହିଛି – ଏ କଥା ସବୁ ଦେଶ କହିପାରୁ ନାହାଁନ୍ତି। ସେମାନଙ୍କ ଜିଭ କଟିଯିବା ଭୟରେ ବହୁସଂଖ୍ୟକ ଦେଶ ମୁହଁରେ ତୁଣ୍ଡି ଲଗାଇ ଦେଇଛନ୍ତି। କିଛି ଶିଳ୍ପଦ୍ୟୋଗୀ ବିଦେଶରୁ ୬ରୁ ୭ ପରସେଂଟ୍ ସୁଧରେ କରଜ ଆଣିଥିଲେ। ଆମ ଦେଶରେ ସୁଧହାର ୧୨ରୁ ୧୪ ପ୍ରତିଶତ ପର୍ଯ୍ୟନ୍ତ ଥିବାରୁ ବିଦେଶରୁ ଋଣ ଆଣି ମଜା ମାରୁଥିଲେ। ଏବେ ଟଙ୍କାର ଅବମୂଲ୍ୟାୟନ ଘଟିବା ଫଳରେ ସେଇ ଶସ୍ତା କରଜ ବର୍ତ୍ତମାନର ବେକରେ ଫାଶୀ ପାଲଟିଯାଇଛି।
କେବଳ ଆମେରିକୀୟ ଡଲାର ନୁହେଁ, ବ୍ରିଟିଶ୍ ପାଉଣ୍ଡ ଓ ଅନ୍ୟାନ୍ୟ ଦେଶର ମୁଦ୍ରା ମଧ୍ୟ ଅଧିକ ଟଙ୍କା ଏପରିକି ୧୭%ରୁ ୨୦% ବଢିଯାଇଛି। କରଜ କରିଥିବା ଭାରତୀୟ ବ୍ୟବସାୟୀମାନେ ଛାନିଆ ହୋଇ ପଡ଼ିଥିବାବେଳେ ବିଦେଶରୁ ଯେଉଁମାନେ ଦେଶକୁ ଡଲାର ପଠାଉଛନ୍ତି ତାଙ୍କ ଘର ଲୋକେ ଅଧିକ ଟଙ୍କା ପାଇବେ। ଏଥିରେ ସେମାନେ ଖୁସି। ଏହି ମୁଦ୍ରାସ୍ଫୀତି କାହାର ନିଦ ହଜେଇ ଦେଇଛି ଓ ଆଉ କାହାର ଆନନ୍ଦର ସୀମା ନାହିଁ।
୨୦୨୧ ବିଶ୍ୱର ଆର୍ଥିକ ସଙ୍କଟ ୧୯୨୯ ମସିହାର ମହାମାନ୍ଦାବସ୍ଥାଠାରୁ ୧୦ ଗୁଣ ଅଧିକ ହେବାକୁ ଯାଉଛି। ସେହି ସମୟରେ ଅର୍ଥନୀତିଜ୍ଞ କେନସଙ୍କ ତତ୍ତ୍ୱକୁ ପୁଂଜିବାଦୀ ରାଷ୍ଟ୍ରମାନେ କାର୍ଯ୍ୟକାରୀ କରିଥିଲେ। କେନସ୍ ତତ୍ତ୍ୱର ମୂଳଭିତ୍ତି ହେଲା, ମାନ୍ଦା କାଟିବା ପାଇଁ ସାମଗ୍ରିକ ଚାହିଦା ବଢାଇବାକୁ ହେବ। ଏହି ଚାହିଦା ସରକାର ବଢାଇବେ, ରାଜକୋଷରୁ ବ୍ୟୟ କରିବେ। ସରକାର ଅର୍ଥ ବ୍ୟୟ କଲେ ଲୋକଙ୍କ ହାତକୁ ଟଙ୍କା ଯିବ, ଟଙ୍କା ହେଲେ ଲୋକେ ଜିନିଷପତ୍ର କିଣିବେ। ବିନିଯୋଗ ମଧ୍ୟ ବଢିବ। ଯେକୌଣସି ଭାବେ ଲୋକଙ୍କ ରୋଜଗାର ବଢାଇ ଲୋକଙ୍କ ପକେଟକୁ ଟଙ୍କା ଆସିବା ଦରକାର। ପ୍ରୟୋଜନ ନଥିଲେ ବି ମାଟି ଖୋଳି, ସେହି ମାଟି ଗାତରେ ଭର୍ତ୍ତି