ୱାଶିଂଟନ: ତୁର୍କୀ ଇସ୍ତାନବୁଲ୍ରେ ଥିବା ସାଉଦି ଆରବ ଦୂତାବାସ ମଧ୍ୟରେ ସାମ୍ବାଦିକ ଜମାଲ ଖାସୋଗିଙ୍କ ହତ୍ୟାକାଣ୍ଡକୁ ନେଇ ଆମେରିକା ସାଂଘାତିକ ତଥ୍ୟ ଦେଇଛି। ସାମ୍ବାଦିକ ଖାସୋଗିଙ୍କ ହତ୍ୟାରେ ସାଉଦି ଆରବର ରାଜକୁମାର ମହମ୍ମଦ ବିନ୍ ସଲମାନ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ସେ ହିଁ ଇସ୍ତାନବୁଲର ସାଉଦି ଦୂତାବାସରେ ସାମ୍ବାଦିକ ଖାସୋଗିଙ୍କୁ ଧରିବା କିମ୍ବା ହତ୍ୟା କରିବା ମିଶନକୁ ଅନୁମୋଦନ ଦେଇଥିଲେ। ଏ ସମ୍ପର୍କରେ ଆମେରିକାର ଗୁଇନ୍ଦା ରିପୋର୍ଟରେ ଦାବି କରାଯାଇଛି।
ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ସାଉଦି ରାଜ ପରିବାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଉପରେ ଚାପ ପଡ଼ିବାର ଆଶଙ୍କା ପ୍ରକାଶ ପାଇଛି। ୨୦୧୮ରେ ତୁର୍କୀର ଇସ୍ତାନବୁଲରେ ଥିବା ସାଉଦି ଆରବର ଦୂତାବାସ ଭିତରେ ଜମାଲ ଖାସୋଗିଙ୍କୁ ହତ୍ୟା କରାଯାଇଥିଲା।
ସେପ୍ଟେମ୍ବର ୨୦୨୦ରେ ସାଉଦି ଆରବ କୋର୍ଟ ଏହି ମାମଲାରେ ଆଠ ଜଣଙ୍କୁ ଦଣ୍ଡିତ କରିଥିଲେ। ଖାସୋଗି ସାଉଦି ଆରବର ମହମ୍ମଦ ବିନ୍ ସଲମାନଙ୍କ ଜଣେ ସମାଲୋଚକ ଭାବରେ ପରିଚୟ ହାସଲ କରିଥିବାରୁ ତାଙ୍କୁ ହତ୍ୟା କରି ପ୍ରତିଶୋଧ ନିଆଯାଇଥିବା କୁହାଯାଉଛି।
ପିଟିଆଇରେ ପ୍ରକାଶିତ ଖବର ଅନୁଯାୟୀ ଆମେରିକାର ଗୁଇନ୍ଦା ସଂସ୍ଥା ରିପୋର୍ଟରେ କୁହାଯାଇଛି ଯେ ସାମ୍ବାଦିକ ଖାସୋଗିଙ୍କୁ ହତ୍ୟା କରିବା ମିଶନରେ ଦୁଇଟି ପ୍ରାଇଭେଟ୍ ଜେଟ୍ର ବ୍ୟବହାର ହୋଇଥିଲା। ଉକ୍ତ ଦୁଇ ଜେଟ୍କୁ ପ୍ରସ୍ତୁତ କରିଥିବା କମ୍ପାନୀର ମାଲିକ ହେଉଛନ୍ତି ପ୍ରିନ୍ସ ସଲମାନ। ତେଣୁ ତାଙ୍କ ବିନା ଅନୁମୋଦନରେ ଜେଟ୍ ବ୍ୟବହାର କରି ଅପରେସନ କରାଯାଇଥିବା ଆଦୌ ବିଶ୍ୱାସଯୋଗ୍ୟ ନୁହେଁ। ତାଙ୍କ ଇସାରାରେ ସବୁ କିଛି ହୋଇଛି। ପୂର୍ବରୁ ମଧ୍ୟ ସାଉଦିର ରାଜ କୁମାର ସଲମାନ ହିଁ ଖାସୋଗିଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଥିଲା।