କୋଲକାତା: କରୋନା ମହାମାରୀ ଭିତରେ ଏବେ ପଶ୍ଚିମବଙ୍ଗରେ କାନାଇନ୍ ପାରଭୋ ଭାଇରସ ଆତଙ୍କ ଦେଖାଦେଇଛି। କୁକୁରଙ୍କୁ ଏହି ଭାଇରସ ଆକ୍ରମଣ କରି ସେମାନଙ୍କ ଜୀବନ ନେବା ଆରମ୍ଭ କରିଛି। ସ୍ଥିତି ଏପରି ହୋଇଛି ଯେ ୩ ଦିନ ମଧ୍ୟରେ ବିଷ୍ଣୁପୁରରେ ୨୫୦ରୁ ଅଧିକ କୁକୁରଙ୍କ ଜୀବନ ଗଲାଣି। ଏମାନଙ୍କ ମଧ୍ୟରେ ଅଧିକାଂଶ ଛୋଟ କୁକୁର ରହିଛନ୍ତି।
ଏହି ଭାଇରସ ଖୁବଦ୍ରୁତ ଗତିରେ ଗୋଟିଏ କୁକୁର ମୁହଁରୁ ଆଉ ଗୋଟିଏ କୁକୁର ପାଖକୁ ବ୍ୟାପିବା ଆରମ୍ଭ କରିଛି। ପଶୁ ଚିକିତ୍ସକଙ୍କ ମତରେ ମହାମାରୀ କରୋନା ଯୋଗୁ ବେଙ୍ଗଲରେ ପାରଭୋ ଭାଇରସ ପ୍ରବେଶ କରିଛି। କାରଣ କରୋନା ଯୋଗୁ ଲୋକମାନେ ପାଳିଥିବା ସେମାନଙ୍କ କୁକୁରମାନଙ୍କୁ ଠିକଣା ସମୟରେ ଟିକା ଦେଇନାହାନ୍ତି।
ଫଳରେ ଏହି ଭାଇରସ ସେମାନଙ୍କ ଶରୀରରେ ଦେଖାଦେଇଛି। ଡା ସୁଭାଷ ସରକାର କହିଛନ୍ତି, ମହାମାରୀ ଯୋଗୁ ଅଧିକାଂଶ କୁକୁର ଟିକା ନେଇନାହାନ୍ତି। ଚଳିତ ବର୍ଷ ଠିକଣା ସମୟରେ ଟିକାକରଣ ନ ସରିଲେ, ସମସ୍ୟା ଆହୁରି ଜଟିଳ ହେବ। ପାରଭୋ ଭାଇରସ ନୂଆ ରୋଗ ନୁହେଁ। ଏହା ଯେତେବେଳେ ବେଙ୍ଗଲରେ ପ୍ରବେଶ କଲା ସେତେବେଳେ ଏହାର ଟିକା ନଥିଲା। କିନ୍ତୁ ଏବେ ଟିକା ବାହାରି ସାରିଛି ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ବୁଲା କୁକୁରଙ୍କୁ କୌଣସି ପ୍ରକାରର ଟିକା ଦିଆଯାଏ ନାହିଁ। ଫଳରେ ଏହି ଭାଇରସ ଦୀର୍ଘଦିନ ଧରି ବ୍ୟାପିବାର ଆଶଙ୍କା ପ୍ରକାଶ ପାଇଛି। ଏହାର ଚିକିତ୍ସା କଥା ବିଚାରକୁ ନେଲେ, ପାରଭୋ ଭାଇରସ ପାଇଁ ଗୋଟିଏ ସେରମ ଅଛି। ହେଲେ ଏହା ବହୁତ ଦାମୀ। ତଥାପି ଭାଇରସ ସଂସ୍ପର୍ଶରେ ଆସିଥିବା କୁକୁରଙ୍କୁ ଏହାଦ୍ୱାରା ଚିକିତ୍ସା କରାଯାଇ ପାରିବ।
ଆଉ ଜଣେ ଭେଷଜ ଡାକ୍ତର ଗୌତମ ମୁଖାର୍ଜୀ କହିଛନ୍ତି, ଋତୁ ବଦଳିବା ବେଳେ ସାଧାରଣତଃ କୁକୁରଙ୍କ ଶରୀରରେ ଏହି ଲକ୍ଷଣ ଦେଖାଯାଏ। ଯେଉଁ କୁକୁରମାନେ ପାରଭୋ ଟିକା ନେଇଥିବେ ସେମାନେ ଭାଇରସ ସଂସ୍ପର୍ଶରେ ଆସିଲେ ମଧ୍ୟ କମ ସଂକ୍ରମିତ ହେବାର ସମ୍ଭାବନା ରହିଛି।
ଯଦି କୌଣସି କୁକୁର ଖାଦ୍ୟ ନ ଖାଇଲା, ବାନ୍ତି, ଝାଡ଼ା ଭଳି ଲକ୍ଷଣ ଦେଖାଗଲା, ତା’ହେଲେ ତାକୁ ତୁରନ୍ତ ସାଲାଇନ ଦେବାକୁ ହେବ। ବାନ୍ତି ବନ୍ଦ ହେବା ପରେ ପାରଭୋ ନାମକ ଗୋଟିଏ ମେଡିସିନକୁ ଆଣ୍ଟିବାଓଟିକ୍ ମିଶାଇ ଦିଆଯାଇ ପାରିବ। ପାରଭୋ ଭାଇରସରେ ଆକ୍ରାନ୍ତ ହେଲେ ଝାଡ଼ା ହେବ, ରକ୍ତ ଶ୍ରାବ ଓ ଅର୍ଜିନିଆ ଭଳି ଲକ୍ଷଣ ଦେଖାଯିବ।
ଅତି ଗୁରୁତର ବେଳେ ହୃଦଘାତର ମଧ୍ୟ ଆଶଙ୍କା ରହିଛି। ଏବେ କୁକୁର ପାଳିଥିବା ଲୋକମାନେ ଟିକାକରଣ ପରେ ବି ସେମାନଙ୍କ କୁକୁରମାନଙ୍କୁ ଘରେ ରଖନ୍ତୁ ବୋଲି ଡାକ୍ତର ଗୌତମ ପରାମର୍ଶ ଦେଇଛନ୍ତି।
The post ବେଙ୍ଗଲରେ ଭାଇରସ ଆତଙ୍କ, ଗଲାଣି ୨୫୦ କୁକୁରଙ୍କ ଜୀବନ appeared first on Odisha Reporter.
from Odisha Reporter https://ift.tt/3bwNOBP
No comments:
Post a Comment