କରିବା କାମ ବି ଆଗେ ଦରକାର। ମାଟି ଖୋଳି ଗାତ ପୋତିବା ଏବେ ସମ୍ଭବ ନୁହେଁ। ଅପର ପକ୍ଷରେ ମାର୍କ୍ସ ଏଙ୍ଗେଲ୍ସ୍ ତତ୍ତ୍ୱକୁ ସମାଜବାଦୀ ଶିବିର ପ୍ରୟୋଗକରି ଲୋକଙ୍କ ରୋଟି କପଡ଼ା ଆଉ ମକାନ, ସ୍ୱାସ୍ଥ୍ୟ ଶିକ୍ଷାର ସମାଧାନ କରି ପାରିଲେ। ଚାହିଦା ବଢ଼ିଲେ ଦାମ ବଢ଼େ, ଦାମ ବଢ଼ିଲେ ଚାହିଦା କମେ। ଚାହିଦା କମିଲେ ଉତ୍ପାଦନ କମେ। ଉତ୍ପାଦନ କମିଲେ ଶ୍ରମିକ ସଂକୋଚନ ପ୍ରକ୍ରିୟା ଆରମ୍ଭ ହୁଏ।
ଜଗତୀକରଣ ଫଳରେ ଭାରତ ଯେଉଁ ଦେଶକୁ କଂଚାମାଲଠାରୁ ଉତ୍ପାଦିତ ଦ୍ରବ୍ୟ ରପ୍ତାନୀ କରୁଥିଲା, ସେ ଦେଶର ଚାହିଦା କମିବାରୁ ଭାରତୀୟ ରପ୍ତାନୀ ବାଧାପ୍ରାପ୍ତ ହୋଇଛି। ଏବେ ଭାରତୀୟ ଅର୍ଥନୀତି ଆଭ୍ୟନ୍ତରୀଣ ଚାହିଦା ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ନୁହେଁ। ବିଶ୍ୱର ଏହି ଆର୍ଥିକ ମହାମାନ୍ଦାବସ୍ଥା କେତେମାସ ବା ବର୍ଷ ଲାଗିରହିବ କେହି କହିପାରୁନାହାନ୍ତି। ଏଭଳି ଅବସ୍ଥା ଚାଲିଲେ ଛୋଟ ଓ ମଝିମଝିକା ଶିଳ୍ପ ବ୍ୟବସାୟୀ ଭୀଷଣ କ୍ଷତିଗ୍ରସ୍ତ ହେବେ।
ବିଶ୍ୱ ଆର୍ଥିକ ବିପର୍ଯ୍ୟୟ ଭାରତକୁ ପ୍ରଚଣ୍ଡ ଧକ୍କା ଦେଇଛି। ହଜାର ହଜାର ଲକ୍ଷଲକ୍ଷ ସଂଖ୍ୟାରେ ଶ୍ରମିକ କର୍ମଚାରୀ ଛଟେଇ, ଆୟବୃଦ୍ଧି ଭୀଷଣ ଭାବେ ବାଧାପ୍ରାପ୍ତ, ଉତ୍ପାଦନ ହଠାତ୍ ବନ୍ଦ ହୋଇ ଆସୁଛି, ବଜାର ଚାହିଦା କମୁଛି। ସରକାର ଶିଳ୍ପପତିଙ୍କୁ ଗୁହାରି କରୁଛି – ଉତ୍ପାଦିତ ଦ୍ରବ୍ୟର ଦାମ କମାଅ, ଛଟେଇ ବନ୍ଦ କର, ଲୋକଙ୍କ ହାତରେ ଟଙ୍କା ଥିଲେ ବଜାର ସତେଜ ରହିବ। ପୁଂଜିପତିମାନେ ସରକାରୀ ଗୁହାରି ନଶୁଣି, ସୁଧହାର, ଉତ୍ପାଦନ ଟିକସ କମାଇବା ପାଇଁ ଦାବୀ କରୁଛନ୍ତି।
