ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ ଭୟ କମିଶନରେଟ ପୁଲିସ୍କୁ ଘାରିଥିବା ବେଳେ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏପରିକି କମିଶନରେଟ ପୁଲିସ ପକ୍ଷରୁ ପ୍ରଥମଥର ପାଇଁ ଟ୍ରାଫିକ କଟକଣା ମଧ୍ୟ ଆଜିଠୁ ଲାଗୁ କରାଯାଇଛି। ଏହାସତ୍ତ୍ୱେ ଗତକାଲିଠୁ ଆଜି ମଧ୍ୟରେ ୨ ଜଣ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଦେବାକୁ ଉଦ୍ୟମ କରି ସାରିଲେଣି। ଆତ୍ମାହୁତି ଉଦ୍ୟମ କରୁଥିବା ଲୋକଙ୍କୁ ପୁଲିସ୍ ତତ୍କ୍ଷଣାତ କାବୁ କରି ନେଉଥିଲେ ମଧ୍ୟ କେବେ ବି କିଛି ଅଘଟଣ ଘଟିବା ଆଶଙ୍କାକୁ ଏଡ଼ାଇ ହେବନି।
ଆଜି ଜଣେ ମହିଳା ବିଧାନସଭା ନିକଟ ଜୟଦେବ ଭବନ ସାମ୍ନାରେ ଆତ୍ମାହୁତି ଉଦ୍ୟମ କରିଛନ୍ତି । ମହିଳାଜଣଙ୍କ ଦେହରେ ପେଟ୍ରୋଲ ଢାଲିବା ବେଳେ ପୁଲିସ୍ ତାଙ୍କୁ କାବୁ କରିଛି। ପୁଅର ହତ୍ୟା ମାମଲାକୁ ଚପାଇ ଦିଆଯାଉଥିବା ଅଭିଯୋଗ ଆଣି ମହିଳାଜଣଙ୍କ ଏଭଳି ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିବା ଜଣାପଡିଛି ।
ବଜେଟ ଅଧିବେଶନ ଆରମ୍ଭ ପୂର୍ବରୁ ଗତକାଲି ମଧ୍ୟ ହଂସପାଳ ଅଞ୍ଚଳର ଜଣେ ବ୍ୟକ୍ତି ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ । ପାରିବାରିକ କଳିକୁ ନେଇ ସେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ତେବେ ପୁଲିସ କିଛି ନଶୁଣିବାରୁ ସେ ଆଜି ପେଟ୍ରୋଲ ଧରି ଆତ୍ମାହୁତି ଉଦ୍ୟମ କରୁଥିବା ବେଳେ ପୁଲିସ ଉଦ୍ଧାର କରିଥିଲା।
ଏନେଇ ଆତ୍ମାହୁତି ଉଦ୍ୟମ କରିଥିବା ବ୍ୟକ୍ତି କହିଛନ୍ତି, ତାଙ୍କ ପତ୍ନୀଙ୍କୁ ଆକ୍ରମଣ ହୋଇଥିଲା। ଏନେଇ ସେ ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରିଥିଲା। ହେଲେ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲା। ଏନେଇ ଥାନାକୁ ଗଲେ ନିରାଶ ହେବାକୁ ପଡ଼ୁଥିଲା। ଥାନା ବାବୁଙ୍କଠାରୁ ନିରାଶ ହୋଇ ସମ୍ପୃକ୍ତ ଆତ୍ମାହୁତି ଉଦ୍ୟମ କରିବାକୁ ନିଷ୍ପତ୍ତି ନେଇଥିଲେ। ଗତକାଲି ଅପରାହ୍ନରେ ସେ ବିଧାନସଭା ସମ୍ମୁଖରେ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ। ସେଠାରେ ଉପସ୍ଥିତ ଥିବା ପୁଲିସ ତାଙ୍କୁ କାବୁ କରିନେଇଥିଲା।
ଗତ ବିଧାନସଭା ଅଧିବେଶନରେ ମଧ୍ୟ ଆତ୍ମାହୁତି ଉଦ୍ୟମ ହୋଇଥିଲା। ପରୀକୁ ନ୍ୟାୟ ଦେବା ପାଇଁ ତାଙ୍କ ବାପା-ମାଆ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିବା ପରେ ଏହାକୁ ନେଇ ଆରମ୍ଭ ହୋଇଥିଲା ରାଜନୀତି। ତେଣୁ ଏପରି ଘଟଣାର ପୁନରାବୃତ୍ତି ଯେପରି ନ ହୁଏ, ସେଥିପ୍ରତି ଯତ୍ନବାନ ହେବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା ଚଳାଇଛି ପୁଲିସ୍। ଏଥର ଅଧିବେଶନ ସମୟରେ ସେଭଳି ଅପ୍ରୀତିକର ସ୍ଥିତି ରୋକିବାକୁ ପୁଲିସ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି। ଏହାସତ୍ତ୍ୱେ ଗତକାଲିଠୁ ଆଜି ପର୍ଯ୍ୟନ୍ତ ୨ ଜଣ ଆତ୍ମାହୁତି ଦେବାକୁ ଉଦ୍ୟମ କରିବା ଘଟଣା ପୁଲିସ୍ର ପାରିଲାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
The post କାମ ଦେଉନି କଟକଣା; ପୁଣି ବିଧାନସଭା ଆଗରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ appeared first on Odisha Reporter.
from Odisha Reporter https://ift.tt/37rpLTp
No comments:
Post a Comment