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରିପୋର୍ଟର ତଥ୍ୟ ସାମ୍ନାକୁ ଆସିବାର ଗୋଟିଏ ଦିନ ପୂର୍ବରୁ ରାଷ୍ଟ୍ରପତି ଜୋ ବାଇଡେନ ଫୋନ ଯୋଗେ ସାଉଦି ଆରବର ରାଜାଙ୍କ ସହ ସୌଜନ୍ୟମୂଳକ ବାର୍ତ୍ତାଆଳପ କରିଥିଲେ। ତେବେ ବାର୍ତ୍ତାଳାପ ସମ୍ପର୍କରେ ହ୍ୱାଇଟ ହାଉସ ଜାରି କରିଥିବା ବିବୃତିରେ ଖାସୋଗିଙ୍କ ହତ୍ୟା ସମ୍ପର୍କରେ କୌଣସି କଥା ଉଲ୍ଲେଖ କରାଯାଇ ନାହିଁ।
ଅନ୍ୟପକ୍ଷରେ ଆମେରିକା ଗୁଇନ୍ଦା ସିଧାସଳଖ ରାଜ କୁମାର ସଲମାନଙ୍କୁ ଦାୟୀ କରିଥିବାରୁ ସାଉଦି ଏହାକୁ ଭିତ୍ତିହୀନ ବୋଲି କହିଛି। ସାଉଦିର ବୈଦେଶିକ ମନ୍ତ୍ରଣାଳୟ ଗୋଟିଏ ବିବୃତିରେ କହିଛି ଯେ ଆମେରିକାର ରିପୋର୍ଟ ଭୁଲ ଓ ଏଥିରେ କରାଯାଇଥିବା ଦାବି ଗୁଡ଼ିକ ସଂପୂର୍ଣ୍ଣ ଭିତ୍ତିହୀନ। ଖାସୋଗିଙ୍କ ହତ୍ୟାକାଣ୍ଡରେ ସାମିଲ ଥିବା ବ୍ୟକ୍ତିମାନଙ୍କୁ ପୂର୍ବରୁ ଦଣ୍ଡିତ କରାଯାଇଛି। ଏପରି ପରିସ୍ଥିତିରେ କ୍ରାଉନ୍ ପ୍ରିନ୍ସଙ୍କୁ ଦୋଷ ଦେବା ଦୁର୍ଭାଗ୍ୟଜନକ।
ୱାଶିଂଟନ ପୋଷ୍ଟରେ ଆମେରିକା ସାମ୍ବାଦିକ ଖାସୋଗି ଅନେକ ସମୟରେ ସଲମାନଙ୍କୁ ବିରୋଧ କରି ରିପୋର୍ଟ କରନ୍ତି। ୨୦୧୮ରେ ତାଙ୍କୁ ତୁର୍କୀରେ ଥିବା ସାଉଦି ଦୂତାବାସକୁ ସାକ୍ଷାତକାର ପାଇଁ ଡକା ଯାଇଥିଲା। ହେଲେ ସେଠାରେ ତାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କାରାଯାଇଥିଲା। ଏପରି କି ହତ୍ୟା କରିବା ପରେ ତାଙ୍କୁ ଖଣ୍ଡଖଣ୍ଡ କରି କାଟି ଦିଆଯାଇଥିଲା।
The post ସାମ୍ବାଦିକ ଜମାଲ ଖାସୋଗିଙ୍କ ହତ୍ୟା ପଛରେ ସାଉଦି ରାଜ କୁମାର! appeared first on Odisha Reporter.
from Odisha Reporter https://ift.tt/3bDD6cE
No comments:
Post a Comment