କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ଭୋଜି ଅଛି କହି ଗତକାଲି ରାତିରେ ଘରୁ ବାହାରି ଯାଇଥିଲେ। କିନ୍ତୁ ଆଜି ସକାଳେ ମିଳିଲା ତାଙ୍କ ମୃତଦେହ। ଘଟଣାଟି ଘଟିଛି ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅଞ୍ଚଳରେ। ମୃତ ବ୍ୟକ୍ତିଙ୍କ ନାଁ ଗଣ୍ଡପତି ବଚ୍ଛା। ତାଙ୍କ ଘର ଭାଲୁମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଗଞ୍ଜାବାହାଲ ଗାଁରେ। ଭାଲୁମୁଣ୍ଡା- ବେଲପଡ଼ା ରାସ୍ତାର ଏକ ଗଛ ନିକଟରେ ତାଙ୍କ ମୃତଦେହକୁ ଠାବ କରାଯାଇଥିଲା।
ଗଣ୍ଡପତି ଭାଲୁମୁଣ୍ଡା ଗାଁରେ ଲୁଗା କାମ କରୁଥିଲେ। ଭୋଜି ଅଛି କହି ଗତକାଲି ରାତିରେ ଗଣ୍ଡପତି ଘରୁ ବାହାରି ଯାଇଥିଲେ। ସେ ଅନ୍ୟ କାହାର ବାଇକ୍ ନେଇ ଯାଇଥିଲେ। କିନ୍ତୁ ଆଉ ଫେରି ନଥିଲେ। ଆଜି ସକାଳେ କିଛି ଲୋକ ତାଙ୍କୁ ଏକ ଗଛ ତଳେ ପଡ଼ିଥିବାର ଦେଖିଥିଲେ। ସେମାନେ ପୁଲିସ୍କୁ ଖବର ଦେଇଥିଲେ।
ଗଣ୍ଡପତିଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ବାଇକ୍ଟି ତାଙ୍କ ମୃତଦେହ ଠାରୁ ପ୍ରାୟ ୫୦ ମିଟର ଦୂରରେ ପଡ଼ିଥିଲା। ତେଣୁ ତାଙ୍କୁ ହତ୍ୟା କରି ରାସ୍ତାକଡ଼ରେ ପକାଇ ଦୁର୍ଘଟଣାର ରୂପ ଦିଆଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।
ବଙ୍ଗୋମୁଣ୍ଡା ପୁଲିସ୍ ଘଟଣାର ତଦନ୍ତ କରିଛି। ଘଟଣା ସଂପର୍କରେ ପୁଲିସ୍ କିଛି ପ୍ରତିକ୍ରିୟା ଦେଇ ନଥିବା ବେଳେ ଏ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ସାମାନ୍ୟ ଉତ୍ତେଜନା ଦେଖା ଦେଇଥିଲା।
The post ଭୋଜି ଅଛି କହି ଯାଇଥିଲେ, ମିଳିଲା ମୃତଦେହ appeared first on Odisha Reporter.
from Odisha Reporter https://ift.tt/2N3vFD2
No comments:
Post a Comment