ଭୋପାଲ: ଅଳ୍ପକେ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ। ସେ ଯାଉଥିବା ଗୋଟିଏ ଲିଫ୍ଟ ହଠାତ୍ ୧୦ ଫୁଟ୍ ତଳକୁ ଖସି ପଡ଼ିଥିଲେ ହେଁ ତାଙ୍କୁ ଏହା ମଧ୍ୟରୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଏହି ସମୟରେ କମଲନାଥଙ୍କ ସହ ଆଉ କିଛି କଂଗ୍ରେସ ନେତା ମଧ୍ୟ ରହିଥିଲେ।
ଇନ୍ଦୋରରେ ଥିବା ଏକ ଘରୋଇ ହସ୍ପିଟାଲରେ ପୂର୍ବତନ ମନ୍ତ୍ରୀ ରାମେଶ୍ୱର ପଟେଲ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ଦେଖିବା ପାଇଁ କମଲନାଥ, ସଜ୍ଜନ ସିଂହ ବର୍ମା ଓ ଜିତୁ ପଟିୱାରୀ ଯାଇଥିଲେ। ସମସ୍ତେ ଲିଫ୍ଟରେ ଉପର ମହଲାକୁ ଯାଉଥିବା ବେଳେ ଅଘଟଣ ଘଟିଥିଲା। ରାମେଶ୍ୱର ଚିକିତ୍ସିତ ହେଉଥିବା ୱାର୍ଡ ପାଖରେ ଲିଫ୍ଟ ପହଞ୍ଚିବାକୁ ଯାଉଥିବା ବେଳେ ହଠାତ୍ ଏହା ଖରାପ ହୋଇଯାଇଥିଲା। ଫଳରେ ଏହା ସିଧା ୧୦ ଫୁଟ୍ ତଳକୁ ଖସି ପଡ଼ିଥିଲା।
ଲିଫ୍ଟ ଖରାପ ହେବାରୁ ଏହା ଦ୍ୱାର ମଧ୍ୟ ଜାମ ହୋଇଯାଇଥିଲା। କମଲନାଥଙ୍କ ସୁରକ୍ଷାକର୍ମୀ ଓ ଇଞ୍ଜିନିୟରମାନେ ତୁରନ୍ତ ଲିଫ୍ଟର ଦ୍ୱାରକୁ କଟର ଦ୍ୱାରା କାଟି ଏହା ମଧ୍ୟରେ ଫସିଥିବା କଂଗ୍ରେସ ନେତାମାନଙ୍କୁ ଉଦ୍ଧାର କରିଥିଲେ।
ଘଟଣା ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଫୋନ ଯୋଗେ କମଲନାଥଙ୍କ ସହ କଥା ହୋଇଛନ୍ତି। ଏଥିସହ ଘଟଣାର ତଦନ୍ତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏସମ୍ପର୍କରେ ନିଜେ ଶିବରାଜ ଟ୍ୱିଟ କରି ସୂଚନା ଦେଇଛନ୍ତି।
ସେ କହିଛନ୍ତି, “ଇନ୍ଦୋରର ଗୋଟିଏ ଘରୋଇ ହସ୍ପିଟାଲ ଲିଫ୍ଟ ଅଘଟଣ ସମ୍ପର୍କରେ ଖବର ପାଇଛି। ଏଥିରେ କମଲନାଥଜୀ ଓ ଅନ୍ୟ ସହଯୋଗୀମାନେ ରହିଥିଲେ। ଘଟଣା ପରେ ମୁଁ ଫୋନ ଯୋଗେ କମଲନାଥଜୀଙ୍କ ସହ କଥା ହୋଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ପଚାରିଛି। ଈଶ୍ୱରଙ୍କ କୃପାରୁ ସମସ୍ତେ ସୁରକ୍ଷିତ ରହିଛନ୍ତି। ଇନ୍ଦୋର ଜିଲ୍ଲାପାଳଙ୍କୁ ଘଟଣାର ତଦନ୍ତ କରିବାକୁ କହିଛି।”
The post ୧୦ ଫୁଟ ତଳକୁ ଖସିଲା ଲିଫ୍ଟ, ଅଳ୍ପକେ ବର୍ତ୍ତିଲେ କମଲନାଥ appeared first on Odisha Reporter.
from Odisha Reporter https://ift.tt/2ORAQ9S
No comments:
Post a Comment