ଅସଲ କଥା ହେଉଛି – ଭାରତୀୟ କାରିଗରମାନଙ୍କର କୁଶଳତାର ଅଭାବ, ସରକାରରେ ବହୁ ଆତ୍ମସ୍ୱାର୍ଥୀ ଲୋକ ଥିବାରୁ, ଦେଶର ସ୍ୱାର୍ଥ ଅର୍ଥନୀତି ଓ ପୁଂଜିର ସୁଷମ ବଂଟନକୁ ଧ୍ୟାନ ଦେଇ ନଥିବାରୁ ବିଦେଶୀ ଉତ୍ପାଦିତ ପଦାର୍ଥ ସହିତ ଭାରତୀୟ ଉତ୍ପନ୍ନ ପଦାର୍ଥ ପ୍ରତିଯୋଗିତାରେ ହାର ମାନୁଛି।
ଭାରତର ଅର୍ଥନୀତି ଏପର୍ଯ୍ୟନ୍ତ ଭୁଲ ଗଣିତର ଧାରାରେ କଷା ହୋଇ ଆସିଛି। ଏ ଅଙ୍କକଷା କିଛି କୁଟିଳ ରାଜନୈତିକ କାରପଟଦାରମାନଙ୍କର କଳା କାର୍ସାଦି। ଯେଉଁଦିନ ଭାରତରେ ନିରନ୍ନ ଜନତା ଏ ଗଣିତ ପଛରେ ଥିବା ଆତଙ୍କକୁ ଅନ୍ତରେ ଅନ୍ତରେ ଉପଲବ୍ଧି କରିପାରିବେ, ସେଦିନ ନୂଆ ଭାରତର ନିଆରା ନକ୍ସା ପାଇଁ ଆରମ୍ଭ ହେବ କଠୋର ସଂକଳ୍ପର ଦିନ।
ପୁଂଜିବାଦର ମାଧ୍ୟମ ମିଡିଆକୁ ପ୍ରଚୁର ଅର୍ଥ ଦେଇ ଏଇ ଅପପ୍ରଚାରଧର୍ମୀ ଉଦ୍ଭଟନାଟକ ଆରମ୍ଭ ହୋଇଯାଇଛି – ଯେତେବେଳେ ମଠମନ୍ଦିର ମସ୍ଜିଦ୍ ଗିର୍ଜା ପୁଂଜିବାଦକୁ ରକ୍ଷା କରି ପାରୁନି – ଅର୍ଥବଳ, ବାହୁବଳ, ରାହୁବଳ କାମ ଦେଉନି – ସେତେବେଳେ ପୁଂଜିବାଦର ପ୍ରେତ ‘ନଷ୍ଟ୍ରଡମସ୍’ର ପୃଥିବୀ ଧ୍ୱଂସର ତତ୍ୱ, ବିଶ୍ୱ ଅର୍ଥନୀତି ବିପର୍ଯ୍ୟୟର ଆଗୁଆ ଘଂଟି ବଜାଇବାର ପାଲା, ମୃତ୍ୟୁମୁଖୀ ସଇତାନର ଥଇଥାନ ତତ୍ତ୍ୱ ଖୁବ୍ ଜୋରରେ ଶୁଣିବାକୁ ମିଳୁଛି।
ଆଗରୁ ଲୋକେ ରାସ୍ତା ହଜେଇ ସାରିଛନ୍ତି। ଏବେ ଚାରିଆଡ଼େ ଅନ୍ଧକାର। ଏହି ଭୟାବହ ପରିସ୍ଥିତିରେ ବିଶ୍ୱ ଶ୍ରମିକଶ୍ରେଣୀ ପାଖରେ ମାର୍କ୍ସ, ଲେନିନ୍, ଷ୍ଟାଲିନ୍, ମାଓ-ସେ-ତୁଂଗ ନାହାନ୍ତି। ସମାଜବାଦୀ ମୂଲ୍ୟବୋଧ କ୍ଷତବିକ୍ଷତ। ପୁଣି ସେଇ କାର୍ଲ ମାର୍କସ ଭରସା। କିନ୍ତୁ ମାର୍କ୍ସବାଦୀ ତତ୍ତ୍ୱକୁ ଠିକ୍ଭାବେ ପରିବର୍ତ୍ତିତ ପରିସ୍ଥିତି ସହିତ ଖାପ ଖୁଆଇ ବିଶ୍ୱମାନବ ସମାଜକୁ ମୁକ୍ତିଶାନ୍ତିମୈତ୍ରୀ ପଥରେ ଆଗେଇ ନେବାପାଇଁ କେହି ନା କେହି ବାହାରନ୍ତୁ।
ଆମ ଭାରତର ଶୋଷକ ପୁଂଜିପତି ଶ୍ରେଣୀ ଅତି ଚାଲାଖିଆ। ସବୁ ମାରିପିଟି ନେଇ ରଖିଛନ୍ତି – ବିପଦ ପଡ଼ିଲାବେଳକୁ ମୁଣ୍ଡ ଗଡ଼ାଉଛନ୍ତି। କିହୋ! ଶ୍ରମଜୀବୀ ଶ୍ରେଣୀକୁ ଖଟାଇ ଖଟାଇ ଦୀର୍ଘକାଳ ଧରି ଯେଉଁ ପୁଂଜିର ପାହାଡ଼ ସୃଷ୍ଟି କରିଛି ସେଥିରୁ କିଛି ଖସାଅ। ଏ କଥା କହିଲାବେଳେକୁ ସେମାନଙ୍କ ଛାତି ଫାଟି ଯାଉଛି। ଭାରତର ସବୁକ୍ଷେତ୍ରରେ ବର୍ତ୍ତମାନ ଶ୍ରମିକ ସଂକୋଚନର ହୋହଲ୍ଲା ଆରମ୍ଭ ହୋଇଗଲାଣି। ରପ୍ତାନୀ ଆମଦାନୀ ‘ଠପ୍’ ହେବାକୁ ବସିଲାଣି। ଏସବୁ ଅବସ୍ଥା ଦେଖି ଭାରତୀୟ ପୁଂଜିପତିଙ୍କ ମଧ୍ୟରେ କୋକୁଆଭୟ ଦେଖାଦେଲାଣି।
‘ଭୋକ’ ଏଭଳି ଏକ ଶଦ୍ଦ ଯେ, ସେ ଦୁନିଆରେ କାହାରି ଥଳକୂଳ ରଖିବନି। ଢୋକେ ପିଇ, ଜଣ୍ଡେ ଜିଇ ଅବସ୍ଥା ମଧ୍ୟ ଅସମ୍ଭାଳ ହୋଇଯିବ। ଶ୍ରମଜୀବୀ ଶ୍ରେଣୀ ଯେତେବେଳେ ଦିନେ, ଦି’ ଦିନ ଓପାସ ରହିବେ ସେ କାହାରିକୁ ମାନିବେ ନାହିଁ – ପ୍ରଳୟ ଆଣିବେ, ମହାପ୍ରଳୟ!
ସାମ୍ୟବାଦରୁ ସଂଶୋଧନବାଦ, ପ୍ରଗତିରୁ ପ୍ରତିକ୍ରିୟା, ନିଆଁରୁ ପାଉଁଶ – ଅଂଗୀକାରରୁ ଅଂଗାର… ଏ ରହସ୍ୟ ପଛରେ ମାର୍କିନ୍ ମାର୍କେଟ୍ର ମୁନାଫାଖୋର୍ ପୁଞ୍ଜିବାଦୀ ତତ୍ତ୍ୱର ପ୍ରୟୋଗ କ’ଣ ଆମ ଅବଶିଷ୍ଟ ପୃଥିବୀର ବୁଦ୍ଧିଜୀବୀବର୍ଗଙ୍କୁ ଜ୍ଞାତ ନୁହେଁ ? ବିଶ୍ୱ ଆର୍ଥିକ ବିପର୍ଯ୍ୟୟ ରକ୍ଷା ପାଇବାର ଏକମାତ୍ର ମହୌଷଧି – ସଂପଦର ସାମାଜିକ ବିତରଣ। ଯଦି ଉତ୍ପାଦନ ସାମାଜିକ, ତା’ହେଲେ ଉତ୍ପାଦିତ ସଂପଦର ମାଲିକ ସାମାଜିକ ହେବା ଏକାନ୍ତ ଆବଶ୍ୟକ।
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩
The post ପାଉଁଶରେ ପହଁରିବ ପୁଞ୍ଜିବାଦ! appeared first on Odisha Reporter.
from Odisha Reporter https://ift.tt/2NAkIJP
No comments:
Post a Comment